କଟକ/କେନ୍ଦ୍ରାପଡ଼ା: ଅନାସ୍ଥା ପ୍ରସ୍ତାବ ବୈଠକ ନୋଟିସକୁ ଚାଲେଞ୍ଜ କରି ମହାକାଳପଡ଼ା ବ୍ଲକ୍ ତିଖିରୀ ସରପଞ୍ଚ ଚାମେଲି ଓଝା ଦାୟର କରିଥିବା ଆବେଦନର ଶୁଣାଣି ଶେଷ କରି ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ମାମଲାର ରାୟ ପ୍ରକାଶ ପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବ ଭୋଟର ଫଳାଫଳ ପ୍ରକାଶ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଆବେଦନକାରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ବୈଠକ ପୂର୍ବ ନିର୍ଦ୍ଧାରିତ ଅଗଷ୍ଟ ୧୩ ତାରିଖରେ ବସିବ। କିନ୍ତୁ ଅନାସ୍ଥା ଭୋଟ ହେବା ପରେ ଫଳାଫଳ ଏହି ମାମଲାର ରାୟ ପ୍ରକାଶ ପର୍ଯ୍ୟନ୍ତ ପ୍ରକାଶ କରାଯିବ ନାହିଁ ବୋଲି ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଚାମେଲିଙ୍କ ଆବେଦନର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ଶୁଣାଣି ସମୟରେ ଚାମେଲିଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଅନାସ୍ଥା ପ୍ରସ୍ତାବ ବୈଠକ ସଂପର୍କିତ ନୋଟିସ ତାଙ୍କ ବାପାଙ୍କୁ ପ୍ରଦାନ କରାଯାଇଥିଲା। ସେତେବେଳେ ସେ ନିଜେ ଅନୁପସ୍ଥିତ ଥିଲେ। ତାଙ୍କ ବାପା ନିରକ୍ଷର ହୋଇଥିବାରୁ ଟିପ ଚିହ୍ନ ଦେଇ ନୋଟିସ ଗ୍ରହଣ କରିଥିଲେ। ନୋଟିସ ସହିତ ପ୍ରସ୍ତାବିତ ସଂକଳ୍ପ ଓ ବିଧିବଦ୍ଧ ଅନୁଜ୍ଞା (ରିଜୋଲ୍ୟୁସନ ଓ ରିକ୍ୟୁଜିସନ)ର କପି ପ୍ରଦାନ କରାଯାଇ ନାହିଁ ବୋଲି ସ୍ପଷ୍ଟ ହେବା ପରେ ଏ ନେଇ ଚାମେଲି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କୁ ଅବଗତ କରି ରିଜୋଲ୍ୟୁସନ ଓ ରିକ୍ୟୁଜିସନ କପି ପ୍ରଦାନ ପାଇଁ ଅନୁରୋଧ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନ ନେଇ ଅଗଷ୍ଟ ୧୩ରେ ଅନାସ୍ଥା ପ୍ରସ୍ତାବ ବୈଠକ କରିବା ପାଇଁ ପଦକ୍ଷେପ ନିଆଯାଇଛି।
ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଧାରା ୨୪(୨)(ସି) ଅନୁସାରେ ନୋଟିସ ସହିତ ପ୍ରସ୍ତାବିତ ସଂକଳ୍ପ ଓ ବିଧିବଦ୍ଧ ଅନୁଜ୍ଞାର କପି ମଧ୍ୟ ପ୍ରଦାନ କରାଯିବା କଥା। କିନ୍ତୁ ଏପରି କରାଯାଇ ନଥିବାରୁ ଅନାସ୍ଥା ପ୍ରସ୍ତାବ ସଂପର୍କିତ ନୋଟିସ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଚାମେଲିଙ୍କ ତରଫରୁ ଦର୍ଶାଯାଇଛି। ନୋଟିସ ପ୍ରଦାନ ଓ ଅନାସ୍ଥା ପ୍ରସ୍ତାବ ଭୋଟ ମଧ୍ୟରେ ୧୫ଦିନ ବ୍ୟବଧାନ ରଖାଯିବା କଥା। ଏହି କ୍ଷେତ୍ରରେ ଏପରି ବ୍ୟବସ୍ଥାର ଉଲ୍ଲଂଘନ ହୋଇଛି ବୋଲି ମଧ୍ୟ ଚାମେଲିଙ୍କ ତରଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଅନୁପାଳନ କରି ଅନାସ୍ଥା ପ୍ରସ୍ତାବ ବୈଠକ ସଂପର୍କିତ ନୋଟିସ ଜାରି କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଛି। ମାମଲର ପ୍ରତିପକ୍ଷ ୱାର୍ଡ ମେମ୍ବରଙ୍କ ତରଫରୁ ମଧ୍ୟ ଏହି ଆବେଦନକୁ ବିରୋଧ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ମୋଟ୍ ୨୨ୱାର୍ଡ ବିଶିଷ୍ଟ ତିଖିରୀ ପ˚ଚାୟତରେ ୨୧ୱାର୍ଡ ପ୍ରତିନିଧି ଅନାସ୍ଥା ଆଣିଥିବାରୁ ଚାମେଲିଙ୍କ ଅଡ଼ୁଆ ବଢ଼ିଯାଇଥିଲା। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବରେ ଦସ୍ତଖତ ଦେଇଥିବା ୨୧ୱାର୍ଡ ସଭ୍ୟ/ସଭ୍ୟାଙ୍କ ଦସ୍ତଖତ ଯାଞ୍ଚ ହୋଇଥିଲା। ଏହାପରେ ଅଗଷ୍ଟ ୧୩ରେ ତିଖିରୀ ପଞ୍ଚାୟତ ଅଫିସ୍ରେ ଅନାସ୍ଥା ଭୋଟ୍ ହେବ ବୋଲି ଧାର୍ଯ୍ୟ କରି ଉପଜିଲ୍ଲାପାଳ ନୋଟିସ ଜାରି କରିଥିଲେ। ଚାମେଲିଙ୍କ ତରଫରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ଓ କେତେକ ୱାର୍ଡ ପ୍ରତିନିଧିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଛନ୍ତି।