ରାଜ୍ୟ

Theft: କାମାକ୍ଷାନଗରରେ ବଡ଼ଧରଣର ଲୁଟ୍‌: ଘର କବାଟ ଭାଙ୍ଗି ୮୫ ହଜାର ନଗଦ ସହ ୭୪ ଗ୍ରାମ ସୁନା ଲୁଟ୍‌

କାମାକ୍ଷାନଗର ସହରର କଲେଜ ନିକଟରେ ଘର ଖାଲି ଥିବା ସୁଯୋଗ ନେଇ ଲୁଟ୍‌। କବାଟ ଭାଙ୍ଗି ଆଲମିରା ଓ ଗଡ଼ରେଜ୍‌ ଭାଙ୍ଗି ୮୫ ହଜାର ଟଙ୍କା ନଗଦ ସହ ପ୍ରାୟ ୭୪ ଗ୍ରାମ ସୁନା ଅଳଙ୍କାର ଲୁଟ୍‌। ପୁଲିସର ତଦନ୍ତ ଜାରି।

କାମାକ୍ଷାନଗର: କାମାକ୍ଷାନଗର ସହରରେ ଚୋରି ଓ ଲୁଟ୍‌ ଘଟଣାକୁ ନେଇ ପୁଣି ଚିନ୍ତା ବଢ଼ିଛି। କଲେଜ ନିକଟରେ ଥିବା ଏକ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ କବାଟ ଭାଙ୍ଗି ଘର ଭିତରେ ପଶିବା ସହ ଆଲମିରା ଓ ଗଡ଼ରେଜ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ କାମାକ୍ଷାନଗର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।କଲେଜ ନିକଟରେ ଘର କରି ରହୁଥିବା ଶିବରାମ ମହାକୁଡଙ୍କ ପତ୍ନୀ ଭାନୁପ୍ରିୟା ମହାକୁଡ ଅସୁସ୍ଥ ଥିବାରୁ ଗତକାଲି ଶିବରାମ ତାଙ୍କୁ ନେଇ ଭୁବନେଶ୍ୱର ମେଡିକାଲ ଯାଇଥିଲେ। ଏହି ସମୟରେ ଘରେ କେହି ନଥିଲେ।

ଘର ଖାଲି ଥିବାର ସୁଯୋଗ ନେଇ ଲୁଟେରାମାନେ ଘରର କବାଟ ଭାଙ୍ଗି ଭିତରକୁ ପଶିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଘର ଭିତରେ ଥିବା ଆଲମିରା ଓ ଗଡ଼ରେଜ୍‌ ମଧ୍ୟ ଭାଙ୍ଗିଥିବା ଜଣାପଡ଼ିଛି। ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗଅନୁଯାୟୀ, ଘରୁ ୮୫ ହଜାର ଟଙ୍କା ନଗଦ ସହ ପ୍ରାୟ ୭୪ ଗ୍ରାମ ସୁନା ଲୁଟ୍‌ ହୋଇଛି। ଲୁଟ୍‌ ହୋଇଥିବା ଅଳଙ୍କାର ମଧ୍ୟରେ ସୁନା ହାର, ରାଣୀହାର, ବ୍ରେସଲେଟ୍‌, ଦୁଇଟି ମୁଦି ଓ ଦୁଇଟି ଚୁଡ଼ି ରହିଥିବା ଅଭିଯୋଗରେ ଦର୍ଶାଯାଇଛି।ମେଡିକାଲରୁ ଫେରି ଶିବରାମ ଓ ତାଙ୍କ ପତ୍ନୀ ରାତି ପ୍ରାୟ ୮ଟା ୩୫ରେ ଘରେ ପହଞ୍ଚିବା ପରେ ଲୁଟ୍‌ ଘଟଣା ସାମ୍ନାକୁ ଆସିଥିଲା। ଘରର କବାଟ ଭଙ୍ଗା ଦେଖି ସନ୍ଦେହ ହେବା ପରେ ଘର ଭିତରକୁ ଯାଇ ଆଲମିରା ଓ ଗଡ଼ରେଜ୍‌ ଭଙ୍ଗା ଥିବା ଦେଖିଥିଲେ। ପରେ ଘରେ ରଖାଯାଇଥିବା ଟଙ୍କା ଓ ସୁନା ଅଳଙ୍କାର ନଥିବା ଜଣାପଡ଼ିଥିଲା।ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘର ଯାଞ୍ଚ କରିବା ସହ ତଦନ୍ତ ଚଳାଇଛି।

ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ

ଲୁଟେରାମାନେ କେଉଁ ପଥରେ ଆସିଥିଲେ ଏବଂ ଘଟଣା ପରେ କେଉଁ ଦିଗକୁ ଯାଇଛନ୍ତି, ସେନେଇ ତଦନ୍ତ କରାଯାଉଛି। ଆଖପାଖ ଅଞ୍ଚଳରେ ସିସିଟିଭି ଥିଲେ ତାହାର ଫୁଟେଜ୍‌ ଯାଞ୍ଚ କରି ଅଭିଯୁକ୍ତଙ୍କ ସମ୍ପର୍କରେ ସୁରାକ ପାଇବାକୁ ପୁଲିସ ଉଦ୍ୟମ କରୁଥିବା ଜଣାପଡ଼ିଛି।ତେବେ କାମାକ୍ଷାନଗର ଥାନା ଅଞ୍ଚଳରେ ଚୋରି ଓ ଲୁଟ୍‌ ଘଟଣା ନେଇ ସାଧାରଣରେ ଚିନ୍ତା ବଢ଼ୁଥିବା ବେଳେ ଏହି ଘଟଣା ପୋଲିସର ପାଟ୍ରୋଲିଂ ଓ ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି। ପୂର୍ବରୁ ଘଟିଥିବା କେତେକ ଚୋରି ଘଟଣାର ତଦନ୍ତର ଅଗ୍ରଗତି ନେଇ ମଧ୍ୟ ସ୍ଥାନୀୟ ମହଲରେ ପ୍ରଶ୍ନ ରହିଛି। ତେଣୁ ଏହି ଲୁଟ୍‌ ଘଟଣାରେ ଅଭିଯୁକ୍ତଙ୍କୁ କେବେ ଚିହ୍ନଟ କରାଯାଉଛି ଓ ଲୁଟ୍‌ ସାମଗ୍ରୀ ଉଦ୍ଧାର ହେଉଛି କି ନାହିଁ, ତାହା ଏବେ ଦେଖିବାର କଥା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button