OTP Misuse Allegation ଧାମନଗର ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ ପାଇଁ ସୁପାରିସ
ଏସ୍ଆଇଆର୍ ପ୍ରକ୍ରିୟା ସମୟରେ ବିଏଲ୍ଓଙ୍କ ପରିଚୟପତ୍ର, କ୍ରେଡେନ୍ସିଆଲ୍ ଓ ଓଟିପିର ଅନଧିକୃତ ବ୍ୟବହାର ସହ ଫର୍ମ-୭ ଅନଧିକୃତ ଦାଖଲ ଅଭିଯୋଗରେ ଧାମନଗର ଏନ୍ଏସି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ନିଲମ୍ବନ ଓ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଭଦ୍ରକ ଜିଲ୍ଲାପାଳ ସୁପାରିସ କରିଛନ୍ତି।

ବିଏଲ୍ଓଙ୍କ ଓଟିପି ଓ ପରିଚୟପତ୍ର ବ୍ୟବହାର ଅଭିଯୋଗରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଧାମନଗର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ୪୬-ଧାମନଗର ନିର୍ବାଚନ ମଣ୍ଡଳୀର ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ନିଲମ୍ବନ କରିବା ସହ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୁପାରିସ କରିଛନ୍ତି।ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ, ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି। ଭାରତୀୟ ନିର୍ବାଚନ କମିସନ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମୋଦନ ଓ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆଜି ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏ ସମ୍ପର୍କରେ ଚିଠି ଦିଆଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର) ପ୍ରକ୍ରିୟା ସମୟରେ ବିଏଲ୍ଓମାନଙ୍କ ପରିଚୟପତ୍ର/କ୍ରେଡେନ୍ସିଆଲ୍ ଓ ଓଟିପିର ଅନଧିକୃତ ବ୍ୟବହାର ସହିତ ଫର୍ମ-୭ର ଅନଧିକୃତ ଦାଖଲ ଓ ଅପଲୋଡ୍ କରାଯାଇଥିବା ଅଭିଯୋଗ ନେଇ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚକ ପଞ୍ଜିକରଣ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିର୍ବାଚନ ଆୟୋଗଙ୍କ ଅନୁମୋଦନ ପରେ ଶ୍ରୀ ନାୟକଙ୍କୁ ନିୟମାନୁସାରେ ତୁରନ୍ତ ନିଲମ୍ବନ କରିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୌଜନ୍ୟ ସମ୍ବାଦ




