ଗାଡ଼ି ଚାଲାଣ କଟାରେ ହେରଫେର ଧରିଲେ ସିଏଜି: ଚାଲାଣ କଟିଲା ହେଲେ ଜରିମାନା ଆଦାୟ ହେଲାନି, ସରକାରଙ୍କ ୬୪୦ କୋଟି କ୍ଷତି

- ଅମାନିଆଙ୍କୁ ଅଳ୍ପ ଜରିମାନା କଷି ଛାଡ଼ିଦେଲେ
- ବିନା ଫଟୋ ପ୍ରମାଣରେ କାଟିଛନ୍ତି ୪୩ ଲକ୍ଷ ଚାଲାଣ
- ଜାଣିଶୁଣି ଉପଯୁକ୍ତ ଅପରାଧ ବୁକ୍ କରିନାହାନ୍ତି
- ୧୯,୫୮୩ ଓଭରଲୋଡ୍ ଟ୍ରକ୍କୁ ଛାଡ଼ିଛନ୍ତି
ଭୁବନେଶ୍ୱର ୨୯/୦୯: ମୋଟରଯାନ ଆଇନ ଅନୁସାରେ ସଡ଼କ ନିୟମ ଭାଙ୍ଗିଲେ ଜରିମାନା ଲାଗୁ ହେବ । ଇ-ଚାଲାଣ କାଟିବା ବେଳେ ସବୁ ଅପରାଧ ପାଇଁ ଭିନ୍ନ ଭିନ୍ନ ଜରିମାନା ଲାଗୁ ହେବ । କିନ୍ତୁ ୨୦୧୯ରୁ ୨୦୨୪ ଭିତରେ କଟା ଯାଇିଥବା ଚାଲାଣରେ ବଡ଼ ହେରଫେର ହୋଇଛି । ଟ୍ରାଫିକ ପୁଲିସ ଓ ଆରଟିଓ କର୍ମଚାରୀ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଚାଲାଣ କାଟିଛି ସତ, ହେଲେ ଅନେକ ମାମଲାରେ ଅମାନିଆଙ୍କ ସହ ରଫାଦଫା କରି ଚାଲାଣରେ ଜରିମାନା ରାଶି କମାଇ ଦେଇଛି । ନିୟମ ବାହାରକୁ ଯାଇ ଏହି ତଥାକଥିତ ରଫାଦଫା କରିବା ଯୋଗୁ ସରକାର ୬୪୦ କୋଟି ଟଙ୍କାର ଜରିମାନା ରାଶି ହରାଇଛନ୍ତି । ଚାଲାଣ କଟାରେ ହୋଇଥିବା ଏହି ହେରଫେରକୁ ଧରିଛନ୍ତି ସିଏଜି ।
ସିଏଜି ଅଡିଟ୍ରୁ ଚାଲାଣ କଟାକୁ ନେଇ ଚାଲିଥିବା କାରସାଦି ଫୁଟି ବାହାରିଛି । ୨୦୧୯ରୁ ୨୦୨୪ ଭିତରେ ଇ-ଚାଲାଣ ଓ ବାହନ ତଥ୍ୟକୁ ତନ୍ନ ତନ୍ନ କରି ଅଡିଟ୍ରେ ଯାଞ୍ଚ କରାଯାଇଥିଲା । ଏଥିରେ କିଛି ଅମାନିଆ ଗାଡ଼ି ଚାଳକଙ୍କ ସହ ଟ୍ରାଫିକ ପୁଲିସ କରିଥିବା ରଫାଦଫା ତଥ୍ୟ ମିଳିଛି । ଯଦି ଜଣେ ଅମାନିଆ ଗାଡ଼ି ଚାଳକ ଧରାପଡ଼ନ୍ତି, ନିୟମ ଅନୁସାରେ, ତାଙ୍କର ଡ୍ରାଇଭିଂ ଲାଇସେନ୍ସ(ଡିଏଲ), ପଞ୍ଜିକରଣ ପ୍ରମାଣପତ୍ର(ଆରସି), ଫିଟନେସ୍ ଓ ଇନସୁରାନ୍ସ(ବୀମା) ଡକ୍ୟୁମେଣ୍ଟ ଯାଞ୍ଚ କରିବା ବାଧ୍ୟତାମୂଳକ । ଏକାଧିକ ନିୟମ ଉଲଙ୍ଘନ କରିଥିଲେ ଏକାଧିକ ଜରିମାନା କଷାଯିବ । ଅର୍ଥାତ୍ ଯଦି ଜଣେ ନିୟମ ଭାଙ୍ଗି ଧରାପଡ଼ନ୍ତି ଓ ତାଙ୍କ ଗାଡ଼ିର ଫିଟନେସ୍ ନଥିବ ତାଙ୍କ ଉପରେ ୫ହଜାର ଜରିମାନା ଲାଗୁ ହେବ । ପୁଣି ସେହି ସମାନ ଗାଡ଼ିର ବୀମା ନ ଥିଲେ ଅତିରିକ୍ତ ୨ ହଜାର ଟଙ୍କା ଜରିମାନା ଲାଗିବ । ଯଦି ସେହି ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନ ଲାଗିନଥିବ ତା ଉପରେ ଆଉ ୫ ହଜାର ଜରିମାନା ଲାଗିବ । ଯଦି ବିନା ପରମିଟ୍ରେ ଏ ଗାଡ଼ି ଚାଲିଥିବ ଆଉ ୧୦ହଜାର ଜରିମାନା କଷାଯିବ । ଭିନ୍ନ ଭିନ୍ନ ଅପରାଧ ବା ନିୟମ ଉଲ୍ଲଙ୍ଘନ ପାଇଁ ଟ୍ରାଫିକ ପୁଲିସ ବା ଆରଟିଓ କର୍ମଚାରୀ ଏ ସବୁ ଅପରାଧକୁ ବୁକ୍ କରି ଜରିମାନା ଲଗାଇବେ । କିନ୍ତୁ ଏହାର ଖୋଲା ଉଲ୍ଲଙ୍ଘନ ହୋଇଛି । ଏକାଧିକ ଅପରାଧ କ୍ଷେତ୍ରରେ ଗାଡ଼ି ଚାଳକ/ମାଲିକଙ୍କ ସହ ରଫାଦଫା କରି କେବଳ ଗୋଟିଏ ବା ଦୁଇଟି ଅପରାଧ ପାଇଁ ଜରିମାନା ପକାଯାଇଛି ।
୩ଲକ୍ଷ ୩୧ ହଜାର ୮୦୯ ମାମଲାରେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ପାଇଁ ଜରିମାନା ଆଦାୟ ହୋଇନି । ଏଥିପାଇଁ ୩୩୧ କୋଟି ଟଙ୍କା କ୍ଷତି ହୋଇଛି । ପୁଣି ଫିଟନେସ୍ ପ୍ରମାଣପତ୍ର ନ ଥାଇ ବି ୨ଲକ୍ଷ ୯୧ହଜାର ୫୩୬ ମାମଲାରେ ଜରିମାନା ଛାଡ଼ କରାଯାଇଛି । ଏଥିରେ ୧୪୫ କୋଟି ଟଙ୍କାର କ୍ଷତି ହୋଇଛି । ବୀମା ପ୍ରମାଣପତ୍ର ବା ଇନସୁରାନ୍ସ ନ ଥାଇ ବି ୭ଲକ୍ଷ ୩ହଜାର ମାମଲାରେ ଜରିମାନା ଆଦାୟ ନ ହେବାରୁ ୧୪୦ କୋଟି ଟଙ୍କାର କ୍ଷତି କ୍ଷତି ସହିଛନ୍ତି ସରକାର । ପୁଣି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗିନଥିବା ୩୧ହଜାର ୩୨୦ ଗାଡ଼ି ଉପରେ ଜରିମାନା ଲାଗୁ ନ ହେବାରୁ ୧୫ କୋଟି କ୍ଷତି ହୋଇଛି । ବିନା ପରମିଟ୍ରେ ଯାଉଥିବା ୬୯୩୪ ଗାଡ଼ିକୁ ମାଫ୍ ଦିଆଯାଇଛି । ଏଥିରେ ସରକାର ପ୍ରାୟ ୭ କୋଟି ଟଙ୍କା ହରାଇଛନ୍ତି । ଏହି କ୍ଷତି ଉପରେ ସରକାର ସଫେଇ ରଖି କହିଛନ୍ତି, ଟ୍ରାଫିକ ପୁଲିସ ଅଧିକାରୀ ଓ କର୍ମଚାରୀ ନିଜ ପୁଲିସ ଷ୍ଟେସନର କ୍ଷେତ୍ରାଧିକାର ମଧ୍ୟରେ ଏହି ଜରିମାନାକୁ ରଫାଦଫା ପାଇଁ ଅଧିକାରପ୍ରାପ୍ତ ।
ସୌଜନ୍ୟ ପ୍ରମେୟ




