ପାଟଣାରେ ଚାଞ୍ଚଲ୍ୟ: ୫ମାସର ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗ, କୋର୍ଟ ଚାଲାଣ ହେଲେ ଦେଡ଼ଶୁର

ପାଟଣା,୨୪/୦୯: ପାଟଣା ଥାନା ଅନ୍ତର୍ଗତ ବାଲିବନ୍ଧ ଗ୍ରାମରେ ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା ସାମ୍ନାକୁ ଆସିଛି । ଜଣେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପାଟଣା ପୁଲିସ ଅଭିଯୁକ୍ତ ଦେଡ଼ଶୁର ଲୋକନାଥ ମହାନ୍ତ (୩୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗ୍ରାମର ଖଗେଶ୍ୱର ମହାନ୍ତଙ୍କ ସାନପୁଅ ବାଙ୍ଗାଲୋରରେ ରହି ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ତାଙ୍କ ସ୍ତ୍ରୀ ଶାଶୂ ଘରେ ଅନ୍ୟ ପରିବାର ଲୋକଙ୍କ ସହ ରହୁଥିଲେ ।
ଗତ ୨୦ ତାରିଖ ଦିନ ଘରେ କେହି ନଥିବାର ସୁଯୋଗ ନେଇ ସମ୍ପର୍କୀୟ ଦେଡ଼ଶୁର ଲୋକନାଥ ମହାନ୍ତ ଭାଇବୋହୂଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ପ୍ରତିରୋଧ କରି ପାଟି କରିବାରୁ ଅଭିଯୁକ୍ତ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ମହିଳା ଜଣକ ୫ ମାସର ଗର୍ଭବତୀ ଥିବା ଜାଣିବା ସତ୍ତେ୍ୱ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।
ଏ ନେଇ ପୀଡ଼ିତା ପାଟଣା ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଥାନା ଏସ.ଆଇ. ଲକ୍ଷ୍ମଣ ମାଝୀ ଘଟଣାର ତଦନ୍ତ ଭାର ଗ୍ରହଣ କରି ଉଭୟଙ୍କର ଡାକ୍ତରୀ ମାଇନା କରାଇଥିଲେ । ଏହି ଘଟଣାରେ ପାଟଣା ଥାନାରେ କେସ୍ ନଂ- ୩୬୫/୨୬ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଲୋକନାଥ ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ସୌଜନ୍ୟ ପ୍ରମେୟ




