Vikram Dev University: ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ନୂତନ ପାଠ୍ୟକ୍ରମ ପାଇଁ ବାଟ ଫିଟିଲା
ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷାର ପରିସର ବୃଦ୍ଧି ସହ ନୂଆ ବିଷୟ ଓ ରୋଜଗାରମୁଖୀ ପାଠ୍ୟକ୍ରମ ଖୋଲିବା ନେଇ ବାଟ ଫିଟିଛି। ଓଡ଼ିଶା ୟୁନିଭର୍ସିଟିଜ୍ ଫାଷ୍ଟ ଷ୍ଟାଟ୍ୟୁଟ୍,୧୯୯୦ର ଷ୍ଟାଟ୍ୟୁଟ୍-୨୪ ଅନୁଯାୟୀ ବୁଧବାର ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ୪ର୍ଥ ଏକାଡେମିକ୍ କାଉନସିଲ୍ ବୈଠକରେ ଏନେଇ ବିଭିନ୍ନ ପ୍ରସ୍ତାବ ଉପରେ ବିଚାରବିମର୍ଶ ହୋଇଛି।

ଜୟପୁର: ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷାର ପରିସର ବୃଦ୍ଧି ସହ ନୂଆ ବିଷୟ ଓ ରୋଜଗାରମୁଖୀ ପାଠ୍ୟକ୍ରମ ଖୋଲିବା ନେଇ ବାଟ ଫିଟିଛି। ଓଡ଼ିଶା ୟୁନିଭର୍ସିଟିଜ୍ ଫାଷ୍ଟ ଷ୍ଟାଟ୍ୟୁଟ୍,୧୯୯୦ର ଷ୍ଟାଟ୍ୟୁଟ୍-୨୪ ଅନୁଯାୟୀ ବୁଧବାର ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ୪ର୍ଥ ଏକାଡେମିକ୍ କାଉନସିଲ୍ ବୈଠକରେ ଏନେଇ ବିଭିନ୍ନ ପ୍ରସ୍ତାବ ଉପରେ ବିଚାରବିମର୍ଶ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୂର୍ବ ବୈଠକର ନିଷ୍ପତ୍ତି ନିଶ୍ଚିତକରଣ ସହ ବିଭିନ୍ନ ବିଭାଗର ଅଧ୍ୟୟନ ପରିଷଦର ପ୍ରସ୍ତାବ ଓ ପିଏଚ୍ଡି ପାଠ୍ୟକ୍ରମର ରୂପରେଖ ନେଇ ଆଲୋଚନା କରାଯାଇଥିଲା। ବିଶ୍ୱବିଦ୍ୟାଳୟରେ ଏମ୍ସିଏ, ବିବିଏ ଭଳି ନୂଆ କାର୍ଯ୍ୟକ୍ରମ ଆରମ୍ଭ ସହ କୃଷି ବ୍ୟବସାୟ ପରିଚାଳନା, ଶିଳ୍ପ ସମ୍ପର୍କ ଓ କର୍ମଚାରୀ ପରିଚାଳନା, ସାମ୍ବାଦିକତା ଓ ଗଣଯୋଗାଯୋଗ, ଶିକ୍ଷା, ପରିସଂଖ୍ୟାନ, ଭୂଗୋଳ ଓ ନୃତତ୍ତ୍ୱରେ ନୂତନ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ନେଇ ପ୍ରସ୍ତାବ ଉପରେ ବିଚାର ହୋଇଥିଲା।
ସେହିପରି କୃଷି, ଶାରୀରିକ ଶିକ୍ଷା, ମନୋବିଜ୍ଞାନ ଓ ଭୂବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଏମ୍ଏସ୍ସି ଲାଇଫ୍ ସାଇନ୍ସକୁ ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ସହ ସମତୁଲ୍ୟତା ପ୍ରଦାନ ନେଇ ମଧ୍ୟ ବିଚାର କରାଯାଇଥିଲା। ବାଣିଜ୍ୟ ଶିକ୍ଷାକୁ ଶିଳ୍ପ ଓ ନିଯୁକ୍ତି ସହ ଯୋଡ଼ିବା ଲକ୍ଷ୍ୟରେ ଲଜିଷ୍ଟିକ୍ସ ମ୍ୟାନେଜମେଣ୍ଟ ଏବଂ ବାଣିଜ୍ୟ, ବ୍ୟାଙ୍କିଂ ଓ ଆର୍ଥିକ ସେବା, ରିଟେଲ୍ ଅପରେସନ୍ ଏବଂ ଏଚ୍ଆର୍ ଅପରେସନ୍ କ୍ଷେତ୍ରରେ ଶିକ୍ଷା ସହ ଶିଳ୍ପ ପ୍ରଶିକ୍ଷଣକୁ ଯୋଡ଼ିଥିବା ବି.କମ୍ ପାଠ୍ୟକ୍ରମ ଆରମ୍ଭ ନେଇ ମଧ୍ୟ ପ୍ରସ୍ତାବ ଆସିଥିଲା। ବୈଠକରେ କୁଳପତିଙ୍କ ସମେତ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ପାତ୍ର, କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ, ବିଭିନ୍ନ ବିଭାଗର ମୁଖ୍ୟ ଓ ଏକାଡେମିକ୍ କାଉନସିଲ୍ର ସଦସ୍ୟମାନେ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




