ପେଜେସକିଆନଙ୍କୁ ମୋଦୀଙ୍କ ପରାମର୍ଶ ; ପଶ୍ଚିମ ଏସିଆର ଶାନ୍ତିପୂର୍ଣ୍ଣ ସମାଧାନ କର

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଅନୁଷ୍ଠିତ ବୈଠକରେ ପଶ୍ଚିମ ଏସିଆର ଚାଲିଥିବା ଗମ୍ଭୀର ସଙ୍କଟ ଉପରେ ଉଭୟ ଆଲୋଚନା କରିଥିଲେ। ଭାରତ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ କୂଟନୈତିକ ଆଲୋଚନା ଓ ସାମୁଦ୍ରିକ ମାର୍ଗଗୁଡ଼ିକର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛି। ଦୁଇ ନେତା ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ହିଂସା ଓ ଉତ୍ତେଜନା ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି ଯେ କୌଣସି ବିବାଦର ସମାଧାନ ଯୁଦ୍ଧ ମାଧ୍ୟମରେ ସମ୍ଭବ ନୁହେଁ। କେବଳ ଶାନ୍ତିପୂର୍ଣ୍ଣ ଆଲୋଚନା ଏବଂ କୂଟନୈତିକ ପନ୍ଥା ମାଧ୍ୟମରେ ହିଁ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରାଯାଇପାରିବ। ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ସାମୁଦ୍ରିକ ବାଣିଜ୍ୟ ଓ ନାବିକମାନଙ୍କ ସୁରକ୍ଷା ପ୍ରତି ଆହ୍ୱାନ ସୃଷ୍ଟି ହୋଇଥିବାରୁ, ସମୁଦ୍ର ଯାତାୟାତର ସ୍ୱାଧୀନତା ଏବଂ ଯୋଗାଣ ଶୃଙ୍ଖଳା ସୁରକ୍ଷିତ ରଖିବା ପାଇଁ ଭାରତ ଆହ୍ୱାନ ଜଣାଇଛି। ଆଲୋଚନା ସମୟରେ ଚାବାହାର ବନ୍ଦରର ବିକାଶ ଓ ଆଞ୍ଚଳିକ ସଂଯୋଗୀକରଣକୁ ଆହୁରି ମଜଭୁତ କରିବା ନେଇ ଦୁଇ ନେତା ସମ୍ମତି ପ୍ରକାଶ କରିଛନ୍ତି। ଦୁଇ ସପ୍ତାହରୁ କମ୍ ସମୟ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଏହା ଦ୍ୱିତୀୟ ସାକ୍ଷାତକାର ଥିଲା। ଏହାପୂର୍ବରୁ ୩୧ ଅଗଷ୍ଟରେ ବିସ୍କେକ୍ରେ ଅନୁଷ୍ଠିତ ଏସ୍ସିଓ ସମ୍ମିଳନୀ ଅବସରରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା।
ସୌଜନ୍ୟ ସମାଜ




