Bull Missing : ୪ ଦିନ ହେଲା ମିଳୁନି ଷଣ୍ଢ, ନନ୍ଦୁ ବାବାଙ୍କୁ ଖୋଜି ଆଣିବା ଦାବିରେ ଗ୍ରାମବାସୀଙ୍କ ଧାରଣା

ସାଲେପୁର, ୧୫/୯ : ଆଖପାଖ ଗାଁ ସମେତ ବିଭିନ୍ନ ବଜାରରେ ବହୁ ଖୋଜାଖୋଜି କଲୁ, ହେଲେ ନନ୍ଦୁବାବାଙ୍କ କିଛି ସନ୍ଧାନ ମିଳିଲା ନାହିଁ । ୪ ଦିନ ହେଲା ନନ୍ଦୁବାବାଙ୍କୁ ନ ଦେଖି ଗାଁର ଛୋଟ ପିଲାଙ୍କଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ । ତାଙ୍କୁ କେହି ଅପହରଣ କରିଥିବା ନେଇ ସାଲେପୁର ଥାନାରେ ଅଭିଯୋଗ କରିବା ସହ ନନ୍ଦୁବାବାଙ୍କୁ ତୁରନ୍ତ ଫେରାଇ ଆଣିବା ଦାବିରେ ସ୍ଥାନୀୟ ମଙ୍ଗଳା ମନ୍ଦିର ସମ୍ମୁଖରେ ଧାରଣା ଦେଇଛନ୍ତି ଗ୍ରାମବାସୀ । ଗୋଟିଏ ଛୋଟ ବୁଲା ଷଣ୍ଡ ପ୍ରତି ଗ୍ରାମବାସୀଙ୍କ ଏତେ ଭଲ ପାଇବା କଟକ ଜିଲ୍ଲା ସାଲେପୁର ଥାନା ଦହପଡ଼ା ଗାଁରେ ଦେଖିବାକୁ ମିଳିଛି । ଯାହା ସ୍ଥାନୀୟ ପୁଲିସ ସମେତ ପଶୁପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସୂଚନା ମୁତାବକ, ଦୀର୍ଘ ଦିନ ହେବ ଏକ ଛୋଟ ବୁଲାଷଣ୍ଢକୁ ଦହପଡ଼ା ଗ୍ରାମବାସୀ ଅତି ଆଦରରେ ନନ୍ଦୁବାବା ବୋଲି ଡାକୁଥିଲେ । ପୂଜାପର୍ବରେ ବୁଲାଷଣ୍ଢଟିର ପୂଜାର୍ଚ୍ଚନା ମଧ୍ୟ କରୁଥିଲେ । ଗାଁର ପ୍ରତି ଘରେ ତାକୁ ଖାଇବାକୁ ଦେବା ସହ ମହାଦେବଙ୍କ ପରମ ଭକ୍ତ ବୋଲି ମାନି ନେଇଥିଲେ । ହେଲେ ବିଗତ ୪ ଦିନ ହେଲା ନନ୍ଦୁବାବାଙ୍କୁ ଲୋକେ ନ ଦେଖି ଚିନ୍ତାରେ । ଆଖପାଖ ଗାଁ ଓ ବଜାର ଆଦି ଖୋଖୋଜି କରିବା ପରେ ମଧ୍ୟ ଷଣ୍ଢର କୌଣସି ସନ୍ଧାନ ପାଇ ନଥିଲେ । ନନ୍ଦୁବାବାଙ୍କୁ ଖୋଜି ଆଣିବା ଦାବିରେ ବ୍ୟାନର ଲଗାଇ ମଙ୍ଗଳା ମନ୍ଦିର ସମ୍ମୁଖରେ ଗାଁର କୁନିପିଲାଙ୍କଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୌଜନ୍ୟ ପ୍ରମେୟ




