ରାଜ୍ୟ

Odisha Flood Update: ମହାନଦୀରେ ବନ୍ୟା ସ୍ଥିତି, ଆସୁଛି ୮ ଲକ୍ଷ ଘନଫୁଟ ପାଣି, ୫ ଜିଲ୍ଲାର ତଳିଆ ଅଞ୍ଚଳ ବୁଡ଼ିବ

ଭୁବନେଶ୍ୱର, ୨୮/୦୯: ଫୁଲୁଛି ମହାନଦୀ । ଉପରମୁଣ୍ଡ ଓ ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ଯୋଗୁ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏଥିପାଇଁ ହୀରାକୁଦର ୨୮ଟି ଗେଟ୍ ଖୋଲିଛି । ଉପରମୁଣ୍ଡରୁ ଆସୁଥିବା ପାଣି ପହଞ୍ଚିବା ପରେ ସୋମବାର ମୁଣ୍ଡୁଳିରେ ୮ଲକ୍ଷ ପାଣି ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି । ମହାନଦୀରେ ଛୋଟଧରଣର ବନ୍ୟା ସ୍ଥିତି ସୃଷ୍ଟି ହେବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।

ରବିବାର ରାତି ୯ଟାରେ ହୀରାକୁଦର ଜଳସ୍ତର ୬୨୮.୫୪ ଫୁଟ ଥିଲା । ୨୮ଟି ଗେଟ୍ ଦେଇ ସେକେଣ୍ଡ ପିଛା ୫ ଲକ୍ଷ ୪୦ ହଜାର ଘନଫୁଟ ନିଷ୍କାସିତ ହେଉଛି । ତେଲ ନଦୀର ପଥରଳାରୁ ୧ଲକ୍ଷ ୮୩ହଜାର ମହାନଦୀରେ ପ୍ରବେଶ କରୁଥିଲା । ଖଇରମାଳରେ ୬ଲକ୍ଷ ୩୦ହଜାର ପାଣି ଚାଲିଥିବାବେଳେ ବରମୂଳରେ ୬ଲକ୍ଷ ୪୬ ହଜାର ପାଣି ପ୍ରବାହିତ ହେଉଥିଲା ।

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ଆକଳନ କରି କହିଛନ୍ତି, ମହାନଦୀ ନଦୀ ପ୍ରଣାଳୀର ବିଭିନ୍ନ ଅବବାହିକାରେ ପ୍ରବଳ ବର୍ଷା ହୋଇଛି । ସେଓନାଥ, ଜୋଙ୍କ ଓ ମହାନଦୀର ଅନ୍ୟ ଉପନଦୀରେ ଜଳପ୍ରବାହ ବଢ଼ିଛି । ସୋମବାର ସୁଦ୍ଧା ମୁଣ୍ଡୁଳିରେ ୮ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେବ । ମହାନଦୀରେ ଛୋଟଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ ଓ ମକରା ଭଳି ନଦୀରେ ପାଣି ଫୁଲି ବନ୍ୟା ସ୍ଥିତି ସୃଷ୍ଟି ହେବ । ପାଖରେ ଥିବା ଚାଷ ଜମି ବୁଡ଼ିବ । କିନ୍ତୁ ବ୍ୟାପକ ଅଞ୍ଚଳ ବୁଡ଼ିବା ବା ବଡ଼ ବନ୍ୟାର ଆଶଙ୍କା ନାହିଁ । ପୂର୍ବଥର ବନ୍ୟା ଭଳି କମ୍ ପ୍ରଭାବ ରହିବ।

ମହାନଦୀରେ ବନ୍ୟା ଯୋଗୁ ବାଙ୍କୀ, ଆଠଗଡ଼ ଓ ବଡ଼ମ୍ବାର ତଳିଆ ଅଞ୍ଚଳରେ ପାଣି ପଶିବ । ରଣା, କଣ୍ଟିଆ ନାଳରେ ପାଣି ପଶିବ । ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବ । ୨୪ ଘଣ୍ଟା ଯାଏ ତଳିଆ ଅଞ୍ଚଳ ବୁଡ଼ି ରହିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button