Utkal Sangeet Mahavidyalaya: ନୃତ୍ୟ-ସଙ୍ଗୀତରୁ ଦୂରେଇଲେ ଯୁବପିଢ଼ି ! ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଖାଲି ପଡ଼ିଛି ସିଟ୍

ଭୁବନେଶ୍ୱର, ୧୬।୯: କଳା ଶିକ୍ଷାରେ ଯୁବପିଢ଼ିଙ୍କ ଆଗ୍ରହ ନାହିଁ । ନୃତ୍ୟ, ସଙ୍ଗୀତ ପ୍ରତି ଆକର୍ଷଣ କମିଲାଣି । ଯାହା ରାଜ୍ୟର ଏକମାତ୍ର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ରେକର୍ଡ କହୁଛି । ବର୍ଷକୁ ବର୍ଷ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମି କମି ଚାଲିଛି । ମହାବିଦ୍ୟାଳୟରେ ବେହେଲା, ପଖାଉଜରେ ଜଣେ ଗୁରୁଙ୍କୁ ଜଣେ ଛାତ୍ର ନାମ ଲେଖାଇଛନ୍ତି । ସମୃଦ୍ଧ କଳା, ସଂସ୍କୃତି ପାଇଁ ଓଡ଼ିଶା ବିଶ୍ୱରେ ବିଖ୍ୟାତ । ରାଜ୍ୟରେ ଐତିହ୍ୟ ସମ୍ପନ୍ନ କଳିଙ୍ଗ କଳା ଶୈଳୀଠୁ ନେଇ ବହୁତ ପ୍ରକାରର କଳା ଅଛି । ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀରୁ ଲୋକନୃତ୍ୟ ଏବଂ ଓଡ଼ିଶୀ ସଙ୍ଗୀତରୁ ପରମ୍ପରିକ ସଙ୍ଗୀତ ପର୍ଯ୍ୟନ୍ତ ଅନେକ ରହିଛି । ଯାହାର ଇତିହାସ ପ୍ରାଚୀନ । ପ୍ରତି କଳାର ପରମ୍ପରା ସ୍ୱତନ୍ତ୍ର । ସବୁ ଭିତରେ ଓଡ଼ିଶାର ନୃତ୍ୟ, ସଙ୍ଗୀତର ପରିଚୟ ସବୁଠୁ ଭିନ୍ନ । କିନ୍ତୁ କିଛି ବର୍ଷ ହେବ ଏଥିପ୍ରତି ଆଦର କମୁଥିବା ଦେଖାଯାଉଛି । ଗତ ୩ ବର୍ଷର ତଥ୍ୟାନୁସାରେ³ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଧନ୍ଦାମୂଳକ ପ୍ରଦର୍ଶନୀ କଳାରେ ମୋଟ ୧୦ଟି ବିଭାଗ ରହିଛି । ଛଉ ନୃତ୍ୟ, ନାଟକ, ବଂଶୀ, ହିନ୍ଦୁସ୍ଥାନୀ ବେହେଲା, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ପଖାଉଜ, ଓଡ଼ିଶୀ କଣ୍ଠ ସଙ୍ଗୀତ, ସୀତାର ଓ ତବଲା ବିଭାଗ ରହିଛି । ମୋଟ୍ ସିଟ୍ ସଂଖ୍ୟା ୨୪୪ । ସେଥିରୁ ପ୍ରତିବର୍ଷ ପାଖାପାଖି ୧୦୦ ସିଟ୍ ଖାଲି ପଡ଼ୁଛି । ୨୦୨୬-୨୭ ବର୍ଷରେ ୨୪୪ଟି ସିଟ୍ରୁ ୧୫୨ରେ ଆଡମିସନ୍ ହୋଇଛି । ୯୨ଟି ସିଟ୍ ଖାଲି ପଡ଼ିଛି ।
ଛଉ ନୃତ୍ୟ ବିଭାଗରେ ୧୬ଟି ସିଟ୍ରୁ ୬ଟି, ନାଟକରେ ୪୦ରୁ ୨୯, ବଂଶୀରେ ୧୨ରୁ ୪, ହିନ୍ଦୁସ୍ଥାନୀ ବେହେଲାରେ ୧୨ରୁ ୧, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ୩୨ରୁ ୩୦, ଓଡ଼ିଶୀ ନୃତ୍ୟରେ ୩୨ରୁ ୩୦, ଓଡ଼ିଶୀ ପଖାଉଜରେ ୧୨ରୁ ୧, ଓଡ଼ିଶୀ କଣ୍ଠ ସଙ୍ଗୀତରେ ୪୮ରୁ ୨୨, ସୀତାରରେ ୧୨ରୁ ୭, ତବଲାରେ ୨୮ଟିରୁ ୨୨ଟି ସିଟ୍ରେ ପିଲା ଆଡମିସନ୍ କରିଛନ୍ତି । କର୍ତ୍ତୃପକ୍ଷଙ୍କ ମତ ହେଲା ମୋଟ୍ ୧୬୦ରୁ ଅଧିକ ପିଲା ଆଡମିସନ୍ କରିଛନ୍ତି । ଓଡ଼ିଶା ସରକାରଙ୍କ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ (ସାମ୍ସ) ପୋର୍ଟାଲ୍ରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଅଧୀନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସଙ୍ଗୀତ, ନୃତ୍ୟ ଏବଂ ନାଟକ ଶିକ୍ଷାରେ ୨୦୨୬-୨୭ରେ ମୋଟ ୧୫୨ ପିଲା ଆଡମିସନ୍ ନେଇଥିବା ଦେଖାଉଛି । ସେହିପରି ୨୦୨୫-୨୬ ବର୍ଷରେ ୨୪୪ଟି ସିଟ୍ରୁ ୧୩୩ଟିରେ ପିଲା ଆଡମିସନ୍ କରିଥିଲା ବେଳେ ୧୧୧ଟି ସିଟ୍ ଖାଲି ଥିଲା । ୨୦୨୪-୨୫ ବର୍ଷରେ ୨୪୪ଟି ସିଟ୍ରୁ ୨୨୫ ସିଟ୍ ଖାଲି ପଡ଼ିଥିଲା । ମାତ୍ର ୧୯ ପିଲା ଆଡମିସନ୍ ନେଇଥିଲେ । ଏହା ଯୁକ୍ତ ଦୁଇର ଚିତ୍ର, ସ୍ନାତକ (ବିପିଏ)ର ସ୍ଥିତି ଆହୁରି ସଙ୍ଗୀନ ।
ସୌଜନ୍ୟ ପ୍ରମେୟ




