Heavy Rain Alert: ବୁଧବାର ରାତିରେ ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ୍, ଆଜିଠୁ ବର୍ଷିବ, କାଲିଠୁ ଦକ୍ଷିଣ ଓଡ଼ିଶାରେ ନିର୍ଘାତ ଛେଚିବ

ଭୁବନେଶ୍ୱର,୨୨/୦୯: ପାଗ ବଦଳିଛି । ଆକାଶ ମେଘାଚ୍ଛନ୍ନ । ମଝିରେ ମଝିରେ ହାଲୁକା ବର୍ଷା । ପାଣିପାଗ ପୂର୍ବାନୁମାନ- ମଙ୍ଗଳବାରଠାରୁ (୨୨ ତାରିଖ) ବର୍ଷା ପରିମାଣ ବଢ଼ିବ । ୨୩-୨୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।
ବିଶେଷ କରି ଦକ୍ଷିଣ ଓଡ଼ିଶାରେ ନିର୍ଘାତ ବର୍ଷା ଆଶଙ୍କା ରହିଛି । ଉପକୂଳରେ ବି ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ୨୫ରୁ ପଶ୍ଚିମ ଓଡ଼ିଶାରେ ବର୍ଷା ବଢ଼ିପାରେ । ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀ ଫୁଲିବା ଆଶଙ୍କା କରାଯାଉଛି ।
ହେଲେ ବାତ୍ୟା ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନରୁ ସ୍ପଷ୍ଟ ହେଉଛି । ଗଭୀର ଅବପାତ ରୂପରେ ଏହା ବିଶାଖପାଟଣାରୁ ଗୋପାଳପୁର ମଝିରେ ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବ । ସ୍ଥିତି ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ବିଭାଗର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଅନୁସାରେ ଲଘୁଚାପ ଘନୀଭୂତ ହୋଇ ସୋମବାର ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହୋଇ ସାରିଛି ।
ପୁରୀ ଓ ଗୋପାଳପୁର ଉପକୂଳରୁ ପ୍ରାୟ ୩୧୦ କିଲୋମିଟର ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ଭିତରେ ମଙ୍ଗଳବାର ସନ୍ଧ୍ୟା ବେଳକୁ ଗଭୀର ଅବପାତ ରୂପ ନେବ । ବୁଧବାର ବିଳମ୍ବିତ ସନ୍ଧ୍ୟାରେ ବିଶାଖପାଟଣାଠାରୁ ସାମାନ୍ୟ ଉତ୍ତର ଦେଇ ସ୍ଥଳଭାଗରେ ପ୍ରବେଶ କରିବ ଗଭୀର ଅବପାତ । ସେତେବେଳକୁ ପବନର ବେଗ ୫୦ରୁ ୬୦ କିଲୋମିଟର ଏବଂ ପବନ ଧକ୍କା ୭୦ କିମି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ବିଭାଗ ପକ୍ଷରୁ ଦିଆଯାଇଥିବା ସମ୍ଭାବ୍ୟ ଗତିପଥ କହୁଛି ୨୪ ତାରିଖ ଅପରାହ୍ନ ସୁଦ୍ଧା ଏହା କୋରାପୁଟ ଦେଇ ଓଡ଼ିଶାରେ ପଶିବ । ସେତେବେଳକୁ ଏହା ସାମାନ୍ୟ ଦୁର୍ବଳ ହୋଇ ଅବପାତ ରୂପ ନେଇଥିବ । ପବନର ବେଗ ୪୫ରୁ ୫୫ କିଲୋମିଟରକୁ ଖସି ଆସିଥିବ । କିନ୍ତୁ ପ୍ରବଳ ବର୍ଷା ନେଇ ଆସୁଛି ଅବପାତ ।
ପାଣିପାଗ ବିଭାଗ ଆକଳନ କରିଛି, ୨୨ରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓ ଦକ୍ଷିଣର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
୨୩ରୁ ୨୫ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ । ୨୩ ଓ ୨୪ରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ୨୩ରେ ଗଞ୍ଜାମ, ଗଜପତି ଓ କୋରାପୁଟ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ । ଜଗତସିଂହପୁର, କଟକ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏହାବାଦ୍ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨୪ରେ ଦକ୍ଷିଣର ବିଭିନ୍ନ ଜିଲ୍ଲାରେ ଅତି ଭୀଷଣ ବର୍ଷା ନେଇ ରେଡ୍ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ସହ ଉତ୍ତରର କିଛି ଜାଗାରେ ବି ପ୍ରବଳ ବର୍ଷା ହୋଇପାରେ । ୨୫ରେ ଦକ୍ଷିଣରୁ ପଶ୍ଚିମକୁ ବର୍ଷା ପ୍ରକୋପ ବଢ଼ିବ ।
ସୌଜନ୍ୟ ପ୍ରମେୟ




