ଦେଶ ବିଦେଶ

ମୋଦୀ-ପୁଟିନ ଦ୍ବିପାକ୍ଷିକ କଥାବାର୍ତ୍ତା ; ନିବିଡ଼ ସମ୍ପର୍କ, ଶକ୍ତି ସୁରକ୍ଷାକୁ ଗୁରୁତ୍ବ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆୟୋଜିତ ୧୮ଶ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ଆଜିର ଦ୍ବିପାକ୍ଷିକ କଥାବାର୍ତ୍ତାରେ ଦୁଇ ନେତା ରାଜନୈତିକ, ଅର୍ଥନୈତିକ, ପ୍ରତିରକ୍ଷା, ଶକ୍ତି, ମହାକାଶ କ୍ଷେତ୍ରରେ ସହଯୋଗ ଓ ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସହଯୋଗର ଅଗ୍ରଗତିର ସମୀକ୍ଷା କରିଥିଲେ। ସେପ୍ଟେମ୍ବର ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ରୁଷର ଅନ୍ତର୍ଜାତୀୟ ଶିଳ୍ପ ପ୍ରଦର୍ଶନୀ ‘ଇନୋପ୍ରୋମ୍ ଇଣ୍ଡିଆ’କୁ ସେମାନେ ସ୍ୱାଗତ କରିବା ସହ ବ୍ୟାବସାୟିକ ଓ ଶକ୍ତି ସମ୍ପର୍କକୁ ଆହୁରି ବିସ୍ତାର କରିବାରେ ଗୁରୁତ୍ୱ ଦେଇଥିଲେ। ଦୁଇ ନେତା ‘ଇନୋପ୍ରୋମ୍ ଇଣ୍ଡିଆ’ ପ୍ରଦର୍ଶନୀ ବୁଲି ଦେଖିବା ସହ ଏଥିରେ ଭାଗ ନେଇଥିବା ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ସେହିପରି ପଶ୍ଚିମ ଏସିଆ ଓ କୃଷ୍ଣସାଗର ଅଞ୍ଚଳରେ ଲାଗିରହିଥିବା ସଂଘର୍ଷ ଯାହା ସାମୁଦ୍ରିକ ବାଣିଜ୍ୟ ଏବଂ ଭାରତୀୟ ନାବିକମାନଙ୍କ ସୁରକ୍ଷାକୁ ପ୍ରଭାବିତ କରିଛି, ସେହିସବୁ ପାରସ୍ପରିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ସେମାନେ ଆଲୋଚନା କରିଥିଲେ। ୟୁକ୍ରେନ ସହ ଚାଲିଥିବା ଅସମାପ୍ତ ଯୁଦ୍ଧକୁ ସମାପ୍ତ କରିବାକୁ ମୋଦୀ ପୁଟିନଙ୍କୁ ପରାମର୍ଶ ଦେଇଥିଲେ। ମୋଦୀ ଦୋହରାଇଥିଲେ ଯେ ଆଲୋଚନା ଓ କୂଟନୀତି ହିଁ ସଂଘର୍ଷର ସମାଧାନର ଏକମାତ୍ର ପଥ। ତେଣୁ ୟୁକ୍ରେନ ସହ ଶାନ୍ତି କଥାବାର୍ତ୍ତା କରିବା ଲାଗି ପୁଟିନଙ୍କୁ ମୋଦୀ ନିବେଦନ କରିଥିଲେ। ଆଉ ଏହି ଶାନ୍ତି ପ୍ରଚେଷ୍ଟାରେ ଭାରତ ସହଯୋଗ କରିବାକୁ ସଦାସର୍ବଦା ପ୍ରସ୍ତୁତ ଅଛି ବୋଲି ମୋଦୀ କହିଥିଲେ।
ଉଭୟ ଦେଶ ମଧ୍ୟରେ ଥିବା ‘ବିଶେଷ ଏବଂ ପ୍ରାଥମିକତାପ୍ରାପ୍ତ ରଣନୈତିକ ଭାଗିଦାରୀ’କୁ ଆହୁରି ସୁଦୃଢ଼ କରିବା ପାଇଁ ଏକତ୍ର କାର୍ଯ୍ୟ କରିବାକୁ ଦୁଇ ନେତା ସମ୍ମତି ପ୍ରକାଶ କରିଥିଲେ। ଏହା ଭୂ-ରାଜନୈତିକ ଅନିଶ୍ଚିତତା ସତ୍ତ୍ୱେ ନିରନ୍ତର ବୃଦ୍ଧି ଓ ସୁଦୃଢ଼ତା ପ୍ରଦର୍ଶନ କରିଆସିଛି। ରାଷ୍ଟ୍ରପତି ପୁଟିନ ୨୪ଶ ଭାରତ-ରୁଷ ବାର୍ଷିକ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ରୁଷ ଗସ୍ତ କରିବାକୁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ନିମନ୍ତ୍ରଣକୁ ସହର୍ଷ ଗ୍ରହଣ କରିଥିଲେ। କୂଟନୈତିକ ସ୍ତରରେ ଆଲୋଚନା ମାଧ୍ୟମରେ ଉଭୟଙ୍କ ସୁବିଧା ଅନୁସାରେ ସମ୍ମିଳନୀର ତାରିଖ ନିର୍ଦ୍ଧାରଣ କରାଯିବ। ଚଳିତ ବର୍ଷ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଏହା ଦ୍ୱିତୀୟ ସାକ୍ଷାତ ଥିଲା। ଏହା ପୂର୍ବରୁ ଅଗଷ୍ଟ ୩୧ରେ ବିସ୍‌କେକ୍‌ରେ ଅନୁଷ୍ଠିତ ୨୬ତମ ଏସସିଓ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button