AI Photo: AI ଫଟୋ ଖୋଲିଦେଲା ମିଛର ଗୁମର ! କୁମ୍ଭୀର ଆତଙ୍କ ଖେଳାଇ ୨ ଭାଇ ଗିରଫ

ଜୟପୁର, ୨।୯: ଆଜିକାଲିର ଡିଜିଟାଲ୍ ଯୁଗରେ ବହୁଳ ମାତ୍ରାରେ ଏଆଇର ଅପବ୍ୟବହାର ହେଉଥିବା ଦେଖାଯାଉଛି । ଏଆଇର ଅପବ୍ୟବହାର କିପରି ଆତଙ୍କ ଖେଳାଉଛି ଏବଂ ଆଇନଗତ ଅସୁବିଧା ସୃଷ୍ଟି କରୁଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ କୋରାପୁଟ ଜିଲ୍ଲାରୁ ସାମ୍ନାକୁ ଆସିଛି । ନଦୀରେ ୧୦ ଫୁଟିଆ ବିଶାଳକାୟ କୁମ୍ଭୀର ବୁଲୁଥିବା ନେଇ ଏକ ଏଆଇ ପ୍ରସ୍ତୁତି ନକଲି ଫଟୋ ସୋସିଆଲ ମିଡିଆରେ ଛାଡ଼ି ଭୟ ଓ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ବନ ବିଭାଗ ଦୁଇ ଭାଇଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଭାଇ ହେଲେ ବଡ଼ପଡ଼ା ଗାଁର ପୂର୍ଣ୍ଣ ଭୂମିଆ ଏବଂ ସୁରେନ୍ଦ୍ର ଭୂମିଆ ।
ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ବ୍ଲକ ଜୟନ୍ତଗିରି ପଞ୍ଚାୟତ ଅନ୍ତର୍ଗତ ବଡ଼ପଡ଼ା ନଦୀରେ ଏକ ୧୦ ଫୁଟିଆ ବିରାଟ କୁମ୍ଭୀର ବୁଲୁଥିବା ଦାବି କରି କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରାଯାଇଥିଲା । ଏହି ଫଟୋଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଶୀଘ୍ର ଭାଇରାଲ ହୋଇଥିଲା, ଫଳରେ ନଦୀକୁ ଗାଧୋଇବାକୁ କିମ୍ବା ମାଛ ଧରିବାକୁ ଯାଉଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଏବଂ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ୍ ହେବା ପରେ ବୋରିଗୁମ୍ମା ବନ ବିଭାଗର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଦୀ ଏବଂ ଏହାର ଆଖପାଖ ଅଞ୍ଚଳରେ ତଦନ୍ତ ଓ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ବନ ବିଭାଗ ଜାଣିବାକୁ ପାଇଲା ଯେ, ନଦୀରେ ପ୍ରକୃତରେ କୌଣସି କୁମ୍ଭୀର ନାହିଁ । ବରଂ ଏହା ଏଆଇ ଜରିଆରେ ପ୍ରସ୍ତୁତ କରାଯାଇଥିବା ଏକ ସମ୍ପୂର୍ଣ୍ଣ ନକଲି ଫଟୋ ଥିଲା ।
ସୌଜନ୍ୟ ପ୍ରମେୟ




