Devi River: ଦେବୀ ନଦୀ ମୁହାଣରୁ ମିଳିଲା ବିରଳ ଶାମୁକା: ‘ଡେଲ୍ଟାକିଓନ୍ ରେଭେନ୍ସା’
ରେଭେନ୍ସା ବିଶ୍ବବିଦ୍ୟାଳୟ ପ୍ରାଣୀବିଜ୍ଞାନର ଛାତ୍ରଛାତ୍ରୀ ପୁରୀ ଜିଲ୍ଲାର ଦେବୀ ନଦୀ ମୁହାଣରୁ ଏକ ନୂତନ ପ୍ରଜାତିର ଶାମୁକା ଆବିଷ୍କାର କରିଛନ୍ତି। ପୃଥିବୀର ଅନ୍ୟ କୌଣସି ସ୍ଥାନରେ ଏହି ପ୍ରଜାତିର ଶାମୁକା ମିଳନ୍ତି ନାହିଁ ବୋଲି ଦେଶବିଦେଶର ବହୁ ଗବେଷକ ମତ ରଖିଛନ୍ତି।

କଟକ(ଜ୍ୟୋତିପ୍ରକାଶ ମହାପାତ୍ର): ରେଭେନ୍ସା ବିଶ୍ବବିଦ୍ୟାଳୟ ପ୍ରାଣୀବିଜ୍ଞାନର ଛାତ୍ରଛାତ୍ରୀ ପୁରୀ ଜିଲ୍ଲାର ଦେବୀ ନଦୀ ମୁହାଣରୁ ଏକ ନୂତନ ପ୍ରଜାତିର ଶାମୁକା ଆବିଷ୍କାର କରିଛନ୍ତି। ପୃଥିବୀର ଅନ୍ୟ କୌଣସି ସ୍ଥାନରେ ଏହି ପ୍ରଜାତିର ଶାମୁକା ମିଳନ୍ତି ନାହିଁ ବୋଲି ଦେଶବିଦେଶର ବହୁ ଗବେଷକ ମତ ରଖିଛନ୍ତି। ଏହି ଶାମୁକାର ନାମକୁ ବିଭାଗ ପକ୍ଷରୁ
‘ଡେଲ୍ଟାକିଓନ୍ ରେଭେନ୍ସା’ ରଖାଯାଇଛି। ଗତ ଫେବ୍ରୁଆରି ମାସରେ ବିଭାଗର ଛାତ୍ରଛାତ୍ରୀ ଦେବୀ ନଦୀ ମୁହାଣରୁ ଏହି ନୂତନ ପ୍ରଜାତିର ମୃତ ଶାମୁକା ପାଇଥିଲେ। ଏହି ଗବେଷଣା ସଂପର୍କିତ ତଥ୍ୟ ଅନ୍ତର୍ଜାତୀୟସ୍ତରର ବିଜ୍ଞାନ ପତ୍ରିକା ‘ବାସ୍ଟେରିଆ’ର ୯୦ତମ ସଂସ୍କରଣରେ ପ୍ରକାଶିତ ହୋଇଛି। ଏହାସହ ‘ୱାର୍ଲଡ ରେଜିଷ୍ଟର ଅଫ୍ ମେରିଆନ୍ ସ୍ପେସିସ୍’ ସାଇଟ୍ରେ ଏହାକୁ ସ୍ଥାନ ଦିଆଯାଇଛି।
ଗତ ଫେବ୍ରୁଆରିରେ ଦେବୀ ନଦୀ ମୁହାଣରୁ ମିଳିଥିବା ନୂତନ ପ୍ରଜାତିର ୩ଟି ମୃତ ଶାମୁକାଙ୍କୁ ରେଭେନ୍ସାର ପରୀକ୍ଷାଗାରକୁ ଆଣି ଗବେଷଣା କରାଯାଇଥିଲା। ଏହି ୩ଟି ମୃତ ଶାମୁକାରେ ବହୁ ଭିନ୍ନତା ଦେଖିବାକୁ ମିଳିଥିଲା। ଶାମୁକାର ଉପର ଅଂଶର ଗଠନ, ରଙ୍ଗ, ଦାନ୍ତ ପରି ଥିବା ଶାମୁକାର ଧାର ଇତ୍ୟାଦି ଭିନ୍ନ ଥିବା ଗବେଷଣାରୁ ଜଣାପଡ଼ିଥିଲା। ଶାମୁକା ଉପର ଅଂଶଟି ଜାଲ ପରି ହୋଇଥିବା ବେଳେ ଏହା ମଧ୍ୟରେ ଥିବା