Capital Hospital: କାଜୁଆଲିଟିରେ ଅଣନିଃଶ୍ବାସୀ, କ୍ୟାପିଟାଲ ହସ୍ପିଟାଲ-ପିଜିଆଇଏମଆର ଯାତନା

ଭୁବନେଶ୍ୱର,୨୮\୯: କ୍ୟାପିଟାଲ ହସ୍ପିଟାଲ ‘କାଜୁଆଲିଟି’ରେ ଅଣନିଃଶ୍ୱାସୀ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ । ଡାକ୍ତର ରୋଗୀଙ୍କୁ ଠିକଣା ଭାବେ ଦେଖିବା ତ ଦୂରର କଥା, ରୋଗୀ ଠିକରେ ବସିବା ବା ଷ୍ଟ୍ରେଚରରେ ରଖି ଚିକିତ୍ସା ସମ୍ଭବ ହେଉନି । ଅଣଓସାରିଆ ସ୍ଥାନରେ ରୋଗୀଙ୍କ ଭିତରେ ଠେଲାପେଲା ଆଉ ଧକ୍କା ମରାମରି ହେଉଥିବା ଦେଖିବାକୁ ମିଳୁଛି । ଡାକ୍ତର ହୁଅନ୍ତୁ ବା ନର୍ସ, ଜଣେ ରୋଗୀଙ୍କ ପାଖକୁ ଗଲାବେଳକୁ ସଂଘର୍ଷ କରିବାକୁ ପଡ଼ୁଛି । କ୍ୟାପିଟାଲ ହସ୍ପିଟାଲରେ ବଡ଼ ବିଚିତ୍ର ପରିସ୍ଥିତିରେ ଚାଲିଛି ଜରୁରିକାଳୀନ ସେବା । ଦୈନିକ ୫ଶହରୁ ୬ଶହ ରୋଗୀ ଆସୁଛନ୍ତି ଏଠାକୁ । ଏତେ ଛୋଟ ଜାଗାରେ ଅଣାୟତ୍ତ ହେଉଛନ୍ତି ରୋଗୀ । ରୋଗୀଙ୍କ ସମେତ ଡାକ୍ତର ଓ କର୍ମଚାରୀଙ୍କୁ ମିଶାଇ ଏକାଥରକେ ୩୦ରୁ୪୦ ଜଣ ରୁଣ୍ଡ ହେଉଛନ୍ତି । ଏପଟେ ଡାକ୍ତରଙ୍କ ଉପରେ ଅଧିକ ମାତ୍ରରେ ଚାପ ପଡ଼ୁଥିଲା ବେଳେ ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ପାଟିତୁଣ୍ଡ କରୁଛନ୍ତି ।
ଚିକିତ୍ସା ପାଇଁ କାଜୁଆଲିଟି ବହୁତ ଛୋଟ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି । ବର୍ତ୍ତମାନ ନୂଆ ଟ୍ରମା କେୟାର ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଟ୍ରମା କେୟାର ସେଣ୍ଟର କାର୍ଯ୍ୟକାରୀ ହେଲେ କାଜୁଆଲିଟି ସେଠାକୁ ଉଠିଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ ଟ୍ରମା କେୟାର ସେଣ୍ଟର’ ନିର୍ମାଣ କାର୍ଯ୍ୟ ବର୍ଷେ ହେଲା ଶେଷ ହେଲାଣି । ହେଲେ ନୂଆ ବିଲ୍ଡିଂ କାର୍ଯ୍ୟକ୍ଷମ ହୋଇପାରୁନି । ବିଲ୍ଡିଂକୁ ନେଇ ବିବାଦ ଦେଖାଦେଇଛି ।
ସୌଜନ୍ୟ ପ୍ରମେୟ




