ରାଜ୍ୟ

Lingaraj Temple rituals : ସେବାୟତଙ୍କ କଳିରେ ଶ୍ରୀଲିଙ୍ଗରାଜଙ୍କ ନୀତି ବିଭ୍ରାଟ, ୧୯ ଘଣ୍ଟା ପରେ ସ୍ଵାଭାବିକ, ବିବାଦରେ କେବେ ପଡ଼ିବ ପୂର୍ଣ୍ଣଛେଦ ?

ଭୁବନେଶ୍ୱର, ୧୯/୯ : ଗୁରୁବାର କନ୍ୟା ସଂକ୍ରାନ୍ତି ତଥା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୂଆବର୍ଷ ପରି ଗୁରୁତ୍ୱପୂର୍ଣ୍ଣ ତିଥିରେ ନୀତି ବିଭ୍ରାଟ ହେଲା । ରାତିରେ ବଡ଼ସିଂହାର ବଢ଼ିବା ପରେ ପଞ୍ଚବକ୍ର ବିଜେକୁ ନେଇ ଉଭୟ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ସେବାୟତଙ୍କ ମଧ୍ୟରେ ଉପୁଜିଲା ବିବାଦ । ଫଳରେ ରାତିତମାମ ମହାପ୍ରଭୁ ଅନିଦ୍ରା ରହିବା ସହ ମନ୍ଦିର ପହୁଡ଼ ପଡ଼ି ନଥିଲା । ଏତିକିରେ ବି ସେବାୟତଙ୍କ ରାଗ ପ୍ରଶମିତ ହେଲାନି । ଉଭୟ ପକ୍ଷ(ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ) ଜିଦରେ ଅଟଳ ରହିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମନ୍ଦିରରେ କୌଣସି ପୂଜା ନୀତି ହେଲା ନାହିଁ । ସାରା ଦିନ ଦିଅଁ ଅଗାଧୁଆ ଓ ଉପାସ ରହିଲେ । ଶେଷରେ କୌଣସି ମତେ ୧୯ ଘଣ୍ଟା ପରେ ଗତକାଲି ସନ୍ଧ୍ୟାରେ ନୀତିରେ ଯୋଗଦେଲେ ୨ ନିଯୋଗର ସେବାୟତ ।

ଏ ନେଇ ଦିନତମାମ ମନ୍ଦିର କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ, ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ, ବଡୁ ନିଯୋଗ ସଭାପତି ଓ ସମ୍ପାଦକ, ପୂଜାପଣ୍ଡା ନିଯୋଗ ସଭାପତି ଓ ସମ୍ପାଦକ ଏବଂ ବ୍ରାହ୍ମଣ ନିଯୋଗର ୨ ସଭାପତି ଓ ୨ ସମ୍ପାଦକମାନେ ଆଲୋଚନା କରିଥିଲେ । ପଞ୍ଚବକ୍ର ବିଜେ ନୀତି ସ୍ୱତ୍ତ୍ୱକୁ ଉଭୟ ପକ୍ଷ ନିଜର ବୋଲି ଦାବି କରିଥିଲେ । ସମୟ ଗଡ଼ିବାରୁ ୨ ପକ୍ଷ ଚାପରେ ବାଧ୍ୟହୋଇ ମନ୍ଦିର ପ୍ରଶାସନର ଶେଷ ପ୍ରସ୍ତାବରେ ରାଜି ହୋଇଥିଲେ । ମନ୍ଦିର ପ୍ରଶାସନ ପ୍ରସ୍ତାବରେ ସେବାୟତଙ୍କୁ କହିଲେ ଯେ ଏହି ପ୍ରସଙ୍ଗ ଆସନ୍ତା ୨୦ ତାରିଖ ପରେ ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଲୋଚନା କରି ସମାଧାନ କରାଯିବ । ଯଦି ଉକ୍ତ ବୈଠକରେ ବିବାଦ ସମାଧାନ ନ ହେଲା, ତା’ହେଲେ ଦେବୋତ୍ତର ଧାରା ୪୧ ଅନୁଯାୟୀ ସେବାୟତମାନେ ଅଦାଲତଙ୍କ ଆଶ୍ରୟ ନେଇପାରିବେ । କିନ୍ତୁ ଜିଲ୍ଲାପାଳଙ୍କ ବୈଠକ ପର୍ଯ୍ୟନ୍ତ ଆଗରୁ ଯେଉଁ ନିଯୋଗ ପଞ୍ଚବକ୍ର ବିଜେ କରୁଥିଲେ ସେମାନେ ହିଁ ଏବେ ଉକ୍ତ ସେବା କରିବେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button