୩ ବର୍ଷରେ ଫ୍ଲାଟ ଦାମ ଦି’ଗୁଣା, ୨ ବିଏଚ୍କେ ଦାମ୍ ୯୬ ଲକ୍ଷ, ମଲା ଯାଏଁ ବି ଶୁଝିବନି ଋଣ… ସରକାରଙ୍କ ପାଇଁ ମଧ୍ୟବିତ୍ତର ସଂଜ୍ଞା କ’ଣ ?

ଭୁବନେଶ୍ୱର, ୧୬/୯ (ଅନୀଲକାନ୍ତ ଦାସ) : ପ୍ରକଳ୍ପ ନିର୍ମାଣ ପାଇଁ ମାଗଣାରେ ସରକାରୀ ଜମି ଦେଲେ । ସରକାରୀ ପାଣି ନେଲେ । ଲୋକଙ୍କ ଟିକସ ପଇସାରେ ବିରାଟ ଅଟ୍ଟାଳିକା ଠିଆ ହେଲା । ଏବେ ଲୋକଙ୍କୁ ଫ୍ଲାଟ ବିକିଲାବେଳକୁ ବିଲ୍ଡରଠୁ ଅଧିକ ଶୋଷୁଛି ବିଡିଏ । ଦୁଇଟି କୋଠରୀ ବିଶିଷ୍ଟ (୨ ବିଏଚ୍କେ ପ୍ଲସ୍ ଷ୍ଟଡିରୁମ୍) ଫ୍ଲାଟ ଦାମ୍ ୯୬ ଲକ୍ଷ । ପାଖାପାଖି କୋଟିଏ ଟଙ୍କା । ବିଡିଏର ଏହି ଦାମ୍ ଶୁଣିଲେ ସାଧାରଣ ଲୋକଙ୍କ ହୋସ୍ ଉଡ଼ିଯାଉଛି । ଦୁଇଟି କୋଠରୀ ବିଶିଷ୍ଟ (୨ ବିଏଚ୍କେ) ଫ୍ଲାଟ, ଦାମ୍ ୭୮ ଲକ୍ଷ ଟଙ୍କା । ଘର ନିର୍ମାଣବେଳେ ଉଦ୍ଦେଶ୍ୟ ଥିଲା ମଧ୍ୟବିତ୍ତଙ୍କୁ ସୁଲଭ ମୂଲ୍ୟରେ ଫ୍ଲାଟ ଯୋଗାଇବା । ସରକାରଙ୍କ ପାଇଁ କ’ଣ ସୁଲଭ ମୂଲ୍ୟ ୭୮ ଲକ୍ଷ ? ଯଦି ଜଣେ ଏଥିପାଇଁ ଗୃହ ଋଣ ଉଠାଇବ, ଇଏମଆଇ ବାବଦରେ ମାସକୁ ୨୦ ହଜାର ଗଣିଲେ ଋଣ ସୁଝିବାକୁ ୪୦ ବର୍ଷ ଲାଗିଯିବ । ସେ ପର୍ଯ୍ୟନ୍ତ ଜଣେ ବଞ୍ଚିଲେ ହେଲା ?
ଓଡ଼ିଶାରେ ମୁଣ୍ଡ ପିଛା ଆୟ ବର୍ଷକୁ ୧ ଲକ୍ଷ ୮୪ ହଜାର ଟଙ୍କା । ଏମିତିରେ କେଉଁ ସାଧାରଣ ଲୋକଟିଏ ୭୮ ଲକ୍ଷରୁ ୯୬ ଲକ୍ଷ ଟଙ୍କା ଦେଇ ଘର ଖଣ୍ଡିଏ କିଣି ପାରିବେ ବିଡିଏଠାରୁ । ଲୋକେ ପଚାରୁଛନ୍ତି, ଏଇଟା ବିଡିଏ ନା ବେପାରୀ ସଂସ୍ଥା ? ବିଡିଏ ସତରେ ଭୁବନେଶ୍ୱର ଡେଭେଲପମେଣ୍ଟ ଅଥରିଟି ନା ବିଜିନେସ ଡେଭେଲପମେଣ୍ଟ ଅଥରିଟି ? ବିଲ୍ଡରଙ୍କଠାରୁ ବି ବଳିଯାଇଛି ବିଡିଏ ଶୋଷଣ । ୩ ବର୍ଷ ଭିତରେ ଭୁବନେଶ୍ୱରରେ ଫ୍ଲାଟ ଦାମକୁ ୨ ଗୁଣାରୁ ଅଧିକ ବଢ଼ାଇ ଦେଇଛି ବିଡିଏ । ହେଲେ କେଉଁ ଆଧାରରେ ବିଡିଏ ଏଭଳି ମନମାନି କରୁଛି ? ଲୋକଙ୍କୁ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଇବାକୁ ବିଡିଏ ହାଉସିଂ ପ୍ରକଳ୍ପ କରୁଛି ନା ବେପାର ପାଇଁ ? ସରକାର କ’ଣ ଜନତାଙ୍କୁ ଲୁଟିବାକୁ ବିଡିଏକୁ ଦାୟିତ୍ୱ ଦେଇଛନ୍ତି ? ଏ ପ୍ରଶ୍ନ ଏବେ ସାଧାରଣ ଲୋକେ ପଚାରୁଛନ୍ତି ।
