ରାଜ୍ୟ

Rajbhasha Hindi Workshop: ହିନ୍ଦୀର ପ୍ରଚାର କେବଳ ‘ହିନ୍ଦୀ ଦିବସ’ ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଏବଂ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି), ଭୁବନେଶ୍ୱର ପକ୍ଷରୁ ଆଜି ହିନ୍ଦୀ ଦିବସ ଓ ହିନ୍ଦୀ ପକ୍ଷ ପାଳନ ଅବସରରେ ଏକ ରାଜଭାଷା ହିନ୍ଦୀ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ହିନ୍ଦୀର ପ୍ରଚାର-ପ୍ରସାର, ଦୈନନ୍ଦିନ ସରକାରୀ...

ଭୁବନେଶ୍ୱର:  କେନ୍ଦ୍ରୀୟ  ସଞ୍ଚାର ବ୍ୟୁରୋ (ସିବିସି) ଏବଂ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି), ଭୁବନେଶ୍ୱର ପକ୍ଷରୁ ଆଜି ହିନ୍ଦୀ ଦିବସ ଓ ହିନ୍ଦୀ ପକ୍ଷ ପାଳନ ଅବସରରେ ଏକ ରାଜଭାଷା ହିନ୍ଦୀ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ହିନ୍ଦୀର ପ୍ରଚାର-ପ୍ରସାର, ଦୈନନ୍ଦିନ ସରକାରୀ କାର୍ଯ୍ୟରେ ଏହାର ବ୍ୟବହାର ଏବଂ ରାଜଭାଷାର କାର୍ଯ୍ୟକାରୀତାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା।

ପିଆଇବି ଏବଂ ସିବିସି ଭୁବନେଶ୍ୱର କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ ଯେ ହିନ୍ଦୀର ପ୍ରଚାର କେବଳ ‘ହିନ୍ଦୀ ଦିବସ’ କିମ୍ବା ‘ହିନ୍ଦୀ ପକ୍ଷ’ ଭଳି କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ। ଏହା କ୍ରମଶଃ ଦୈନନ୍ଦିନ ସରକାରୀ କାର୍ଯ୍ୟଶୈଳୀର ଏକ ସ୍ୱାଭାବିକ ଅଂଶ ହେବା ଆବଶ୍ୟକ। ସେ ଫାଇଲ୍ ନୋଟିଂ, ଚିଠି ଲେଖିବା, ପତ୍ରାଳାପ, ଦୈନନ୍ଦିନ ଯୋଗାଯୋଗ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ହିନ୍ଦୀର ବ୍ୟବହାର ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ନିୟମିତ ବ୍ୟବହାର ଦ୍ୱାରା ହିନ୍ଦୀ କାର୍ଯ୍ୟାଳୟର କାର୍ଯ୍ୟ ସଂସ୍କୃତିର ଏକ ଅଂଶ ପାଲଟିବ ବୋଲି ସେ କହିଥିଲେ। ଏହା ସହିତ ଅଧିକାରୀ ତଥା କର୍ମଚାରୀମାନଙ୍କୁ ଏ ଦିଗରେ ଛୋଟ କିନ୍ତୁ ନିରନ୍ତର ପଦକ୍ଷେପ ନେବାକୁ ଉତ୍ସାହିତ କରିଥିଲେ।

ଏନଏବିଏମ୍ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଦୀପକ ସାମନ୍ତରାୟ ନିଜ ବକ୍ତବ୍ୟରେ ଚିନ୍ତାଧାରା ପ୍ରକାଶ ଓ ଆଦାନପ୍ରଦାନର ମାଧ୍ୟମ ଭାବରେ ଭାଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଭାରତର ବିବିଧ ଭାଷାଭାଷୀ ପରିବେଶ ମଧ୍ୟରେ ହିନ୍ଦୀ ଏକ ସଂଯୋଗକାରୀ ଭାଷା ଭାବରେ କାର୍ଯ୍ୟ କରେ। ଏହା ବିଭିନ୍ନ ଭାଷା କହୁଥିବା ଲୋକଙ୍କୁ ପରସ୍ପର ସହ ଯୋଡ଼ିବାରେ ସହାୟକ ହୁଏ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଜଣାଶୁଣା ଶିକ୍ଷାବିତ୍ ପିଜିଟି ପଙ୍କଜ କୁମାର ମିଶ୍ର ହିନ୍ଦୀ ଭାଷାର ଗୁରୁତ୍ୱ ଏବଂ ସରକାରୀ କାର୍ଯ୍ୟରେ ଏହାର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରିଥିଲେ। ସେ ଦ୍ୱିଭାଷୀ ଦସ୍ତାବିଜ ପ୍ରସ୍ତୁତ କରିବା, ହିନ୍ଦୀରେ ପ୍ରାପ୍ତ ଚିଠିପତ୍ରର ଉତ୍ତର ହିନ୍ଦୀରେ ଦେବା ଏବଂ ରାଜଭାଷା ସମ୍ବନ୍ଧୀୟ ନିୟମାବଳୀ ଅନୁଯାୟୀ ଫାଇଲ୍, ରେଜିଷ୍ଟର ଓ ଅନ୍ୟାନ୍ୟ ସରକାରୀ କାଗଜପତ୍ରରେ ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ, ସେ ଓଡ଼ିଶାରେ ତିନିଭାଷୀ ନାମଫଳକ, ବ୍ୟାନର ଓ ବିଜ୍ଞପ୍ତି ବ୍ୟବହାର କରିବା ଉପରେ ମଧ୍ୟ ଜୋର ଦେଇଥିଲେ।  ଉପଯୁକ୍ତ ଶବ୍ଦାବଳୀ ଚୟନ ପାଇଁ ‘ପ୍ରଶାସନିକ ହିନ୍ଦୀ’ ଭଳି ପ୍ରାମାଣିକ ଉତ୍ସର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।

ସିବିସିର ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀଙ୍କ ସ୍ୱାଗତ ଭାଷଣ ସହିତ ଏହି କର୍ମଶାଳା ଆରମ୍ଭ ହୋଇଥିବା ବେଳେ ପିଆଇବିର ସହକାରୀ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଅଂଶଗ୍ରହଣକାରୀମାନେ ହିନ୍ଦୀ ଭାଷାର ବ୍ୟାବହାରିକ ପ୍ରୟୋଗ ତଥା ସରକାରୀ ଯୋଗାଯୋଗକୁ ଅଧିକ ସୁଗମ ଓ ପ୍ରଭାବଶାଳୀ କରିବାର ଉପାୟ ସମ୍ପର୍କିତ ଆଲୋଚନା ଓ ଉପସ୍ଥାପନାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button