Kalahandi: ବିଷବଳୟରେ କଳାହାଣ୍ଡି: ସାର ଓ କୀଟନାଶକ ବ୍ୟବହାରରେ ଓଡ଼ିଶା ହାରଠୁ ବଳିଗଲାଣି
ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ ନିର୍ମାଣ ପରେ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ପାଇଁ ଜଳସେଚନ ସୁବିଧା ହୋଇଥିଲା। ଜିଲ୍ଲାରେ ବ୍ୟାବସାୟିକ ଧାନ ଚାଷ ହେଉଛି। ଯେତିକି ଅଧିକ ଧାନ ଚାଷ ହେଉଛି, ସେହି ଅନୁପାତରେ ରାସାୟନିକ ସାର...

ଭବାନୀପାଟଣା (ଦେବେନ୍ଦ୍ର କୁମାର ବିଶି): ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ ନିର୍ମାଣ ପରେ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ପାଇଁ ଜଳସେଚନ ସୁବିଧା ହୋଇଥିଲା। ଜିଲ୍ଲାରେ ବ୍ୟାବସାୟିକ ଧାନ ଚାଷ ହେଉଛି। ଯେତିକି ଅଧିକ ଧାନ ଚାଷ ହେଉଛି, ସେହି ଅନୁପାତରେ ରାସାୟନିକ ସାର ଓ କୀଟନାଶକ ଔଷଧର ବ୍ୟବହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ କ୍ୟାନ୍ସର ଭଳି ରୋଗରେ ଲୋକେ ପୀଡ଼ିତ ହେଉଥିବା ସାଧାରଣରେ ଚିନ୍ତାର କାରଣ। ତଥ୍ୟ ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ୧୯୯୬ରୁ ୨୦୦୦ ମସିହା ପର୍ଯ୍ୟନ୍ତ ରାସାୟନିକ ସାର ହେକ୍ଟର ପିଛା ୨୩.୬୬ରୁ ୩୯.୮୫ କେଜି ବ୍ୟବହୃତ ହେଉଥିଲା। ଆଉ ୨୦୧୨ ମସିହା ବେଳକୁ ହେକ୍ଟର ପିଛା ୭୭.୨୨ କେଜି ସାର ବ୍ୟବହାର ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବିଗତ ୧୪ ବର୍ଷରେ ଏହାର ବ୍ୟବହାର ଆହୁରି ବୃଦ୍ଧି ପାଇବାରେ ଲାଗିଥିବାବେଳେ ବର୍ତ୍ତମାନ ହେକ୍ଟର ପିଛା ପ୍ରାୟ ୧୦୦ କେଜିରୁ ଅଧିକ ରହିଛି। ବର୍ତ୍ତମାନ କଳାହାଣ୍ଡିରେ ବର୍ଷକୁ ୧୦୪ ଟନ୍ରୁ ଅଧିକ କୀଟନାଶକ ଓ ୫୨ ହଜାର ଟନ୍ରୁ ଊର୍ଦ୍ଧ୍ବ ସାର ବ୍ୟବହାର ହେଉଛି।
