ଦେଶ ବିଦେଶ

Health: ପଞ୍ଜାବରେ ପ୍ରଥମ ସନ୍ଦିଗ୍ଧ ସ୍ୱାଇନ୍‌ ଫ୍ଲୁ ମୃତ୍ୟୁ, ୨୨୦ ଏଚ୍‌୧ଏନ୍‌୧ ଆକ୍ରାନ୍ତ

ପଞ୍ଜାବରେ ଚଳିତ ବର୍ଷ ସ୍ୱାଇନ୍‌ ଫ୍ଲୁରେ ପ୍ରଥମ ସନ୍ଦିଗ୍ଧ ମୃତ୍ୟୁ ଘଟିଛି। ଜଲନ୍ଧରର ୮୫ ବର୍ଷୀୟ ମୂଲ ରାଜ ଏଚ୍‌୧ଏନ୍‌୧ ପଜିଟିଭ୍‌ ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ପ୍ରାଣ ହରାଇଛନ୍ତି। ଏଥିସହ ଚଳିତ ବର୍ଷ ରାଜ୍ୟରେ ଏଚ୍‌୧ଏନ୍‌୧ ଆକ୍ରାନ୍ତଙ୍କ ସଂଖ୍ୟା...

ଚଣ୍ଡୀଗଡ଼: ପଞ୍ଜାବରେ ଚଳିତ ବର୍ଷ ସ୍ୱାଇନ୍‌ ଫ୍ଲୁରେ ପ୍ରଥମ ସନ୍ଦିଗ୍ଧ ମୃତ୍ୟୁ ଘଟିଛି। ଜଲନ୍ଧରର ୮୫ ବର୍ଷୀୟ ମୂଲ ରାଜ ଏଚ୍‌୧ଏନ୍‌୧ ପଜିଟିଭ୍‌ ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ପ୍ରାଣ ହରାଇଛନ୍ତି। ଏଥିସହ ଚଳିତ ବର୍ଷ ରାଜ୍ୟରେ ଏଚ୍‌୧ଏନ୍‌୧ ଆକ୍ରାନ୍ତଙ୍କ ସଂଖ୍ୟା ୨୨୦ରେ ପହଞ୍ଚିଛି। ତେବେ ମୂଲ ରାଜଙ୍କ ମୃତ୍ୟୁର ପ୍ରତ୍ୟକ୍ଷ କାରଣ ସ୍ୱାଇନ୍‌ ଫ୍ଲୁ ବୋଲି ସ୍ୱାସ୍ଥ୍ୟ ବିଭାଗ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ। ଔପଚାରିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ଜଲନ୍ଧରର ବାସିନ୍ଦା ମୂଲ ରାଜ ଶ୍ୱାସକଷ୍ଟ ଯୋଗୁ ଜଲନ୍ଧର ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ଦୀର୍ଘଦିନରୁ କ୍ରନିକ୍‌ ଅବ୍‌ଷ୍ଟ୍ରକ୍ଟିଭ୍‌ ପଲ୍‌ମୋନାରି ଡିଜିଜ୍‌ ବା ସିଓପିଡି ଥିଲା। ସେପ୍ଟେମ୍ବର ୨ରେ ଅମୃତସରସ୍ଥିତ ସରକାରୀ ମେଡିକାଲ୍‌ କଲେଜରେ କରାଯାଇଥିବା ପରୀକ୍ଷାରେ ସେ ଏଚ୍‌୧ଏନ୍‌୧ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଶୁକ୍ରବାର ଜଲନ୍ଧର ସିଭିଲ୍‌ ହସ୍ପିଟାଲରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ବୟସ ଅଧିକ ହେବା ସହ ତାଙ୍କର ଅନ୍ୟାନ୍ୟ ରୋଗ ଥିବାରୁ ଏଚ୍‌୧ଏନ୍‌୧ ସଂକ୍ରମଣ ନା ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମୃତ୍ୟୁର କାରଣ, ତାହା ଏବେ ଯାଞ୍ଚ କରାଯାଉଛି।

ପଞ୍ଜାବ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ଜାନୁଆରିରୁ ଏପର୍ଯ୍ୟନ୍ତ ୧୫୧୩ ଜଣ ସନ୍ଦିଗ୍ଧ ସ୍ୱାଇନ୍‌ ଫ୍ଲୁ ରୋଗୀଙ୍କ ପରୀକ୍ଷା କରାଯାଇଛି। ସେଥିରୁ ୨୨୦ ଜଣ ଏଚ୍‌୧ଏନ୍‌୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଗୋଟିଏ ଦିନରେ ୧୪ଟି ନୂଆ ମାମଲା ଚିହ୍ନଟ ହୋଇଛି। ଅଗଷ୍ଟରୁ ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ଦେଖାଯାଇଛି। ଲୁଧିଆନାରେ ସର୍ବାଧିକ ୭୨ ମାମଲା ଥିବାବେଳେ ଏସ୍‌ଏଏସ୍‌ ନଗର (ମୋହାଲି)ରେ ୩୬, ପଟିଆଲାରେ ୧୬, ମୋଗାରେ ୧୧ ଓ ଜଲନ୍ଧରରେ ୧୦ ମାମଲା ରହିଛି। ରୂପନଗରରେ ୯ ଓ ଫାଜିଲ୍‌କାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକରେ ୨ରୁ ୮ ଜଣଙ୍କ ମଧ୍ୟରେ ଆକ୍ରାନ୍ତ ଅଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ବଲବୀର ସିଂହ କହିଛନ୍ତି, ପଞ୍ଜାବରେ ଚିହ୍ନଟ ହୋଇଥିବା ଏଚ୍‌୧ଏନ୍‌୧ ଭୂତାଣୁ କୌଣସି ନୂଆ ଭୂତାଣୁ ନୁହେଁ। ସରକାର ସ୍ଥିତି ଉପରେ ନଜର ରଖିବା ସହ ହସ୍ପିଟାଲଗୁଡ଼ିକରେ ଫ୍ଲୁ କର୍ଣ୍ଣର ଓ ଆଇସୋଲେସନ୍‌ ୟୁନିଟ୍‌ ସକ୍ରିୟ କରିଛନ୍ତି। ଲକ୍ଷଣ ଦେଖାଦେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବାକୁ ବିଭାଗ ପରାମର୍ଶ ଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ କହିଛି, ସାଧାରଣତଃ ସୁସ୍ଥ ବୟସ୍କଙ୍କଠାରେ ଏଚ୍‌୧ଏନ୍‌୧ ଏକ ଋତୁକାଳୀନ ଓ ଆପେ ଭଲ ହୋଇଯାଉଥିବା ସଂକ୍ରମଣ। ତେବେ ଛୋଟ ପିଲା, ବୟସ୍କ ଓ ପୂର୍ବରୁ ଅନ୍ୟ ରୋଗ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ସତର୍କତା ଆବଶ୍ୟକ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button