୨୧.୯୧ କୋଟିର ପ୍ଲାନେଟୋରିୟମ୍ରେ ତାଲା! ଆୟ ୬ ଲକ୍ଷରୁ କମ୍, ଖର୍ଚ୍ଚ କୋଟିଏ

କେନ୍ଦୁଝର,୨୪/୦୯: ବିଜ୍ଞାନ ବିନା ବିକାଶ ଅସମ୍ଭବ । ସେଥିପାଇଁ ବିଜ୍ଞାନ ଓ ବିକାଶ ସମତାଳରେ ଆଗକୁ ବଢ଼ିଥାଏ । ପ୍ରତିଦିନ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣୁଥିବା କୁହାଯାଉଛି । ଏହାକୁ ବିଚାର କେନ୍ଦୁଝର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ୨୦୨୪ ମସିହା ଫେବ୍ରୁଆରୀ ମାସରେ ତତ୍କାଳୀନ ସରକାର ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ୍ ଘଟଗାଁ ଠାରେ ପ୍ରତିିଷ୍ଠା କରିଥିଲେ । ତେବେ ଯେଉଁ ଉଦ୍ଦେଶ୍ୟରେ ତାହା ପ୍ରତିଷ୍ଠା କରାଯାଇଥିଲା ତାହା ଅଧାରାସ୍ତାରେ ଅଟକି ଯାଇଛି । ଉକ୍ତ ପ୍ଲାନେଟୋରିୟମ୍ ବିପୁଳ କ୍ଷତି ଦେଇ ଗତି କରୁଥିଲା । ଆୟ ମାତ୍ର ୬ ଲକ୍ଷ ଟଙ୍କାରୁ କମ୍ ହେଉଥିବା ବେଳେ ବ୍ୟୟ କୋଟିଏରେ ପହଞ୍ଚିଥିଲା । ସରକାର ଏଭଳି କ୍ଷତି ସହିବା ପରେ ୩ମାସ ହେବ ପ୍ଲାନେଟୋରିୟମ୍ ବନ୍ଦ ହୋଇଯାଇଛି।
ପିଲାମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବା ଲକ୍ଷ୍ୟରେ କେନ୍ଦୁଝରର ଘଟଗାଁ ଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ୍ ୨୦୨୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ପ୍ଲାନେଟାରିୟମ୍ ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣରେ ସମସ୍ୟା ଯୋଗୁ ଆଜି ଏହା କ୍ଷତି ଦେଇ ଗତି କରୁଛି । ଜିଲ୍ଲା ମୁଖ୍ୟାଳୟରେ କରିବା ବଦଳରେ କେଉଁ କାରଣରୁ ତାହା ଘଟଗାଁ ଠାରେ ପ୍ରତିଷ୍ଠା କରାଯାଇଥିଲା ସେନେଇ ତତ୍କାଳୀନ ସରକାରଙ୍କ ଦୂରଦୃଷ୍ଟି ଅଭାବ ବୋଲି ଚର୍ଚ୍ଚା ହେଉଛି । କେନ୍ଦୁଝର ସହିତ ବାରିପଦା, ଜୟପୁର, ରାୟଗଡାରେ ପ୍ଲାନେଟୋରିୟମ୍ ପ୍ରତିଷ୍ଠା ହୋଇଥିଲା । ସବୁଠି ସଦର ମହକୁମାରେ ହୋଇଥିବା ବେଳେ କେନ୍ଦୁଝରରେ କେବଳ ଘଟଗାଁ ଅଞ୍ଚଳରେ କରାଯାଇଥିଲା । ପ୍ଲାନେଟୋରିୟମ୍ ପାଇଁ ରାଜ୍ୟ ସରକାର ୨୧.୯୧ କୋଟି ଟଙ୍କା ବ୍ୟୟ କରିଥିଲେ । ଭୂବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମ୍ ଓ କେନ୍ଦୁଝର ଜିଲ୍ଲା ବିଜ୍ଞାନ ପ୍ରସାର ସମିତି ଦ୍ୱାରା ଏହା ପରିଚାଳିତ ହେଉଥିଲା । ୩୬ ଜଣ ଅଭିଜ୍ଞ କର୍ମଚାରୀ ନିୟୋଜିତ ଥିଲେ ।
ପ୍ଲାନେଟୋରିୟମ୍ଟି ୪ ଅକ୍ଟୋବର ୨୦୨୪ରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୨୨,୬୬୪ ଜଣ, ୨୦୨୫-୨୬ରେ ୨୩,୧୧୧ ଜଣ ଏବଂ ୨୦୨୬-୨୭ରେ ସେପ୍ଟେମ୍ବର ସୁଦ୍ଧା ୧,୦୦୯ ଜଣ ଦର୍ଶକ ଏଠାକୁ ଆସିଛନ୍ତି । ୨୦୨୪-୨୫ ଆର୍ଥିକବର୍ଷରେ ଦରମା ବାବଦକୁ ୪୮ ଲକ୍ଷ ୫୨ ହଜାର ୬୮୦ ଟଙ୍କା, ବିଦ୍ୟୁତ୍ ବିଲ୍ ୮ ଲକ୍ଷ ୫୫ ହଜାର ୬୦ ଟଙ୍କା ଏବଂ ଅନ୍ୟାନ୍ୟା ଖର୍ଚ୍ଚ ୭୧ ହଜାର ୧୦୭ ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୨୫ ୨୬ରେ ଦରମା ୮୭ ଲକ୍ଷ ୩୧ ହଜାର ୨୪୫ ଟଙ୍କା ଏବଂ ବିଦ୍ୟୁତ୍ ବିଲ ୧୦ ଲକ୍ଷ ୮୦ ହଜାର ଏବଂ ଅନ୍ୟାନ୍ୟ ୨ ଲକ୍ଷ ୨୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୬-୨୭ ସେପ୍ଟେମ୍ବର ସୁଦ୍ଧା ଦରମା ୨୬ ଲକ୍ଷ ୮ ହଜାର ୬୧ ଟଙ୍କା ବିଦ୍ୟୁତ୍ ବିଲ ୫ ଲକ୍ଷ ୪୦ ହଜାର ଓ ଅନ୍ୟାନ୍ୟ ୧ ଳକ୍ଷ ୧୧ ହଜାର ଖର୍ଚ୍ଚ ହୋଇଛି । ସେହି ତୁଳନାରେ ୨୦୨୪ ୨୫ରେ ଆୟ ୫ ଲକ୍ଷ ୭୦ ହଜାର ୪୪୦ ଟଙ୍କା, ୨୦୨୫-୨୬ରେ ଆୟ ୫ ଲକ୍ଷ ୭୯ ହଜାର ୯୮୦ ଟଙ୍କା ଏବଂ ଚଳିତବର୍ଷ ୨୬ ହଜାର ୧୨୦ ଟଙ୍କା ଆୟ ହୋଇଛି । ମୁଖ୍ୟତଃ ପ୍ରଚାର ପ୍ରସାର ଏବଂ ଗମନାଗମନ ପ୍ରତିବନ୍ଧକ ଯୋଗୁ ଦର୍ଶକ ହ୍ରାସ ପାଇଥିଲା ।
ସୌଜନ୍ୟ ପ୍ରମେୟ