ରାଜ୍ୟ ସରକାରଙ୍କ ୨୦୨୫-୨୬ ଅର୍ଥନୈତିକ ସର୍ଭେ ମୁତାବକ ୨୦୨୪-୨୫ ମସିହାରେ କଳାହାଣ୍ଡିରେ ୧୦୪.୪୬ ମେଟ୍ରିକ ଟନ୍ କୀଟନାଶକର ଟେକ୍ନିକାଲ ଗ୍ରେଡ୍ ଆକ୍ଟିଭ୍ ଇନ୍ଗ୍ରିଡିଏଣ୍ଟ ବ୍ୟବହାର କରାଯାଇଛି। ପ୍ରତି ହେକ୍ଟର ପିଛା କୀଟନାଶକ ବ୍ୟବହାର ୦.୨୮ କେଜି। ଏଥିରେ ନାଇଟ୍ରୋଜେନ୍ ସାର ୩୩୪୨୦ ଟନ୍, ଫସ୍ଫେଟିକ୍ ସାର ୧୪୮୭୦ ଟନ୍, ପଟାସିୟମ୍ ସାର ୩୯୫୦ ଟନ୍; ସମୁଦାୟ ପ୍ରାୟ ୫୨୨୪୦ ଟନ୍ ଏନ୍ପିକେ ସାର ବ୍ୟବହାର ହୋଇଛି। ଜିଲ୍ଲାରେ ସାର ବ୍ୟବହାର ହାର ହେକ୍ଟର ପିଛା ୮୦.୮୯ କେଜି ଥିବାବେଳେ ଓଡ଼ିଶାର ହାର ହେକ୍ଟର ପିଛା ୭୮.୧୯ କେଜି ରହିଛି। ଓଡ଼ିଶା ହାରଠୁ କଳାହାଣ୍ଡି ଜିଲ୍ଲା ହାର ଆଗରେ। ଜିଲ୍ଲାରେ ୨୦୨୪-୨୫ ମସିହାରେ ୪.୮୭ ହେକ୍ଟର ଚାଷ ହୋଇଥିବାବେଳେ ପ୍ରାୟ ୨.୫୬ ଲକ୍ଷ ହେକ୍ଟର ଧାନ, ପ୍ରାୟ ୭୨ ହଜାର ହେକ୍ଟର ଡାଲିଜାତୀୟ ଓ ଅନ୍ୟାନ୍ୟ ଫସଲ ଚାଷ କରାଯାଇଛି। ଜିଲ୍ଲାରେ ଏଥିଯୋଗୁଁ କ୍ୟାନ୍ସର ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।
ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ୨୦୨୫ ମସିହାରେ ୬୦୪ ଜଣ ରୋଗୀ ପାଲିଆଟିଭ କେୟାର ଚିକିତ୍ସିତ ହୋଇଥିବାବେଳେ ୧୨୪୮ ଜଣ ରୋଗୀଙ୍କ କେମୋଥେରାପି କରାଯାଇଥିଲା। ସେହିଭଳି ୧୪୭୫ ଜଣଙ୍କ କେମୋଥେରାପି ସାଇକିଲ ହୋଇଥିବାବେଳେ ୨୩୦୯ ଜଣ ରୋଗୀ ଓପିଡିରେ ଚିକିତ୍ସିତ ହୋଇଥିଲେ। ଜିଲ୍ଲାରେ ପ୍ରାୟ ୫ ହଜାର କ୍ୟାନ୍ସର ରୋଗୀ ଜିଲ୍ଲା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୩ଟି କ୍ୟାନ୍ସର କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଏହାବାଦ୍ ଜିଲ୍ଲା ଓ ରାଜ୍ୟ ବାହାରକୁ ବହୁ କ୍ୟାନ୍ସର ରୋଗୀ ଚିକିତ୍ସା ପାଇଁ ଯାଇଛନ୍ତି। ଗୋଟିଏ ପଟେ ଇନ୍ଦ୍ରାବତୀ ପ୍ରକଳ୍ପ ଓ ଅନ୍ୟ ଜଳସେଚନ ଉତ୍ସରୁ ପ୍ରାୟ ୩୪ ପ୍ରତିଶତ ଜମି ଜଳସେଚିତ ହୋଇଥିବାବେଳେ ମାତ୍ରାଧିକ ସାର ଓ କୀଟନାଶକ ବ୍ୟବହାର ଲୋକଙ୍କ ପାଇଁ ମୃତ୍ୟୁ ଡାକୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୈବିକ ଚାଷ ନିମନ୍ତେ ପ୍ରୋତ୍ସାହନ ଦେବା ସହ ଅତ୍ୟଧିକ ସାର ଓ କୀଟନାଶକ ବ୍ୟବହାରକୁ ରୋକିବା ପାଇଁ ଠୋସ ପଦକ୍ଷେପ ନେବାକୁ ଦାବି ହେଉଛି।
ସୌଜନ୍ୟ ସମ୍ବାଦ




