Bali Jatra Scam: ବାଲିଯାତ୍ରା ଖର୍ଚ୍ଚରେ ନାହିଁ ନିୟନ୍ତ୍ରଣ; ବିନା ଟେଣ୍ଡରରେ ଇଭେଣ୍ଟ୍ ସଂସ୍ଥାକୁ କାମ, କଳାକାର ଆଣିବାରେ ବ୍ୟାପକ ହରିଲୁଟ୍!

କଟକ,୧୫/୦୯: କଟକ ବାଲିଯାତ୍ରା ଆୟୋଜନର ସିଂହଭାଗ ଅର୍ଥ କେବଳ ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ସଂସ୍ଥା ହାତକୁ ଚାଲିଯାଉଛି । ଫଳରେ ଏବେ ବାଲିଯାତ୍ରା ପରିଚାଳନା ଦାୟିତ୍ୱ ନେବା ପାଇଁ ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ସଂସ୍ଥାଙ୍କ ଭିତରେ ଯେତିକି ପ୍ରତିଯୋଗିତା ହେଉଛି, ନିଜ ପସନ୍ଦର ସଂସ୍ଥାକୁ କାମ ଦେବା ପାଇଁ ପ୍ରଶାସନିକ ସ୍ତରରେ ବି ସେତିକି ପ୍ରତିଯୋଗିତା ଚାଲିଛି ।
ବାଲିଯାତ୍ରା ଆୟୋଜନରୁ ବ୍ୟକ୍ତିଗତ ଫାଇଦା ହାସଲ ପାଇଁ ନିଜସ୍ୱ ପସନ୍ଦର ସଂସ୍ଥାକୁ ବିନା ଟେଣ୍ଡରେ କାମ ଟେକ ଦେବା ନେଇ ଭିତିରିଆ ଯୋଜନା କରାଯାଉଥିବା ଅଭିଯୋଗ ହେଉଛି । ବାଲିଯାତ୍ରା ଖର୍ଚ୍ଚ ଉପରେ ରାଜ୍ୟ ସରକାରଙ୍କର କୌଣସି ନିୟନ୍ତ୍ରଣ ନଥିବାରୁ ଜିଲ୍ଲାର କିଛି ପ୍ରଶାସନିକ ଅଧିକାରୀଙ୍କ ପାଇଁ ଏହା ହରିଲୁଟ୍ର ମାଧ୍ୟମ ପାଲଟିଥିବା ଚର୍ଚ୍ଚା ଚାଲିଛି । ପୂର୍ବରୁ ବାଲିଯାତ୍ରା ଆୟୋଜନ ଦାୟିତ୍ୱ ପ୍ରଶାସନ ନିଜ ହାତରେ ରଖୁଥିଲା । ତେବେ କିଛି ବର୍ଷ ହେଲାଣି ବାଲିଯାତ୍ରାର ଅଧିକାଂଶ କାର୍ଯ୍ୟ ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ସଂସ୍ଥା ଜରିଆରେ କରାଯାଉଛି । ବାଲିଯାତ୍ରାକୁ ବଲିଉଡ୍ର କଳାକାରମାନଙ୍କୁ ଆଣିବା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଷ୍ଟେଜ ପ୍ରସ୍ତୁତି, ଆଲୋକୀକରଣ, ସାଉଣ୍ଡ ବ୍ୟବସ୍ଥା, ବ୍ୟାରିକେଡିଂ, ସୋସିଆଲ ପରିଚାଳନା, ସାଜସଜ୍ଜା ଆଦି ଅଧିକାଂଶ ବ୍ୟୟବହୁଳ କାମ ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ସଂସ୍ଥା କରୁଛି ।
ଗତବର୍ଷ କେବଳ ବଲିଉଡ କଳାକାରଙ୍କୁ ଆଣିବା, ବିଭିନ୍ନ ରାଜ୍ୟରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରାୟ ସାଢ଼େ ୪କୋଟି ଟଙ୍କା ନେଇଥିଲା ଇଭେଣ୍ଟ ସଂସ୍ଥା । ବଲିଉଡ୍ ଗାୟିକା ଶ୍ରେୟା ଘୋଷାଲଙ୍କ ପାଇଁ ଦୁଇ କୋଟି ଖର୍ଚ୍ଚ କରାଯାଇଛି । କିନ୍ତୁ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମକୁ ସାଧାରଣ ଲୋକେ ଉପଭୋଗ କରିବା ତ’ ଦୂରର କଥା ବାଲିଯାତ୍ରା ପଡ଼ିଆରେ ପହଞ୍ଚି ପାରିନଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଯେଉଁ ପାସ୍ ବ୍ୟବସ୍ଥା ହୋଇଥିଲା ସେଥିରେ ମଧ୍ୟ ବ୍ୟାପକ କେଳେଙ୍କାରୀ ହୋଇଥିବା ଅଭିଯୋଗ ହୋଇଥିଲା । ଜିଲ୍ଲା ପ୍ରଶାସନର ଅଧିକାରୀମାନେ ନିଜ ଭିତରେ ଏହି ପାସ୍କୁ ବାଣ୍ଟିନେବା ସହ ଆଉ କିଛି ବଡ଼ବଡ଼ିଆଙ୍କୁ ଦେଇଥିଲେ । ଫଳରେ ଯେଉଁ କଳାକାରଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲା ସେହି କଳାକାରଙ୍କୁ ସାଧାରଣ ଲୋକେ ଦୂରରୁ ମଧ୍ୟ ଦେଖିପାରିଲେ ନାହିଁ । ପରିଚାଳନା ତଥା ପାସ୍ କେଳେଙ୍କାରୀ କାରଣରୁ ହଜାର ହଜାର ଲୋକ ହୀନସ୍ତା ହୋଇ ଫେରିଲେ ।
ସୌଜନ୍ୟ ପ୍ରମେୟ




