Odisha Tourism : ଏଣିକି ଜଙ୍ଗଲରେ ଆଡଭେଞ୍ଚର ଟୁରୁଜିମ୍,ଘଞ୍ଚ ଜଙ୍ଗଲରେ ଟ୍ରେକିଂ କରିବେ ପର୍ଯ୍ୟଟକ

ଭୁବନେଶ୍ୱର,୨୮\୯: ଏଣିକି ଘଞ୍ଚ ଜଙ୍ଗଲରେ ଚାଲିବ ଆଡଭେଞ୍ଚର ଟୁରିଜମ୍ । ଦେବ୍ରିଗଡ଼, ଚନ୍ଦକା, ଶିମିଳିପାଳ, ସାତକୋଶିଆ ଭଳି ଅଭୟାରଣ୍ୟରେ ରାତ୍ରୀଯାପନ କରିବେ ପର୍ଯ୍ୟଟକ । ଲମ୍ବା ୱାକରେ ଯାଇ ଜଙ୍ଗଲର ଅପହଞ୍ଚ ଇଲାକାରେ ଘୁରି ବୁଲିବେ । କଷ୍ଟସାଧ୍ୟ ଟ୍ରେକିଂ କରି ପାହାଡ଼ ଶିଖରକୁ ଛୁଇଁବେ । ଏଭଳି ଆଡଭେଞ୍ଚର ଟୁରିଜିମ୍ ପାଇଁ ଓଡି଼ଶାର ୧୧ଟି ସ୍ଥାନ ଚିହ୍ନଟ କରା ଯାଇଛି । ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ ପ୍ରେମ କୁମାର ଝା ଏହା କହିଛନ୍ତି ।
ଶ୍ରୀ ଝା କହିଛନ୍ତି, ଦେଶ ବିଦେଶରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାକୁ ଆଡଭେଞ୍ଚର ଟୁରିଜିମ୍ କୁ ବ୍ୟାପକ କରାଯିବ । ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଟୁରିଷ୍ଟ ଗାଇଡକୁ ପ୍ରଥମେ ସ୍ୱତନ୍ତ୍ର ତାଲିମ୍ ଦିଆଯିବ । ହେଲେ ବନ୍ୟଜନ୍ତୁଙ୍କ ସୁରକ୍ଷା ହେଉଛି ଜଙ୍ଗଲ ବିଭାଗର ପ୍ରାଥମିକତା । ସେଥିପାଇଁ ଏହି ଦୁଃସାହସିକ କାର୍ଯ୍ୟକ୍ରମରୁ ଜଙ୍ଗଲର ନିଷିଦ୍ଧାଞ୍ଚଳ ଓ କୋର୍ ଏରିଆକୁ ବାଦ୍ ଦିଆଯିବ । ଏନେଇ ବିଚାରବିମର୍ଶ ଚାଲିଛି । ହାତୀ ଆକ୍ରମଣ ଜନିତ ମୃତ୍ୟୁର କ୍ଷତିପୂରଣକୁ ୧୦ ଲକ୍ଷ ଟଙ୍କାକୁ ବଢ଼ାଯାଇଛି । ହାତୀଙ୍କ ସୁରକ୍ଷା ପାଇଁ ‘ଏଆଇ’ ଚାଳିତ ଟାୱାର ନିର୍ମାଣ କରାଯାଇଛି । ଯାହା ଜଙ୍ଗଲରେ ନିଆଁ ଲାଗିବା ପୂର୍ବରୁ ସୂଚନା ଦେଉଛି । ଥର୍ମାଲ ଡ୍ରୋନରେ ରାତିବେଳା ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ସାତକୋଶିଆ ଓ ଦେବ୍ରିଗଡ଼ ଅଭୟାରଣ୍ୟକୁ ବାଘ ଆଣିବା ପାଇଁ ପୁଣି ଥରେ ଉଦ୍ୟମ କରାଯିବ ବୋଲି ପିସିସିଏଫ୍ କହିଛନ୍ତି । ୭୨ତମ ବନ୍ୟପ୍ରାଣୀ ସପ୍ତାହରେ ଚଳିତ ବର୍ଷର ଥୀମ୍ ହେଉଛି ପ୍ରୋଟେକ୍ଟ ୱାଇଲ୍ଡଲାଇଫ, ପ୍ରୋଟେକ୍ଟ ୟୋର ଫ୍ୟୁଚର । ଓଡ଼ିଶାର ବନ୍ୟଜନ୍ତୁଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଶ୍ରୀ ଝା ଲୋକଙ୍କୁ ଅପିଲ୍ କରିଛନ୍ତି ।
ସୌଜନ୍ୟ ପ୍ରମେୟ




