Black Hole Star Discovery: ଭାରତୀୟ ବୈଜ୍ଞାନିକଙ୍କ ଅସାଧାରଣ ଆବିଷ୍କାର ‘ବ୍ଲାକ୍ହୋଲ ନକ୍ଷତ୍ର’, ୧୦ ହଜାର ଗୁଣ ଅଧିକ ଶକ୍ତି ଉତ୍ପନ୍ନ

ନୂଆଦିଲ୍ଲୀ, ୧୮/୦୮: ଗତ ସପ୍ତାହ ଶେଷରେ ନକ୍ଷତ୍ରବିଜ୍ଞାନୀ ଏକ ବସ୍ତୁ ଆବିଷ୍କାର କଲେ, ଯାହା ସେମାନଙ୍କ କୌତୁହଳକୁ ବଢ଼ାଇଦେଲା- ଏହା ନକ୍ଷତ୍ର ଥିଲା ନା ବ୍ଲାକ୍ହୋଲ? ସୌରମଣ୍ଡଳ ଆକାରବିଶିଷ୍ଟ ଏବଂ ଗ୍ୟାସ୍ର ବାଦଲ ଦ୍ୱାରା ଆବୃତ୍ତ ଏହି ବସ୍ତୁ କୌଣସି ପରିଚିତ ନକ୍ଷତ୍ରର ଶକ୍ତିଠୁ ୧୦ ହଜାର ଗୁଣ ଶକ୍ତି ଉତ୍ପନ୍ନ କରୁଛି । ଜେମ୍ସ ୱେବ୍ ଟେଲିସ୍କୋପ୍ ଦ୍ୱାରା ଚିହ୍ନଟ ଏହି ବସ୍ତୁ ଏତେ ଅଦ୍ଭୁତ ଯେ ନକ୍ଷତ୍ରବିଜ୍ଞାନୀମାନେ ଏହାକୁ ‘ବ୍ଲାକ୍ହୋଲ ନକ୍ଷତ୍ର’ ନାମରେ ସମ୍ବୋଧନ କରିଛନ୍ତି ।
ହାଇଦ୍ରାବାଦ ଜନ୍ମିତ ନକ୍ଷତ୍ରବିଜ୍ଞାନୀ ରୋହନ ନାଇଡୁ ଏହି ଅସାଧାରଣ ବ୍ଲାକ୍ହୋଲ ନକ୍ଷତ୍ର ଆବିଷ୍କାର କରିଛନ୍ତି । ପୂର୍ବରୁ ସେ ଇଞ୍ଜିନିୟରିଂ କଲେଜ ଅଧ୍ୟୟନ ଅଧୁରା ଛାଡ଼ିଥିଲେ । ଇଞ୍ଜିନିୟରିଂ ଛାଡ଼ି ସିଙ୍ଗାପୁରରେ ୟେଲଏନ୍ୟୁଏସ୍ କଲେଜରେ ସେ ନାମ ଲେଖାଇଥିଲେ । ଏଠାରେ ନକ୍ଷତ୍ରବିଜ୍ଞାନରେ ତାଙ୍କର ରୁଚି ଜନ୍ମ ନେଲା । ପ୍ରଫେସର ଚାର୍ଲସ ବେଲିନଙ୍କ ସହ ଚିଲୀର ଆଣ୍ଡିଜରେ ବ୍ଲେଜର୍ ଅଧ୍ୟୟନ ଜରିଆରେ ନକ୍ଷତ୍ରବିଜ୍ଞାନର ଯାତ୍ରା ଆରମ୍ଭ କଲେ । ତା’ପରେ ହାର୍ଭାର୍ଡରେ ପିଏଚ୍ଡି କଲେ ଏବଂ ଆମ ଆକାଶଗଙ୍ଗା ମିଲ୍କି ୱେରେ ଲୁଚିଥିବା ପ୍ରାଚୀନ ଆକାଶଗଙ୍ଗା ଉପରେ ଅଧ୍ୟୟନ କଲେ । ଏହା ପରେ ସେ ଏମ୍ଆଇଟିରେ ନାସା ହବଲ ଫେଲୋସିପ୍ ଓ ପପ୍ପଲାର୍ଡୋ ଫେଲୋସିପ୍ ଭଳି ପଦ ସମ୍ଭାଳିଲେ । ବର୍ତ୍ତମାନ ସେ ହୱାଇ ବିଶ୍ୱବିଦ୍ୟାଳୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋନୋମିରେ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି ।
ସୌଜନ୍ୟ ପ୍ରମେୟ




