Odisha Cabinet: ରାଜ୍ୟ କ୍ୟାବିନେଟରେ ବଡ଼ ଘୋଷଣା, ୭.୫ ଲକ୍ଷ ହେକ୍ଟର ଜମିକୁ ସେଚ ସୁବିଧା, ଦକ୍ଷିଣ ଓଡ଼ିଶାରେ ନୂଆ ରାସ୍ତା କରିଡରକୁ ମଞ୍ଜୁରୀ

ଭୁବନେଶ୍ୱର,୦୮/୦୯: ସେଚ ଓ ପାନୀୟ ଜଳ ପାଇଁ କ୍ୟାବିନେଟରେ ବଡ଼ ପ୍ରକଳ୍ପ ଘୋଷଣା । ପାହାଡ଼ିଆ ଓ ଉଚ୍ଚ ଭୂମି ଅଞ୍ଚଳ, ପଶ୍ଚିମ ଓଡ଼ିଶା ଏବଂ କେବିକେ ଅଞ୍ଚଳରେ ସୌର ଓ ଅଣସୌର ପମ୍ପିଂ ବ୍ୟବସ୍ଥା ସହିତ ଗଭୀର ନଳକୂପ ସ୍ଥାପନ ହେବ । ବଢ଼ିବ ଜଳସେଚନ କ୍ଷମତା । ଆଗାମୀ ୫ ବର୍ଷ ଭିତରେ ଦେଢ଼ ଲକ୍ଷ ଗଭୀର ନଳକୂପ ସ୍ଥାପନ କରାଯିବ । ଏଥିରେ ସାଢ଼େ ୭ ଲକ୍ଷ ହେକ୍ଟର ଜମିରେ ଜଳସେଚନ କ୍ଷମତା ସୃଷ୍ଟି କରାଯିବ । ରାଜ୍ୟ ସରକାରଙ୍କ ନିଜସ୍ୱ ସମ୍ବଳରୁ ଏଥିପାଇଁ ୮୬୫୩ କୋଟି ଟଙ୍କା ବ୍ୟୟ କରାଯିବ । ୨୬ଟି ଜିଲ୍ଲାର ୨୫୬ଟି ବ୍ଲକରେ ଏହି ପ୍ରକଳ୍ପ ହେବ । କ୍ୟାବିନେଟ ଏଥିରେ ଅନୁମୋଦନ ପ୍ରଦାନ କରିଛି ।
ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଗାଁର ସମସ୍ତ ଜନବସତିରେ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟରେ ସଂଶୋଧିତ ବସୁଧା ଯୋଜନାକୁ ଅନୁମୋଦନ ମିଳିଛି । ୨୦୨୬ ୨୭ରୁ ୨୦୨୮-୨୯ ମଧ୍ୟରେ ଏହି ଯୋଜନା ପାଇଁ ୫୦୪୫ କୋଟି ଟଙ୍କାର ରାଜ୍ୟ ପାଣ୍ଠି ବ୍ୟୟବରାଦ କରାଯିବ । ବସୁଧା ଯୋଜନାରୁ ପୂର୍ବରୁ ବାଦ୍ ଥିବା ଜନବସତିକୁ ଏଥିରେ ପାଣି ସଂଯୋଗ ମିଳିବ ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବ । ପାନୀୟ ଜଳର ଗୁଣବତ୍ତା ବଢ଼ିବ । ଟେକ୍ନୋଲୋଜି ଆଧାରିତ ତଦାରଖ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ । ଏଥିପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମାର୍ଗଦର୍ଶିକା ପ୍ରସ୍ତୁତ କରିବ । ସେହିପରି ଓଡ଼ିଶାର ଜଳସେଚନ ପ୍ରକଳ୍ପରେ ପର୍ଯ୍ୟଟନ ସୁବିଧାର ବିକାଶ ପାଇଁ ବୋଇତ ଯୋଜନାକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଏଥିପାଇଁ ୫ ବର୍ଷରେ ୬୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ଜଳସେଚନ ସହ ଜଡ଼ିତ ଐତିହାସିକ କୋଠାବାଡ଼ି, ଐତିହ୍ୟ ସମ୍ପନ୍ନ ଜଳସେଚନ ପ୍ରକଳ୍ପର ସଂରକ୍ଷଣ ଓ ପୁନରୁଦ୍ଧାର କରାଯିବ ।
ସୌଜନ୍ୟ ପ୍ରମେୟ




