ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍

ବରଗଡ଼/ଭୁବନେଶ୍ବର:ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଅମ୍ବାପାଲିର ଭାଗୀରଥି ଭୋଇ (୬୫) ବୋଲି ଜଣାଯାଇଛି। ଗତ ୧୦ ଦିନ ହେଲା ସେ ଚିକିତ୍ସିତ ହେଉଥିଲେ। ତାଙ୍କର ବୁଧବାର ମୃତ୍ୟୁ ହୋଇଛି। ବରଗଡ଼ ଜିଲାରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୬ ମାସରେ ୧୧୦୦ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬୦ ଜଣଙ୍କ ରିପୋର୍ଟ ପଜିଟିଭ ବାହାରିଛି। ବିଶେଷକରି ଜମିବାଡ଼ିରେ କାମ କରୁଥିବା ସମୟରେ ଏପରି ଜୀବାଣୁ ଦ୍ୱାରା ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଅପରପକ୍ଷେ, ରାଜ୍ୟରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ କ୍ଲଷ୍ଟରକୁ ନେଇ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ଏହାକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଯେଉଁ ସ୍ଥାନରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହେଉଛି, ସେଠାକୁ ଡାକ୍ତରୀ ଦଳ ପଠାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ଆବଶ୍ୟକ ଚିକିତ୍ସା ଓ ନିରୀକ୍ଷଣ ବ୍ୟବସ୍ଥା ନିମନ୍ତେ ପଦେକ୍ଷପ ନିଆଯାଉଛି। ଏହାର ଚିକିତ୍ସା ଓ ନିୟନ୍ତ୍ରଣ ନିମନ୍ତେ ନିୟମାବଳୀ ମଧ୍ୟ ପ୍ରସ୍ତୁତ ହୋଇଛି। ଏହି ଆଧାରରେ ଚିହ୍ନଟ, ଚିକିତ୍ସା ଏବଂ ଆବଶ୍ୟକ ପ୍ରତିଷେଧମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସ୍କ୍ରବ୍ ଟାଇଫସ୍ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ, ସେଥିପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ସୌଜନ୍ୟ ସମାଜ




