ରାଜ୍ୟ

BJP Executive Meeting : ବିଜେପି କାର୍ଯ୍ୟକାରିଣୀ ବୈଠକରେ ନେତାଙ୍କୁ ଟାସ୍କ, ଦିନରାତି ପରିଶ୍ରମ କର, ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଅ

କଟକ, ୭/୯ : ଦୀର୍ଘ ଦିନ ବିରୋଧୀ ଦଳ ଆସନରେ ରହିଲେ । ବହୁ ଲଢ଼େଇ, ଆନ୍ଦୋଳନ ପରେ ଲୋକେ ଆମ ଉପରେ ଆସ୍ଥା ରଖି ଶାସନ ଭାର ଦେଲେ । ଏବେ ଆମ କାମକୁ ଜନସାଧାରଣ ସିସିଟିଭି ଭଳି ପ୍ରତି ମୂହୁର୍ତ୍ତରେ ଦେଖୁଛନ୍ତି । ତେଣୁ ଏବେ କାମ କରି ଦେଖାଇବାର ବେଳ । ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ଲୋକଙ୍କ ସେବା କରିବା । ସରକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା । ଏହାର ସୁଫଳ ନିଶ୍ଚିତ ମିଳିବ । ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଲୋକ ଆମକୁ ନିଶ୍ଚିତ ଜିତାଇବେ । ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ଦ୍ୱିତୀୟ ତଥା ଅନ୍ତିମ ଦିବସରେ ଯୋଗ ଦେଇ ଦଳର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍‌ ସନ୍ତୋଷ ଏଭଳି ମତ ବ୍ୟକ୍ତ କରିଛନ୍ତି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରି ଶ୍ରୀ ସନ୍ତୋଷ କହିଥିଲେ, ସାଧାରଣ ଲୋକେ ଆମ ଉପରେ ବିଶ୍ୱାସ ରଖି ଭୋଟ୍‌ ଦେଇଛନ୍ତି । ରାଜ୍ୟର ସବୁ ଲୋକ ଏବେ ଆମର । ସେ ଯେଉଁ ଦଳର ହେଲେ ବି ଆମେ ତାଙ୍କୁ ବିରୋଧ କରିବାନି । ମାତ୍ର ଯିଏ ଦେଶର ବିରୋଧ କରିବ ତାକୁ ବିରୋଧ କରିବା ଆମର ପ୍ରଥମ କର୍ତ୍ତବ୍ୟ । କିନ୍ତୁ ସରକାରରେ ଆସିବା ପରେ ଆମକୁ ଏବେ ଆଉ କ୍ଷମତା ଉପଭୋଗ କଥା ମୁଣ୍ଡରୁ ଦୂରେଇ ଦେବା ଦରକାର । ଯେଉଁମାନେ ସରକାରରେ ଅଛନ୍ତି ସେମାନେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଅନୁସରଣ କରି ନିରନ୍ତର କାମ କରି ଚାଲନ୍ତୁ । ନିଶ୍ଚିତ ଭାବେ ନିଜର ଓ ଦଳର ଲୋକପ୍ରିୟତା ବଢ଼ିବଢ଼ି ଚାଲିବ । ଏତେ ବଡ଼ ପଦରେ ରହି ମଧ୍ୟ ମୋଦିଜୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ଜଣେ ହେଲେ ବି ସମ୍ପର୍କୀୟଙ୍କୁ କ୍ଷମତାର ସ୍ୱାଦ ଚଖାଇ ଦେଇନାହାନ୍ତି । ତାଙ୍କର ସମସ୍ତ ପରିଜନ ସାଧାରଣ ଲୋକଙ୍କ ଭଳି ଚଳୁଛନ୍ତି । ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସାଧାରଣ ଲୋକ ଭଳି ଚଳୁଥିବାରୁ ତାଙ୍କୁ ରାଜ୍ୟବାସୀ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ବୋଲି କହୁଛନ୍ତି । ପୂର୍ବର ମୁଖ୍ୟମନ୍ତ୍ରୀଙ୍କ ସହିତ ତୁଳନା କରୁଛନ୍ତି । ମାତ୍ର ଆମର କିଛି ନେତା ସାମାନ୍ୟ କ୍ଷମତା ପାଇବା ମାତ୍ରେ ସେମାନଙ୍କର ଓ ସେମାନଙ୍କ ପରିବାର ଲୋକଙ୍କ ଅହଂକାର ବଢ଼ିଯାଉଛି । ଏଭଳି ଅହଂକାର ଭାବରୁ ନିଜକୁ ଦୂରେଇ ରଖିବାକୁ ହେବ । ତାହେଲେ ଲୋକଙ୍କ ପାଖରେ ଆମେ ଅଧିକରୁ ଅଧିକ ଆଦୃତ ହେବା । ୨୦୨୯ରେ ନିଶ୍ଚିତ ଆମେ ଦ୍ୱିତୀୟ ପାଳି ସରକାର ଗଢ଼ିବା ବୋଲି ଶ୍ରୀ ସନ୍ତୋଷ କହିଥିଲେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button