ବିଡିଏ ପକ୍ଷରୁ ୨୦୨୩-୨୪ ମସିହାରେ କଳିଙ୍ଗନଗର ଦୟା ଏନ୍କ୍ଲେଭ ପ୍ରକଳ୍ପ ନିର୍ମାଣ ହୋଇଥିଲା । ଏଥିରେ ୧୨୮ଟି ଦୁଇ କୋଠରୀ ବିଶିଷ୍ଟ (୨-ବିଏଚ୍କେ) ଘର ୪୯.୬ ଲକ୍ଷରୁ ୫୧.୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା । ଏହାର କାର୍ପେଟ ଅଞ୍ଚଳ ୬୩୮ ବର୍ଗଫୁଟ । ୨୦୨୧ ମସିହାରେ ପାଇକରାପୁର ପ୍ରକଳ୍ପରେ ୩୩୬ଟି ଫ୍ଲାଟ ବିକ୍ରି କରିଥିଲା ବିଡିଏ । ଫ୍ଲାଟ ଦାମ୍ ଥିଲା ୩୪.୪୮ ଲକ୍ଷରୁ ୩୯.୦୫ ଲକ୍ଷ ଟଙ୍କା । ୧୨୫୯ ବର୍ଗଫୁଟ ଜାଗାରେ ଫ୍ଲାଟ ରହିଥିଲା । ସୁବୁଦ୍ଧିପୁର ପହଞ୍ଚିଲାବେଳକୁ ବିଡିଏ ଦେହରେ ଯେମିତି ରିୟଲ ଇଷ୍ଟେଟ ବିଲ୍ଡର ଆତ୍ମା ପଶିଗଲା । ଅଚାନକ ବଢ଼ିଗଲା ଫ୍ଲାଟ ଦାମ୍ । ଏକାମ୍ର ରେଡିଡେନ୍ସି ପ୍ରକଳ୍ପରେ ବିଡିଏ ପକ୍ଷରୁ ୨ ବିଏଚ୍କ୍ମେ ଷ୍ଟଡି ରୁମ୍ ଦର ୯୬ ଲକ୍ଷ ଟଙ୍କା ନିର୍ଦ୍ଧାରଣ ହୋଇଛି । ୨ ବିଏଚ୍କେ ଫ୍ଲାଟ ଦର ୭୮ରୁ ୮୨ ଲକ୍ଷ । ନିଜ ମନ ମୁତାବକ ଫ୍ଲୋର ଚାହିଁଲେ ଅତିରିକ୍ତ ମୂଲ୍ୟ ଗଣିବାକୁ ପଡ଼ିବ । ଏଠାରେ କାର୍ପେଟ ଏରିଆ ମାତ୍ର ୬୬୫ ବର୍ଗଫୁଟରୁ ୯୨୫ ବର୍ଗଫୁଟ । କମ୍ କାର୍ପେଟ ଏରିଆରେ ପ୍ରକଳ୍ପ ଦର କାହିଁକି ଆକାଶଛୁଆଁ କରାଯାଇଛି ? ଏହି ପ୍ରକଳ୍ପ ନିର୍ମାଣ କରିବାକୁ ସାଧାରଣ ପ୍ରଶାସନ (ଜିଏ) ବିଡିଏକୁ ସୁବୁଦ୍ଧିପୁରରେ ମାଗଣାରେ ୭.୫୩ ଏକର ଜମି ଦେଇଥିଲା । ମୂଳ ଉଦ୍ଦେଶ୍ୟ ଥିଲା ଯେ, ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ସୁଲଭ ମୁଲ୍ୟରେ ଘର ଯୋଗାଇବା । ଏ ନେଇ ବିଡିଏ ପକ୍ଷରୁ ଘର ନିର୍ମାଣ କରାଯାଇଥିଲା । ୨୬୫ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଲା ନଭଶ୍ଚୁମ୍ଭୀ କୋଠା । ବିଡିଏ ପକ୍ଷରୁ ତିନୋଟି ଟାୱାରରେ ୪୧୬ଟି ଦୁଇ ଶୟନ କକ୍ଷ ବିଶିଷ୍ଟ ଗୃହ (୨ ବିଏଚ୍କେ) ଓ ୨୮୮ଟି ତିନି ଶୟନକକ୍ଷ ବିଶିଷ୍ଟ ଫ୍ଲାଟ୍ (୩ ବିଏଚ୍କେ) ରହିଛି ।
ସୌଜନ୍ୟ ପ୍ରମେୟ




