ଶ୍ୱଶୁର ଘରେ ପ୍ରଜାକୋର୍ଟରେ ଜ୍ୱାଇଁଙ୍କୁ ଦଣ୍ଡ, ବେକରେ ଜୋତାମାଳ ଓ ମୁଣ୍ଡରେ ରଙ୍ଗବୋଳି ଗାଁ ଦାଣ୍ଡରେ ବୁଲିଲେ…

ବିଞ୍ଝାରପୁର, ୦୧/୦୯: ବିଞ୍ଝାରପୁର ଥାନା କଲ୍ୟାଣପୁର ଗ୍ରାମରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଶ୍ୱଶୁରଘର ପ୍ରଜାକୋର୍ଟରେ ଜ୍ୱାଇଁଙ୍କୁ ମିଳିଛି ଦଣ୍ଡ । ନିସ୍ତୁକ ମାଡ଼ ମରାଯିବା ପରେ ଜ୍ୱାଇଁ ବେକରେ ଜୋତାମାଳ ଓ ମୁଣ୍ଡରେ ରଙ୍ଗବୋଳି ଗାଁ ଦାଣ୍ଡରେ ବୁଲାଯାଇଛି । ପୀଡ଼ିତ ଜ୍ୱାଇଁ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର । ସେ ଏନେଇ ମୁହଁ ଖୋଲିନଥିବା ବେଳେ ଘଟଣାକୁ ନେଇ ଗ୍ରାମବାସୀ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଗ୍ରାମବାସୀଙ୍କ ସୂଚନା ମୁତାବକ, ପୀଡ଼ିତ ଯୁବକ(ଜ୍ୱାଇଁ) ବିଞ୍ଝାରପୁର ଥାନା କଲ୍ୟାଣପୁର ଗ୍ରାମର ନିରଞ୍ଜନ ଦାସଙ୍କ ଝିଅକୁ ପ୍ରାୟ ୧୨ ବର୍ଷ ତଳେ ବିବାହ କରିଥିଲେ । ଉଭୟଙ୍କର ଦୁଇଜଣ ସନ୍ତାନ ଅଛନ୍ତି । ପ୍ରାୟ ସପ୍ତାହେ ତଳେ କୌଣସି କାରଣକୁ ନେଇ ଦାମ୍ପତ୍ୟ ସମସ୍ୟା ଉପୁଜିବାରୁ ଯୁବକଙ୍କ ପତ୍ନୀ ବାପଘରକୁ ଚାଲି ଆସିଥିଲେ । ହେଲେ ଯୁବକ ସମସ୍ୟାର ସମାଧାନ କରି ସ୍ତ୍ରୀକୁ ଫେରାଇ ନେବାକୁ ଶ୍ୱଶୁର ଘରେ ପହଞ୍ଚିଥିଲେ । ମାତ୍ର ସେଠାରେ କୌଣସି କାରଣରୁ ସ୍ତ୍ରୀଙ୍କ ସହ ବଚସା ହୋଇଥିଲା । ଘଟଣା ଉଗ୍ର ରୂପ ଧାରଣ କରିଥିଲା । ଶ୍ୱଶୁର ନିରଞ୍ଜନ ଜ୍ୱାଇଁଙ୍କୁ ମାଡ଼ ମାରିବା ସହ ମୁଣ୍ଡରେ ରଙ୍ଗ ବୋଳି ବେକରେ ଜୋତାମାଳ ପକାଇଥିଲେ । ପରେ ତାଙ୍କୁ ଗାଁ ରାସ୍ତାରେ ବୁଲାଇଥିଲେ । ଗାଁ ଲୋକେ ଏହାକୁ ମୋବାଇଲ୍ରେ କଏଦ୍ କରି ସୋସିଆଲ ମିଡିଆରେ ଭାଇରାଲ କରାଇଥିଲେ ।
ସୌଜନ୍ୟ ପ୍ରମେୟ




