Odisha Weather Alert: ଆଉ ବାତ୍ୟା ଭୟ ନାହିଁ, ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ଥିବାରୁ ଓଡ଼ିଶାର ୧୧ଟି ଦକ୍ଷିଣ ଜିଲ୍ଲାରେ ପ୍ରବଳ ବର୍ଷା ସତର୍କତା ଜାରି ହୋଇଛି। ବାତ୍ୟାର ଆଶଙ୍କା ନଥିବା ବେଳେ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି ଏବଂ ମତ୍ସ୍ୟଜୀବୀଙ୍କୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ଭୁବନେଶ୍ୱର: ଦକ୍ଷିଣ-ଉତ୍ତର ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବଡ଼ବାତ୍ୟାର ରୂପ ନେବ ନାହିଁ, ବରଂ ଗଭୀର ଅବପାତର ରୂପ ନେଇ ପ୍ରବଳ ବର୍ଷାହେବ। ଏଣୁ ଆଗାମୀ ୨/୩ଦିନ ମଧ୍ୟରେ ଦକ୍ଷିଣାଞ୍ଚାଳର ୧୧ଟି ଜିଲ୍ଲା ନିମନ୍ତେ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ। ଆଭାସୀ ମାଧ୍ୟମରେ ଯୋଗଦେଇ ଥିବା ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଜିଲ୍ଲାରେ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ପଚାରି ବୁଝିଥିଲେ । ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଲେ ବର୍ତ୍ତମାନ ପରିପ୍ରେକ୍ଷୀରେ ବାତ୍ୟାର ସମ୍ଭାବନା ନାହିଁ। ଦକ୍ଷିଣାଞ୍ଚାଳ ଜିଲ୍ଲାମାନଙ୍କରେ ଲଘୁଚାପଜନିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହା ସତ୍ତ୍ବେ ଶତ ପ୍ରତିଶତ ପ୍ରସ୍ତୁତି ଓ ସଜାଗ ରହିବାକୁ ସେ ସଂପୃକ୍ତ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗ ଆଞ୍ଚଳିକ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ପାଣିପାଗ ସ୍ଥିତି, ସମ୍ଭାବ୍ୟ ବର୍ଷା ଓ ଆଗାମୀ ଦିନଗୁଡ଼ିକର ପୂର୍ବାନୁମାନ ସମ୍ପର୍କରେ ସୂଚନା ଦେଇଥିଲେ । ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ଅଞ୍ଚଳରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ଆଗାମୀ ୨୪ ଘଣ୍ଟାରେ ଅବପାତରେ ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ, ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୩ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାର ପ୍ରାୟ ୧୧ଟି ଜିଲ୍ଲାରେ ୨୨ରୁ ବର୍ଷା ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଗଭୀର ଅବପାତର ସମ୍ଭାବନା ରହିଛି । ସମୁଦ୍ରକୂଳ ଅଞ୍ଚଳରେ ସେହି ସମୟରେ ୪୫-୫୫ କିଲୋମିଟର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ପ୍ରାୟ ୭୦ କିମି. ବେଗରେ ପବନ ବହିବାର ସମ୍ଭାବନା ଅଛି।
ଏସଆରସିଙ୍କ ପକ୍ଷରୁ କୁହାଯାଇଛି , ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବନ୍ୟାବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ବିଦ୍ୟୁତ୍ ବ୍ୟବସ୍ଥା ଓ ଆନୁଷଙ୍ଗିକ ସୁବିଧା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ୍ରାଫ୍ ଏବଂ ଏନଡିଆରଏଫ ଟିମ୍ ମୁତୟନ ପାଇଁ ପଦକ୍ଷେପ ନିଆଯାଇଛି । ଏସଆରସିଙ୍କ କାର୍ଯ୍ୟାଳୟର କଣ୍ଟ୍ରୋଲ ରୁମ୍୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ। ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ଆବଶ୍ୟକ ସତର୍କତା ଓ ପ୍ରସ୍ତୁତି ନିଶ୍ଚିତ କରାଯିବ। ସମସ୍ତ ମତ୍ସ୍ୟଜୀବୀଙ୍କୁ ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ସୌଜନ୍ୟ ସମ୍ବାଦ




