ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳ: କାଳୀୟକୁ ଦଳନ କଲେ ଶ୍ରୀଜଗନ୍ନାଥ, ଦୋଳମଣ୍ଡପ ସାହି ପକ୍ଷରୁ ଧେନୁକାସୁର ବଧ ପ୍ରସ୍ତାବ

ପୁରୀ, ୦୮/୦୯: ଶ୍ରୀମନ୍ଦିରରେ ଶମ୍ଭୁ ଏକାଦଶୀ ନୀତି ସମେତ ମହାପ୍ରଭୁଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହୋଇଛି । ସୋମବାର ରାତିରେ କାଳୀୟ ଦଳନ ବେଶରେ ପ୍ରକଟ ହୋଇଥିଲେ ଠାକୁରେ । ବିଷଧର କାଳୀୟ ନାଗ ଉପରେ ଶ୍ରୀଜଗନ୍ନାଥ ନୃତ୍ୟ କରୁଥିôଲେ । ସାତ ଫଣା ବିଶିଷ୍ଟ କାଳୀୟ ଶ୍ରୀଅଙ୍ଗକୁ ଆବୃତ କରିଥିଲା । କାଳୀୟ ନାଗର ପୁଛ (ଲାଞ୍ଜ)ଟି ମହାପ୍ରଭୁଙ୍କ ବାମ ହସ୍ତରେ ଥିଲା । ଡାହାଣ ହସ୍ତରେ ଠାକୁରେ ଅମୃତ ଲଡୁ ଧାରଣ କରିଥିଲେ । କାଳୀୟଦଳନ ବେଶରେ ସୁଶୋଭିତ ହୋଇ ରତ୍ନସିଂହାସନରେ ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ।
ଶ୍ରୀବିଗ୍ରହଙ୍କ ଏକାଦଶୀ ସର୍ବାଙ୍ଗ ସନ୍ଧ୍ୟା ୭ଟା ୪୦ରେ ଶେଷ ହୋଇଥିଲା । ପରେ ଠାକୁର କାଳୀୟ ଦଳନ ବେଶ ଆରମ୍ଭ ହୋଇଥିଲା । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ କାଠ ତିଆରି ହସ୍ତ ଓ ପାଦ ସଂଯୋଗ କରାଯାଇଥିଲା । ସର୍ପର ମସ୍ତକ ଉପରେ ମହାପ୍ରଭୁଙ୍କ ପାଦ ଦୁଇଟି ଥିଲା । ଠାକୁରଙ୍କ ଦୁଇ ପାଶ୍ୱର୍ରେ ପ୍ରାର୍ଥନା କରିବା ଭଙ୍ଗୀରେ ଦୁଇଟି ନାଗୁଣୀ ମୂର୍ତ୍ତି ରହିଥିଲେ । ଏହି ବେଶ ଅବସରରେ ଦେବୀ ସୁଭଦ୍ରାଙ୍କ କଳେବରରେ କିଛି ପରିବର୍ତ୍ତନ ହୋଇନଥିଲା । ବଳରାମଙ୍କ ଉଭୟ ପାଶ୍ୱର୍ରେ ଗାଈ ଓ ବାଛୁରୀ ସ୍ଥାନିତ ହୋଇଥିଲେ । ଶ୍ରୀକୃଷ୍ଣ ଲୀଳାରେ ପ୍ରଭୁ କାଳିନ୍ଦୀ ହ୍ରଦରେ ଭୟାବହ କାଳୀୟ ସର୍ପକୁ ଦଳି ଦମନ କରିଥିଲେ । ଏହାର ସ୍ମୃତିରେ ଭାଦ୍ରବ କୃଷ୍ଣ ଏକାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ ହୋଇଥିଲା ।
ଏହି ଅବସରରେ ୨ୟ ଭୋଗମଣ୍ଡପ ଶେଷ ପରେ ସନ୍ଧ୍ୟା ୬ଟା୧୦ ମିନିଟ୍ରେ ଠାକୁରଙ୍କ ପାଲିଙ୍କି ଉଠିଥିଲା । ଆଜ୍ଞାମାଳ ପାଇ ମଦନମୋହନ ଓ ରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ଲୋକନାଥ ରୋଡ଼ସ୍ଥିତ ଲବଣିଚୌରାରେ ବିଜେ ହୋଇଥିଲେ । ଗୋପାଙ୍ଗନା ଭାବେ ମହାଭୋଇ ସେବକ ଘର ମହିଳାମାନେ ଠାକୁରଙ୍କୁ ବନ୍ଦାପନା କରିଥିଲେ । ସେଠାରେ ଠାକୁରଙ୍କୁ ପନ୍ତି ଅର୍ପଣ କରାଯାଇଥିଲା । ଏପଟେ ମାର୍କଣ୍ଡ ପୁଷ୍କରିଣୀରେ ବିଜେ ହୋଇଥିଲେ ଠାକୁରେ । ସେଠାରେ ରାମକୃଷ୍ଣ ଓ ମଦନମୋହନ ବିଜେ ହୋଇ କାଳୀୟ ଦଳନ ନୀତି ସମ୍ପନ୍ନ ହୋଇଥିଲା । ଜନୈକ ପାଳିଆ ସେବକଙ୍କୁ ଅପେକ୍ଷା କରି ଠାକୁରଙ୍କ ନୀତିରେ କିଛି ସମୟ ବିଳମ୍ବ ହୋଇଥିବା ସୂଚନା ରହିଛି ।
ସୌଜନ୍ୟ ପ୍ରମେୟ




