NH 66: ୧୪ ବର୍ଷରେ ୧୬ ହଜାର କୋଟି ଖର୍ଚ୍ଚ, ତଥାପି ମୁମ୍ବାଇ-ଗୋଆ ରାଜପଥରେ ଖାଲଖମା ଭର୍ତ୍ତି
୧୪ ବର୍ଷ ଧରି ନିର୍ମାଣ ଓ ପ୍ରଶସ୍ତୀକରଣ କାମ ଚାଲିବା ସହ ୧୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ପରେ ବି ମୁମ୍ବାଇ-ଗୋଆ ଜାତୀୟ ରାଜପଥ (ଏନ୍ଏଚ୍-୬୬)ର ଅବସ୍ଥା ନେଇ ପ୍ରଶ୍ନ ଉଠିଛି। ନିକଟରେ ମରାମତି ଓ ନିର୍ମାଣ ହୋଇଥିବା ରାସ୍ତାରେ ପ୍ରଥମ ବର୍ଷା ପରେ ହିଁ ଖାଲଖମା...

ମୁମ୍ବାଇ: ୧୪ ବର୍ଷ ଧରି ନିର୍ମାଣ ଓ ପ୍ରଶସ୍ତୀକରଣ କାମ ଚାଲିବା ସହ ୧୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ପରେ ବି ମୁମ୍ବାଇ-ଗୋଆ ଜାତୀୟ ରାଜପଥ (ଏନ୍ଏଚ୍-୬୬)ର ଅବସ୍ଥା ନେଇ ପ୍ରଶ୍ନ ଉଠିଛି। ନିକଟରେ ମରାମତି ଓ ନିର୍ମାଣ ହୋଇଥିବା ରାସ୍ତାରେ ପ୍ରଥମ ବର୍ଷା ପରେ ହିଁ ଖାଲଖମା ଓ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ମୋଟ ୪୪୦ କିମି ଲମ୍ବା ଏହି ରାଜପଥର ବିଭିନ୍ନ ସ୍ଥାନରେ ଏବେ ବି ରାସ୍ତା ବଦଳାଇ ଯାତାୟାତ, ଜଳବନ୍ଦୀ, ମରାମତି କାମ ଓ ଟ୍ରାଫିକ୍ ସମସ୍ୟା ଲାଗିରହିଛି। ଏହା ମଧ୍ୟରେ ପନ୍ଭେଲ-ପେନ୍ ମଧ୍ୟରେ ଥିବା ଖରପାଡା ଟୋଲ୍ ପ୍ଲାଜାରେ ମେ ମାସ ମଧ୍ୟଭାଗରୁ ଟୋଲ୍ ଆଦାୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଟୋଲ୍ ୧୦୦ ଟଙ୍କା ଧାର୍ଯ୍ୟ ହୋଇଥିବାରୁ ଲୋକଙ୍କ ଅସନ୍ତୋଷ ଆହୁରି ବଢ଼ିଛି। କାରଣ ରାସ୍ତା ପ୍ରଶସ୍ତୀକରଣ, ସେତୁ ଓ ବାଇପାସ୍ ସମେତ ଅନେକ କାମ ଏବେ ବି ଅସମ୍ପୂର୍ଣ୍ଣ ରହିଛି। ଟୋଲ୍ ଏଡ଼ାଇବା ପାଇଁ କେତେକ ସ୍ଥାନୀୟ ଯାତ୍ରୀ ସର୍ଭିସ୍ ରୋଡ୍ ବ୍ୟବହାର କରୁଛନ୍ତି। ୱାଡଖଲ ଅଞ୍ଚଳର ବାସିନ୍ଦା ବିଶ୍ୱଜିତ ପାଟିଲ କହିଛନ୍ତି, ୧୦୦ ଟଙ୍କା ଟୋଲ୍ ଦେବା ସତ୍ତ୍ବେ ଯାତ୍ରୀଙ୍କୁ ଭଲ ରାସ୍ତା ମିଳୁନାହିଁ। ମରାମତି କାମ ଯୋଗୁଁ ଟ୍ରାଫିକ୍ ସମସ୍ୟା ଆହୁରି ବଢ଼ୁଛି। ଦୁଇ ଦିନ ପୂର୍ବେ ଟ୍ରାଫିକ୍ ଯୋଗୁଁ ସେ କାମରେ ଦୁଇ ଘଣ୍ଟା ବିଳମ୍ବରେ ପହଞ୍ଚିଥିବା କହିଛନ୍ତି। ସାଙ୍ଗମେଶ୍ୱର ସମେତ କେତେକ ସ୍ଥାନରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଠିକ୍ ନ ଥିବା ଏବଂ ରିଟେନିଂ ୱାଲ୍ ଧୋଇଯିବା ନେଇ ମଧ୍ୟ ଅଭିଯୋଗ ରହିଛି। ରାସ୍ତା ସୁରକ୍ଷା କର୍ମୀ ତଥା ଇଞ୍ଜିନିୟର ଚୈତନ୍ୟ ପାଟିଲ ୨୦୨୫ରେ ୨୯ ଦିନ ଧରି ରାଜପଥରେ ପଦଯାତ୍ରା କରି ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ। ଅନେକ କାମ ଅସମ୍ପୂର୍ଣ୍ଣ ଥିବାବେଳେ ଟୋଲ୍ ଆଦାୟ ଆରମ୍ଭ କରାଯିବାକୁ ନେଇ ସେ ପ୍ରଶ୍ନ କରିଛନ୍ତି। ଏନ୍ଏଚ୍ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର ଇଙ୍ଗୋଲେ ଏ ନେଇ କୌଣସି ମତ ଦେଇନାହାନ୍ତି।
ଅନ୍ୟପକ୍ଷରେ କନ୍ନାଲା ଆନିମଲ ସାଙ୍କଚୁଆରି ନିକଟରେ ଏନ୍ଏଚ୍ଏଆଇ ମାଙ୍କଡ଼ ପାଇଁ ନିର୍ମାଣ କରିଥିବା ଓଭରପାସ୍ ମଧ୍ୟ ଭୁଶୁଡ଼ି ପଡ଼ିଛି। ୨୦୨୧ରେ ନିର୍ମିତ ଏହି ଓଭରପାସ୍ର ଉଦ୍ଦେଶ୍ୟ ଥିଲା ମାଙ୍କଡ଼ମାନେ ସୁରକ୍ଷିତ ଭାବେ ରାଜପଥ ପାର୍ ହେବା। ଏବେ ଏହା ଅଚଳ ହୋଇଯିବାରୁ ମାଙ୍କଡ଼ମାନେ ପୁଣି ବିପଦପୂର୍ଣ୍ଣଭାବେ ରାସ୍ତା ପାର୍ ହେଉଛନ୍ତି। ଏହି ସ୍ଥାନକୁ ଦୁର୍ଘଟଣାପ୍ରବଣ ଅଞ୍ଚଳ ବୋଲି ମଧ୍ୟ ଚିହ୍ନଟ କରାଯାଇଛି। ୨୦୨୫ରେ ଏଠାରେ ଏକ ମାଙ୍କଡ଼କୁ ବଞ୍ଚାଇବାକୁ ଯାଇ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ଚୈତନ୍ୟ ପାଟିଲ କହିଛନ୍ତି।
ସୌଜନ୍ୟ ସମ୍ବାଦ




