କାଠମାଣ୍ଡୁ: ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୧୩୦୦ରୁ ଅଧିକ ହୋଇଥିବାବେଳେ ପ୍ରାୟ ୫୦୦୦ ଲୋକ ଏବେ ବି ନିଖୋଜ ଅଛନ୍ତି। ନିଖୋଜଙ୍କ ପରିବାର ନିଜ ଲୋକଙ୍କ ଭାଗ୍ୟ ଜାଣିବା ପାଇଁ ଅପେକ୍ଷା କରିଥିବାବେଳେ ମୃତଦେହ ଚିହ୍ନଟରେ ଡିଏନ୍ଏ ପରୀକ୍ଷା ଏବେ ଶେଷ ଆଶା ପାଲଟିଛି।
ଅଗଷ୍ଟ ୨୬ରେ ନେପାଳ-ତିବ୍ବତ ସୀମା ନିକଟରେ ଗ୍ଲେସିୟର ଭୁଶୁଡ଼ି ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିଲା। ହିମାଳୟ ଅଞ୍ଚଳରୁ ଦକ୍ଷିଣକୁ ପ୍ରବାହିତ ଭୋଟେକୋଶୀ ନଦୀର ବନ୍ୟାଜଳ ଉତ୍ତର ଓ ମଧ୍ୟ ନେପାଳର ବହୁ ସହର ଓ ଗାଁକୁ ଭସାଇ ନେଇଥିଲା। ଘର, ଗାଡ଼ି, ରାସ୍ତା ଓ ବ୍ରିଜ୍ ସହ ଅନେକ ଜଳବିଦ୍ୟୁତ୍ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ବନ୍ୟାଜଳରେ ଭାସି ଆସିଥିବା ଅନେକ ମୃତଦେହ ଅତ୍ୟନ୍ତ ବିକୃତ ହୋଇଯାଇଛି। କେତେକ ଦେହ ଦୀର୍ଘ ସମୟ ପାଣି, କାଦୁଅ ଓ ଆବର୍ଜନା ମଧ୍ୟରେ ରହିବାରୁ ମୁହଁ, ପୋଷାକ କିମ୍ବା ଅନ୍ୟ ପରିଚୟ ଚିହ୍ନ ନଷ୍ଟ ହୋଇଛି। କେତେକ ମୃତଦେହର ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ଅଲଗା ହୋଇଯାଇଛି। ତେଣୁ ଚେହେରା, ପୋଷାକ, ଆଙ୍ଗୁଠିଛାପ କିମ୍ବା ଦାନ୍ତର ରେକର୍ଡ ଆଧାରରେ ଚିହ୍ନଟ କରିବା ସବୁବେଳେ ସମ୍ଭବ ହେଉନାହିଁ।
ନେପାଳ ପୁଲିସ ଏ ପର୍ଯ୍ୟନ୍ତ ୨୨୭୨ଟି ଡିଏନ୍ଏ ନମୁନା ସଂଗ୍ରହ କରିଛି। ସେଥିରୁ ୧୨୬୦ଟି ମୃତଦେହର ଏବଂ ୧୦୧୨ଟି ନିଖୋଜଙ୍କ ସମ୍ପର୍କୀୟଙ୍କର। ଡିଏନ୍ଏ ନମୁନା ସଂଗ୍ରହ ପରେ ୧୦୩୦ଟି ମୃତଦେହକୁ ସମାଧି ଦିଆଯାଇଛି। ସେଥିରେ ୨୨୨ ମହିଳା, ୩୫୫ ପୁରୁଷ ଥିବାବେଳେ ୪୫୩ ଜଣଙ୍କ ଲିଙ୍ଗ ଚିହ୍ନଟ ହୋଇପାରିନାହିଁ। ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୯୬ଟି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।
ସୌଜନ୍ୟ ସମ୍ବାଦ