Chief Minister: ସେମିକନ୍ ଇଣ୍ଡିଆରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ନରାଜରେ ‘ଓଡ଼ିଶା ସିଲିକନ ଭ୍ୟାଲି’
ନରାଜ ନିକଟରେ ୮୭୦ ଏକର ଜମିରେ ଏକ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ ହବ୍ ‘ଓଡ଼ିଶା ସିଲିକନ ଭ୍ୟାଲି’ ବିକାଶ କରାଯିବ। ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ୨୦୨୬ରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ...

ନୂଆଦିଲ୍ଲୀ/ଭୁବନେଶ୍ବର: ନରାଜ ନିକଟରେ ୮୭୦ ଏକର ଜମିରେ ଏକ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ ହବ୍ ‘ଓଡ଼ିଶା ସିଲିକନ ଭ୍ୟାଲି’ ବିକାଶ କରାଯିବ। ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ୨୦୨୬ରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରୁ ରାଜ୍ୟ ସରକାର ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଛନ୍ତି, ଯାହା କାର୍ଯ୍ୟକାରୀ ହେବା ଦ୍ବାରା ୬୧୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥି ସହିତ କ୍ବାଡ୍କ୍ବାଣ୍ଟମ୍ ସହ ରାଜ୍ୟ ସରକାର ଏକ ଇଚ୍ଛାପତ୍ର ମଧ୍ୟ ସ୍ବାକ୍ଷର କରିଛନ୍ତି। ଏହି କମ୍ପାନି ରାଜ୍ୟରେ ସିଲିକନ୍ କାର୍ବାଇଡ୍ (ଏସ୍ଆଇସି) ସବ୍ଷ୍ଟ୍ରେଟ୍ ୱାଫର ଉତ୍ପାଦନ କରିବା ଯୋଜନା ରଖିଛି।
ନରାଜ ହବ୍ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ, ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜମି ବ୍ୟାଙ୍କ ସୃଷ୍ଟି କରାଯାଉଛି। ସେଥିରେ ଶିଳ୍ପ ସ୍ଥାପନ କରିବାକୁ ୧୦-୧୨ଟି କମ୍ପାନି ସହ ଆଲୋଚନା ଚାଲିଛି। ଏହି ହବ୍ରେ ସମସ୍ତ ପ୍ରମୁଖ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ପ୍ରକଳ୍ପ ସ୍ଥାପନ କରାଯିବ। କଟକ-ଭୁବନେଶ୍ବର ସହରାଞ୍ଚଳ କରିଡର, ପ୍ରମୁଖ ରାଜପଥ ଏବଂ ପାରାଦୀପ ଓ ଧାମରା ବନ୍ଦର ସହ ଏହି ଅଞ୍ଚଳର ବହୁତ ଭଲ ଯୋଗାଯୋଗ ବ୍ୟବସ୍ଥା ଥିବାରୁ ତାହା ସେମିକଣ୍ଡକ୍ଟର, ଯୋଗାଣ ଶୃଙ୍ଖଳ ଓ ଆନୁଷଙ୍ଗିକ ଶିଳ୍ପ ପାଇଁ ଏକ ଉପଯୁକ୍ତ ସ୍ଥାନ ଭାବେ ଉଭା ହୋଇଛି। ସେମିକଣ୍ଡକ୍ଟର ପ୍ରକଳ୍ପ ପାଇଁ ପାଣି ଦରକାର। ନରାଜ ନିକଟରେ ମହାନଦୀ ରହିଛି, ଯାହା ସେହି ଆବଶ୍ୟକତା ପୂରଣ କରିପାରିବ। ସେ କହିଲେ, ଆମେ ଏଭଳି ଏକ ବିଶ୍ବସ୍ତରୀୟ ସେମିକଣ୍ଡକ୍ଟର ପରିସଂସ୍ଥା ବିକାଶ କରିବାକୁ ଚାହୁଛୁ ଯେଉଁଠାରେ କମ୍ପାନିଗୁଡ଼ିକ ନିର୍ମାଣ ଓ ନବସୃଜନ କରିବା ସହ ଆଗକୁ ବଢ଼ିପାରିବେ। ଭାରତ ସରକାର, ଓଡ଼ିଶା ସରକାର, ଅନୁସନ୍ଧାନ ନ୍ୟାସ୍ନାଲ ରିସର୍ଚ୍ଚ ଫାଉଣ୍ଡେସନ୍ ଓ ଆଇଆଇଟି ଭୁବନେଶ୍ୱରର ସହଭାଗିତାରେ ୪୫୨ କୋଟି ଟଙ୍କା ନିବେଶର ‘ନ୍ୟାସନାଲ୍ ଇଣ୍ଡଷ୍ଟ୍ରି କୋ-ଡେଭଲପମେଣ୍ଟ ହବ୍ ଅନ୍ ଇଣ୍ଟିଗ୍ରେଟେଡ୍ ପାୱାର୍ ଇଲେକ୍ଟ୍ରୋନିକ୍ସ’କୁ ମଞ୍ଜୁର କରାଯାଇଛି। ସେଥିରେ ଓଡ଼ିଶା ସରକାର ୧୨୫ କୋଟି ଟଙ୍କା ନିବେଶ କରୁଛନ୍ତି ବୋଲି ସେ କହିଥିଲେ।
୨୩,୬୦୦ କୋଟିର ନିବେଶ ପ୍ରସ୍ତାବ ହାସଲ
ରାଜ୍ୟରେ ନିବେଶ କରିବ କ୍ବାଡ୍କ୍ବାଣ୍ଟମ୍
ଏହି ଅବସରରେ ୩ଡିଜିଏସ୍, ସିକ୍ସେମ୍, ଆପ୍ଲାଏଡ୍ ମାଟେରିଆଲ୍ସ, ଏଲ୍ଏଏମ୍ ରିସର୍ଚ୍ଚ, ସାଇଏଣ୍ଟ, ଲିଣ୍ଡେ ଓ ହୋରିବା ଇଣ୍ଡିଆ ଭଳି ସେମିକଣ୍ଡକ୍ଟର ଜଗତର ପ୍ରମୁଖ ସଂସ୍ଥାର ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ସେ ସ୍ବିଡେନ, ତାଇୱାନ ଓ ଜାପାନର ପ୍ରତିନିଧିମାନଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ। ଏଥି ସହିତ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ମିଶି ଓଡ଼ିଶା ପାଭିଲିୟନକୁ ଉଦ୍ଘାଟନ କରିଥିଲେ। ପାଭିଲିୟନରେ ଆର୍ଆଇଆର୍ ପାୱାର, ସିକ୍ସେମ୍, ୩ଡିଜିଏସ୍, ଏଆର୍ଏଫ୍ ଡିଜାଇନର ପ୍ରକଳ୍ପ, ଏନ୍ଆଇଟି ରାଉରକେଲା ଓ ପିଏମ୍ଇସି, ବ୍ରହ୍ମପୁର ଭଳି ଶିକ୍ଷାନୁଷ୍ଠାନ ଦ୍ବାରା ବିକଶିତ ଚିପ୍ ପ୍ରଦର୍ଶିତ କରାଯାଇଛି। ଅନ୍ୟ ଏକ ବୈଠକରେ କଞ୍ଚାମାଲ ଓ ଯୋଗାଣ ଶୃଙ୍ଖଳ କ୍ଷେତ୍ରର ସହଯୋଗିତା ନେଇ ସ୍ବିଡେନର ଏକ ପ୍ରତିନିଧି ଦଳ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।
ସୌଜନ୍ୟ ସମ୍ବାଦ




