Monkey Terror: ଛାତ୍ରଛାତ୍ରୀଙ୍କୁ ଗୋଡ଼ାଉଛି ଗୋଠଛଡ଼ା ମାଙ୍କଡ଼, ୩୦ରୁ ଅଧିକ ପରିବାର ଭୟଭୀତ

ଢେଙ୍କାନାଳ, ୧୭।୧୧: ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍.ଏ.ସି. ଅନ୍ତର୍ଗତ ୱାର୍ଡ ନଂ-୨ର ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଏବଂ ଜାତୀୟ ରାଜପଥ ୫୩ ଛକରେ ଏକ ଗୋଠଛଡ଼ା ପାତିମାଙ୍କଡ଼ର ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ପାତିମାଙ୍କଡ଼ର ଆତଙ୍କରେ ଅଞ୍ଚଳବାସୀ ଏବଂ ଛାତ୍ରଛାତ୍ରୀ ଅତିଷ୍ଠ ହୋଇପଡ଼ିଛନ୍ତି । କେତେବେଳେ କାହା ଉପରେ ଆକ୍ରମଣ କରିବ, ସେହି ଭୟରେ ସାଧାରଣ ଲୋକେ ଦିନ କାଟୁଛନ୍ତି ।
ଏହି ମାଙ୍କଡ଼ଟିର ଆତଙ୍କ ଏତେ ମାତ୍ରାରେ ବଢ଼ିଯାଇଛି ଯେ, ଦୋକାନୀଙ୍କଠାରୁ ଆରମ୍ଭ କରି କଲେଜ ଛାତ୍ରଛାତ୍ରୀ, କେହି ବି ଏହାର ଆକ୍ରମଣରୁ ବର୍ତ୍ତି ପାରୁନାହାନ୍ତି । ବିଶେଷକରି ବସ୍କୁ ଅପେକ୍ଷା କରି ବସିଥିବା ଛାତ୍ରଛାତ୍ରୀମାନଙ୍କୁ ଏହା ଗୋଡ଼ାଇବା ସହ କାମୁଡ଼ିବାକୁ ଉଦ୍ୟମ କରୁଛି । ଫଳରେ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ମାଙ୍କଡ଼ ଭୟରେ ଆଖପାଖର ୩୦ରୁ ଊର୍ଦ୍ଧ୍ୱ ପରିବାର ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି । ବାଧ୍ୟ ହୋଇ ଦୋକାନୀମାନେ ହାତରେ ବାଡ଼ି ଧରି ଦୋକାନ ଖୋଲି ଜଗି ରହୁଛନ୍ତି ।
ଏହି ସମସ୍ୟା ନେଇ ଅଞ୍ଚଳବାସୀ ଭୁବନ ବନ ବିଭାଗରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି କେବଳ ବୁଲି ଦେଖି ଚାଲିଯାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ମାଙ୍କଡ଼କୁ ଘଉଡ଼ାଇବା ପାଇଁ ରେଞ୍ଜର ତେଲ ଏବଂ ବାଣ ଖର୍ଚ୍ଚ ଦେଲେ ସେମାନେ କର୍ମଚାରୀ ପଠାଇବେ ବୋଲି ଦାବି କରିଛନ୍ତି । ଅନ୍ୟପଟେ ରେଞ୍ଜରଙ୍କ କହିବା କଥା ଯେ, ବର୍ତ୍ତମାନ ବନ ବିଭାଗ ହାତୀ ଘଉଡ଼ାଇବା କାର୍ଯ୍ୟରେ ବ୍ୟସ୍ତ ଅଛି । ସେହି କାମ ସରିବା ପରେ ଯାଇ ମାଙ୍କଡ଼ ସମସ୍ୟା ଉପରେ ଦୃଷ୍ଟି ଦିଆଯିବ । ଏଭଳି ପରିସ୍ଥିତିରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ମାଙ୍କଡ଼ ଆକ୍ରମଣରେ କାହାରି କିଛି ବଡ଼ ଅଘଟଣ ଘଟିବା ପରେ କ’ଣ ବନ ବିଭାଗର ଚେତା ପଶିବ ? ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଭୟଭୀତ ଥିବା ୩୦ରୁ ଅଧିକ ପରିବାରକୁ କେବେ ମୁକ୍ତି ମିଳିବ ? ତୁରନ୍ତ ଏହି ମାଙ୍କଡ଼କୁ ନିୟନ୍ତ୍ରଣ କରି ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ଦୃଢ଼ ଦାବି ହୋଇଛି ।
ସୌଜନ୍ୟ ପ୍ରମେୟ




