ରାଜ୍ୟ

Multiple Maoist Dumps Busted ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ଏକାଧିକ ମାଓ ଡମ୍ପ ଠାବ: ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଚାଲିଥିବା ସର୍ଚ୍ଚ ଅଭିଯାନ ସମୟରେ ସୁରକ୍ଷାବାହିନୀ ଏକାଧିକ ମାଓ ଡମ୍ପ ଠାବ କରିଛନ୍ତି। ବେଦରେ, ଭୈରମଗଡ଼, ଫରସେଗଡ଼, ମିରତୁର ଓ ଭୋପାଳପଟ୍ଟନମ ଅଞ୍ଚଳରୁ ରାଇଫଲ, ପିସ୍ତଲ, ଗୁଳି, ଗ୍ରେନେଡ, ବିଜିଏଲ ସେଲ, ଡେଟୋନେଟର, ଜେଲାଟିନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ସ୍ଥାନୀୟ ପୁଲିସ ପ୍ରଶାସନ ଅନୁଯାୟୀ, ଜଙ୍ଗଲରେ ସର୍ଚ୍ଚ ଅଭିଯାନ ଏବେ ବି ଜାରି ରହିଛି।

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ଚାଲିଥିବା ସର୍ଚ୍ଚ ଅଭିଯାନ ସମୟରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ବିଭିନ୍ନ ଥାନା ଅଞ୍ଚଳର ଜଙ୍ଗଲରୁ ମାଓବାଦୀଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର,ଗୋଳାବାରୁଦ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ବେଦରେ ଥାନା ଅଞ୍ଚଳର ଲଙ୍କା ପାହାଡ଼ି ଜଙ୍ଗଲରେ ସର୍ଚ୍ଚ ଅଭିଯାନରେ ମାଟି ତଳେ ଲୁଚାଇ ରଖାଯାଇଥିବା ମାଓବାଦୀ ଡମ୍ପର ସନ୍ଧାନ ମିଳିଥିଲା। ସେଠାରୁ ଗୋଟିଏ ଏସଏଲଆର/ଏଲଏମଜି ରାଇଫଲ, ଗୋଟିଏ ଇନସାସ ରାଇଫଲ, ଗୋଟିଏ.୩୧୫ ବୋର ବନ୍ଧୁକ, ୨ଟି ବିଜିଏଲ ପ୍ରକ୍ଷେପକ,୧୭ଟି ବିଜିଏଲ ସେଲ, ଗୋଟିଏ ଚାଇନା ହ୍ୟାଣ୍ଡ ଗ୍ରେନେଡ, ୪୯ଟି ଏସଏଲଆର ରାଉଣ୍ଡ,୧୫ଟି .୩୧୫ ବୋର ରାଉଣ୍ଡ, ୧୫ଟି ବିଜିଏଲ କାର୍ତୁଜ, ୪ଟି ଏସଏଲଆର ମ୍ୟାଗଜିନ ଏବଂ ଗୋଟିଏ.୩୧୫ ବୋର ମ୍ୟାଗଜିନ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
ସେହିପରି ଭୈରମଗଡ଼ ଅଞ୍ଚଳର ଆଦୱାଡ଼ା ଜଙ୍ଗଲରୁ ଏକେ-୪୭,୩୧୫ ବୋର ଅସ୍ତ୍ର,ଏକକ ଗୁଳି ଚାଲୁଥିବା ବନ୍ଧୁକ, ପିସ୍ତଲ, ଜୀବନ୍ତ କାର୍ତୁଜ ଓ ମ୍ୟାଗଜିନ ଜବତ କରାଯାଇଛି। ଏସଡିଓପି ସିଦ୍ଧାର୍ଥ ସିଂଙ୍କ ସୂଚନା ଅନୁଯାୟୀ ଫରସେଗଡ଼ ଅଞ୍ଚଳର ବଡ଼ଆଲୱାଡ଼ା ଜଙ୍ଗଲରୁ .୩୧୫ ବୋର ରାଇଫଲ,୪୯ଟି ଜୀବନ୍ତ ରାଉଣ୍ଡ, ୩୦୩ ବୋରର ୨୫ଟି ଜୀବନ୍ତ ରାଉଣ୍ଡ,୧୨ ବୋରର ୪୯ଟି ଜୀବନ୍ତ ରାଉଣ୍ଡ,୮ କିଲୋଗ୍ରାମ ଜେଲାଟିନ,ୱାକି-ଟକି ସମେତ ଅନ୍ୟାନ୍ୟ ସାମଗ୍ରୀ ମିଳିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button