ରାଜ୍ୟ

NFHS-6 ରିପୋର୍ଟ: ତମାଖୁ ଛାଡ଼ୁଛନ୍ତି ଓଡ଼ିଶାବାସୀ, ୨୧ଟି ଜିଲ୍ଲାରେ କମିଛି, ୯ ଜିଲ୍ଲାରେ ପୁରୁଷଙ୍କ ସଂଖ୍ୟା ବଢ଼ିଛି

ଭୁବନେଶ୍ୱର,୨୪/୦୯:ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ(ଏନ୍ଏଫ୍ଏସ୍ଏଚ୍-୬) ରିପୋର୍ଟ ଗତ କିଛି ଦିନ ତଳେ ପ୍ରକାଶିତ ହୋଇଛି । ଓଡ଼ିଶାରେ ମହିଳା ଓ ପୁରୁଷ ଉଭୟଙ୍କ କ୍ଷେତ୍ରରେ ତମାଖୁ ସେବନରେ ହ୍ରାସ ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ରିପୋର୍ଟ କହୁଛି, ୧୫ ବର୍ଷ କିମ୍ୱା ତା’ଠାରୁ ଅଧିକ ବୟସର ୨୨.୮% ମହିଳା ତମାଖୁ ବ୍ୟବହାର କରୁଛନ୍ତି । ଯାହା ଏନ୍ଏଫ୍ଏସ୍ଏଚ୍-୫ ଏହି ସଂଖ୍ୟା ଥିଲା ୨୬.୧% । ସେହିଭଳି ପୁରୁଷଙ୍କ କ୍ଷେତ୍ରରେ ଏହି ହାର ୫୧.୭%ରୁ କମି ୪୮.୩% ହୋଇଛି । ଯାହା ତମାଖୁ ନିୟନ୍ତ୍ରଣ ଉଦ୍ୟମରେ ପ୍ରଗତିକୁ ଦର୍ଶାଉଛି ।

ଏନ୍ଏଫ୍ଏସ୍ଏଚ୍-୫ ତୁଳନାରେ କେତେକ ଜିଲ୍ଲାରେ ଉତ୍ସାହଜନକ ସୁଧାର ଦେଖିବାକୁ ମିଳିଛି । ତମାଖୁ ବ୍ୟବହାର ମୟୂରଭଞ୍ଜରେ ଏନ୍ଏଫ୍ଏସ୍ଏଚ୍-୫ରେ ୬୨.୨% ଥିଲା । ଏନ୍ଏଫ୍ଏସ୍ଏଚ୍-୬ରେ ୫୧%, ଖୋର୍ଦ୍ଧାରେ ଏନ୍ଏଫ୍ଏସ୍ଏଚ୍-୫ରେ ୪୪.୭% ଥିଲା । ଏବେ ୩୪.୩%, ପୁରୀରେ ୫୨.୬%ରୁ ୪୦.୫%, ଅନୁଗୋଳରେ ୫୬.୯%ରୁ ୪୮.୮% ଏବଂ ଢେଙ୍କାନାଳରେ ୫୬%ରୁ ୪୭.୨%କୁ ହ୍ରାସ ପାଇଛି । ମୋଟ ୨୧ଟି ଜିଲ୍ଲାରେ ପୁରୁଷଙ୍କ ତମାଖୁ ସେବନ ହ୍ରାସ ପାଇଥିବା ବେଳେ ୯ଟି ଜିଲ୍ଲାରେ ଏହା ବୃଦ୍ଧି ପାଇଛି । ସବୁଠାରୁ ଚିନ୍ତାଜନକ ଜିଲ୍ଲା ହେଉଛି ଗଞ୍ଜାମ, ନୂଆପଡ଼ା, ରାୟଗଡ଼ା, ମାଲକାନଗିରି ଏବଂ କନ୍ଧମାଳ । ଏହି ୫ଟି ଜିଲ୍ଲରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ତମାଖୁ ବ୍ୟବହାର ବୃଦ୍ଧି ପାଇଛି । ରାଜ୍ୟର ୧୯ଟି ଜିଲ୍ଲାରେ ଉଭୟ ପୁରୁଷ ଓ ମହିଳାଙ୍କ ତମାଖୁ ସେବନରେ ହ୍ରାସ ଘଟିଛି, ଯାହା ରାଜ୍ୟର ଅଧିକାଂଶ ଭାଗରେ ସୁଧାରକୁ ଦର୍ଶାଉଛି ।

ମୟୂରଭଞ୍ଜରେ ୩୪.୯%ରୁ ୨୭.୭%, କେନ୍ଦୁଝରରେ ୩୪.୯%ରୁ ୩୦.୨%, ପୁରୀରେ ୨୫.୫%ରୁ ୧୭.୯% ଏବଂ ଖୋର୍ଦ୍ଧାରେ ୨୦.୧%ରୁ ୧୪.୫% କୁ ହ୍ରାସ ରେକର୍ଡ କରାଯାଇଛି । ମୋଟ ୩୦ଟି ଜିଲ୍ଲାରୁ ୨୪ଟି ଜିଲ୍ଲାରେ ମହିଳାଙ୍କ ତମାଖୁ ବ୍ୟବହାର କମିଥିବା ବେଳେ ୬ଟି ଜିଲ୍ଲାରେ ବୃଦ୍ଧି ପାଇଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ରହୁଥିବା ମହିଳାମାନେ ଅଧିକ ତମାଖୁ ସେବନ କରୁଛନ୍ତି ।

ଜନସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ତମାଖୁ ବ୍ୟବହାର ହ୍ରାସ ପାଇବା ଏକ ସକାରାତ୍ମକ ସଙ୍କେତ, କିନ୍ତୁ ଅନେକ ଜିଲ୍ଲାରେ ଏହା ଏବେ ବି ଗ୍ରହଣଯୋଗ୍ୟ ନୁହେଁ। ତମାଖୁ ସେବନ କମାଇବା ଦ୍ୱାରା ମୁଖ କର୍କଟ ଏବଂ ବେକର ଅନ୍ୟାନ୍ୟ କର୍କଟ ରୋଗର ଆଶଙ୍କାକୁ ଯଥେଷ୍ଟ ପରିମାଣରେ ଏଡ଼ାଯାଇପାରିବ । ଅଧିକାଂଶ ମୁଖ କର୍କଟ ମାମଲା ଧୂମପାନ-ତମାଖୁ(ଖାଇନି/ଜର୍ଦ୍ଦା) ସହ ଜଡ଼ିତ । କର୍କଟ ରୋଗର ଚିକିତ୍ସା କରିବାଠାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ତମାଖୁ ସେବନ ବନ୍ଦ କରିବା ଅଧିକ ପ୍ରଭାବଶାଳୀ ବୋଲି ସେ କହିଛନ୍ତି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button