ଗାରଗୁଡ଼ିକ ଅସ୍ପଷ୍ଟ ରହିଛି। ଶାମୁକାର ଉପର ଅଂଶଟି ୮୦ ଡିଗ୍ରିର ମୋଡ଼ ରହିଛି। ଅନ୍ୟ ପ୍ରଜାତିର ଶାମୁକାଙ୍କ ନିକଟରେ ଏହି ଉପର ମୋଡ଼ଟି ଶହେରୁ ୧୨୦ ଡିଗ୍ରି ରହିଥାଏ। ଗବେଷଣା ରିପୋର୍ଟକୁ ନେଦରଲାଣ୍ଡର ବିଶିଷ୍ଟ ସାମୁଦ୍ରିକ ପ୍ରାଣୀ ଗବେଷକ ହେନ୍ ରାଭେନ୍ଙ୍କ ନିକଟକୁ ପଠାଯାଇଥିଲା। ପୃଥିବୀର ଅନ୍ୟ କୌଣସି ସ୍ଥାନରେ ଏଭଳି ପ୍ରଜାତିର ଶାମୁକା ଦେଖିବାକୁ ମିଳୁ ନଥିବା ଗବେଷକ ରାଭେନ୍ ସ୍ପଷ୍ଟ କରିଥିଲେ।
ଏହାପରେ ବିଭାଗ ପକ୍ଷରୁ ଅଧିକ ଗବେଷଣା କରାଯାଇଥିଲା। ଏହି ପ୍ରଜାତିର ଶାମୁକା ଲୁଣି କିମ୍ବା ମଧୁର ପାଣି ବଦଳରେ ଖାରିଆ ପାଣିରେ ରହୁଥିବା ଜଣାପଡ଼ିଥିଲା। ସେହିପରି ଜନବସତି ଦୂରରେ ତଥା ନଦୀ ମୁହାଣର ୨ରୁ ୪ ଇଞ୍ଚ ବାଲି ତଳେ ଏହି ପ୍ରଜାତିର ଶାମୁକାଗୁଡ଼ିକ ରହୁଥିବା ଗବେଷଣାରୁ ସୂଚନା ମିଳିଛି। ବିଭିନ୍ନ ପ୍ରକାରର ସାମୁଦ୍ରିକ ପ୍ରାଣୀଙ୍କ ଶରୀରରେ ଥିବା ପ୍ରୋଟିନ୍, ନିଉଟ୍ରିଏଣ୍ଟ ଆଦିରୁ ବହୁ ରୋଗ ପାଇଁ ଔଷଧ ପ୍ରସ୍ତୁତ କରାଯାଉଛି। ତେବେ ଉକ୍ତ ପ୍ରଜାତିର ଜୀବନ୍ତ ଶାମୁକା ମିଳିବା ପରେ ଏହା ଉପରେ ଅଧିକ ଗବେଷଣା କରାଯିବ ବୋଲି ବିଭାଗର ଗବେଷକ ସଂଜୟ ଦଳାଇ ଓ ଅପର୍ଣ୍ଣା ମିଶ୍ର କହିଛନ୍ତି। ଏହି ପ୍ରଜାତିର ଜୀବନ୍ତ ଶାମୁକା ଆବିଷ୍କାର ପାଇଁ ରାଜ୍ୟ ସରକାର ଓ ଓଡ଼ିଶା ଜୈବ ବିବିଧତା ବୋର୍ଡ (ଓବିବି)ରୁ ସହଯୋଗ ଓ ସହାୟତା ଆବଶ୍ୟକ ରହିଛି ବୋଲି ବିଭାଗର ପ୍ରଫେସର ଡକ୍ଟର ଦୀପ୍ତି ରାଉତ କହିଛନ୍ତି। ଏହି ଗବେଷଣା ବିଶ୍ବବିଦ୍ୟାଳୟର ଗୌରବକୁ ଆଉ ଏକ ପାଦ ଆଗକୁ ନେଇଛି। ଏଥିପାଇଁ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଗବେଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କୁଳପତି ପ୍ରଫେସର ଡକ୍ଟର ଅର୍କକୁମାର ଦାସମହାପାତ୍ର।
ସୌଜନ୍ୟ ସମ୍ବାଦ




