ଓୱାଇସିଙ୍କ ବୟାନକୁ ନେଇ ହଇଚଇ, କହିଲେ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କୁ….

ନୂଆଦିଲ୍ଲୀ,୨୨।୯: ରାଜନୈତିକ ପ୍ରସଙ୍ଗରେ ନିଜ ମତ ରଖୁଥିବା AIMIM ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ଏଥର ସେ ରାଜନୀତି ନୁହେଁ, ବରଂ ବୈବାହିକ ଜୀବନ ଓ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ନେଇ କଥା ହୋଇଛନ୍ତି ।
ଓୱେସି ଲୋକଙ୍କୁ ନିଜ ପତ୍ନୀଙ୍କ ପ୍ରତି ଭଲପାଇବା ଖୋଲାଖୋଲି ଭାବେ ପ୍ରକାଶ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ପତ୍ନୀଙ୍କୁ ଭଲପାଇବା ଜଣାଇବାରେ ସ୍ୱାମୀଙ୍କୁ ଲାଜ କିମ୍ବା ସଙ୍କୋଚ କରିବା ଉଚିତ ନୁହେଁ। ମଜାଳିଆ ଅନ୍ଦାଜରେ ଓୱେସି କହିଛନ୍ତି, ସକାଳେ ଉଠିବା ପରେ, ଦିନରେ ଏବଂ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କ ଆଖିରେ ଆଖି ମିଶାଇ ‘ଆଇ ଲଭ୍ ୟୁ ମାଇ ଡିଅର୍’ କହିବା ଉଚିତ। ଏହା ସହ ଜଡ଼ିତ ଏକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି । ଏଥିରେ ଲେଖାଯାଇଛି ଯେ, ନିଜ ପତ୍ନୀଙ୍କୁ ଭଲପାଆନ୍ତୁ ଏବଂ ନିଜ ଭଲପାଇବାକୁ ପ୍ରକାଶ ମଧ୍ୟ କରନ୍ତୁ।
ଓୱାଇସି କହିଛନ୍ତି, ଘରେ ଛୋଟଛୋଟ କଥାକୁ ନେଇ ବଚସା ସୃଷ୍ଟି କରିବା ପରିବର୍ତ୍ତେ ସ୍ୱାମୀ-ସ୍ତ୍ରୀ ପରସ୍ପର ସହ ପ୍ରେମ ଓ ସମ୍ମାନର ସହ ରହିବା ଉଚିତ । ସମୟ ସମୟରେ ଭଲପାଇବା ପ୍ରକାଶ କଲେ ସମ୍ପର୍କରେ ଆତ୍ମୀୟତା ବଜାୟ ରହିଥାଏ ବୋଲି ସେ କହିଛନ୍ତି। ସେ ଲୋକଙ୍କୁ ପତ୍ନୀଙ୍କ ଆଖିରେ ଆଖି ମିଶାଇ ଭଲପାଇବା ଜଣାଇବାକୁ କହିଛନ୍ତି । ଓୱାଇସିଙ୍କ ଏହି ଅନ୍ଦାଜ ଦେଖି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ। ଓୱାଇସି ନିକଟରେ ଭୋପାଳରେ ହୋଇଥିବା ନିଜର ଏକ କାର୍ଯ୍ୟକ୍ରମର ମଧ୍ୟ ଉଲ୍ଲେଖ କରିଥିଲେ। ସେଠାରେ ସେ ବିବାହ ଓ ନିକାହ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଥିଲେ। ଭୋପାଳ କାର୍ଯ୍ୟକ୍ରମରେ ସେ ୟୁନିଫର୍ମ ସିଭିଲ୍ କୋଡ୍ (UCC) ଏବଂ ମୁସଲିମ୍ ପର୍ସନାଲ୍ ଲ’କୁ ନେଇ ମଧ୍ୟ କଥା ହୋଇଥିଲେ।
ତେବେ କାନପୁରର କାର୍ଯ୍ୟକ୍ରମରେ ତାଙ୍କ ଫୋକସ୍ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଏବଂ ପରିବାରରେ ପ୍ରେମ ଓ ସମ୍ମାନ ବଜାୟ ରଖିବା ଉପରେ ରହିଥିଲା। ପରିବାରରେ ପରସ୍ପର ସମ୍ମାନ ଓ ଭଲପାଇବା ରହିଲେ ଘରର ପରିବେଶ ଭଲ ହୋଇପାରିବ ବୋଲି ସେ କହିଛନ୍ତି।
ସୌଜନ୍ୟ ଧରିତ୍ରୀ




