ଜଗତସିଂହପୁର ପୁଣି ସେକ୍ସ ରାକେଟକୁ ଠାବ: ରୂପଜୀବୀ ସହ ୨ କିଙ୍ଗପିନ୍ ଓ ୪ ଗ୍ରାହକ ଅଟକ, ପଶ୍ଚିମବଙ୍ଗକୁ ଲମ୍ବିଛି ଚେର

ଜଗତସିଂହପୁର/ବାଲିକୁଦା,୧୮/୦୮: କୁଜଙ୍ଗ ପରେ ଜଗତସିଂହପୁର ସହର ଭିତରୁ ପୁଣି ଏକ ସେକ୍ସ ରାକେଟକୁ ଠାବ କରିଛି ସ୍ଥାନୀୟ ପୁଲିସ । ପୁରୋହିତପୁର ତଥା ନନ୍ଦମଣିଆ ଗଡ଼ା ନିକଟରେ ଥିବା ଏକ କୋଠା ଘରେ ଚାଲିଥିବା ଏହି ଆଡ୍ଡାରୁ ପୁଲିସ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ୪ ଜଣ ଗ୍ରାହକ ମଧ୍ୟ ପୁଲିସ ଜାଲରେ ପଡ଼ିଛନ୍ତି । ଜଗତସିଂହପୁର ପୌରାଞ୍ଚଳର ଏକ ଦମ୍ପତି କିଙ୍ଗପିନ ସାଜି ଉକ୍ତ ରାକେଟ ବର୍ଷେ ତଳୁ ଚଳାଇ ଆସୁଥିଲେ । ଯେତିକି ଘର ଭଡ଼ା ସୂତ୍ରରେ ନିଆ ଯାଇଛି ସେଥିରୁ ଅନୁମାନ ଏଠାରେ ବହୁ ରୂପଜୀବୀଙ୍କ ଆତଜାତ ରହୁଥିଲା । ତେବେ ଚଢ଼ଉରେ ଯାଜପୁର ଜିଲ୍ଲା ଚୋରଦା ଅଞ୍ଚଳର ଜଣେ ଦେହଜୀବୀକୁ ଏଠାରୁ ଉଦ୍ଧାର କରାଯାଇଛି । ଅଧିକ ଖାନ୍ତଲାସ ପରେ ଘଟଣାସ୍ଥଳରୁ ପୁଲିସ ନଗଦ ୩, ୭୫୦ ଟଙ୍କା ୧୦ଟି ମୋବାଇଲ୍ ଫୋନ୍, ଦୁଇଟି ବାଇକ୍, ଗୋଟିଏ ସ୍କୁଟି ମଧ୍ୟ ଜବତ କରିଛି ।
ଏହି ରାକେଟର ଚେର ପଶ୍ଚିମବଙ୍ଗ ତଥା କୋଲକାତା ପର୍ଯ୍ୟନ୍ତ ଲମ୍ବିଛି । କାରଣ କୋଲକାତାର ପ୍ରୀତି ନାମ୍ନୀ ଜଣେ ଯୁବତୀଙ୍କ ଜରିଆରେ ଉଦ୍ଧାର ଦେହଜୀବୀ ଜଣକ ଜଗତସିଂହପୁର ଆସିଥିବା ଜଣା ପଡ଼ିଛି । ଗଣମାଧ୍ୟମ ସମ୍ମୁଖରେ ସମ୍ପୃକ୍ତ ଦେହଜୀବୀ ମୁହଁ ଖୋଲି କହିଛନ୍ତି ଯେ, ପୂର୍ବରୁ ସେ ଏକ ଡ୍ରେସ୍ ଦୋକାନରେ କାମ କରୁଥିିଲେ । ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ସାଙ୍ଗଙ୍କ ମାଧ୍ୟମରେ ବର୍ତ୍ତମାନ ଏହି ରାସ୍ତାରେ ପାଦ ଦେଇଥିଲେ । କିନ୍ତୁ ଜଗତସିଂହପୁରକୁ ପ୍ରଥମଥର ଦୁଇ ଦିନ ତଳେ ଆସିଥିଲେ । ଏଠାକୁ ଆସିବା ପାଇଁ ପଶ୍ଚିମବଙ୍ଗର ପ୍ରୀତି ଯୋଗାଯୋଗ କରିଥିଲେ ଏବଂ ଏଠାରେ କାର୍ଯ୍ୟ କରିବାର ସୁଯୋଗ ଥିବା ଜଣାଇ ଜଣେ ଭାଇ ଓ ଭାଉଜ ଡାକିଥିବା ଉଦ୍ଧାର ଗଣିକା ପ୍ରକାଶ କରିଛନ୍ତି ।
ସୌଜନ୍ୟ ପ୍ରମେୟ




