Flood Update: ନରାଜରେ ବିପଦ ସଙ୍କେତ ଛୁଇଁଲା ମହାନଦୀ, ତଳି ଅଞ୍ଚଳରେ ରହିବ ଜଳବନ୍ଦୀ ସମସ୍ୟା

ଭୁବନେଶ୍ୱର,୩୦/୦୯; ଉପରମୁଣ୍ଡରୁ ମହାନଦୀକୁ ଜଳ ପ୍ରବାହ କମିଛି । ତଥାପି ନରାଜରେ ବିପଦ ସଙ୍କେତ ଛୁଇଁଛି ମହାନଦୀ । ଇତିମଧ୍ୟରେ ହୀରାକୁଦ ଜଳଭଣ୍ଡାରର ୧୧ଟି ଗେଟ୍ ବନ୍ଦ କରାଯାଇଛି । ତଥାପି ୧୯ଟି ଗେଟ ଦେଇ ପାଣି ଆସୁଛି । ମହାନଦୀ ଓ ଶାଖା ନଦୀଗୁଡ଼ିକରେ ଜଳ ସ୍ତର ଏବେ ଦିନେ ଦୁଇଦିନ ସ୍ଥିର ରହିପାରେ । ତେଣୁ କଟକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ାର ତଳି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଆହୁରି କିଛିଦିନ ରହିପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ସମ୍ଭାବନା ନାହିଁ । କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୯.୬୭ ଫୁଟ୍ ଥିଲା । ପ୍ରତି ସେକେଣ୍ଡରେ ଉପରମୁଣ୍ଡରୁ ୪ ଲକ୍ଷ ୩ ହଜାର ୪୯୫ ଘନଫୁଟ ପାଣି ପ୍ରବେଶ କରୁଥିଲା । ଗତକାଲି ୩୦ଟି ଗେଟ ଦେଇ ପାଣି ଛଡ଼ାଯାଉଥିବାବେଳେ ୧୯ଟି ଗେଟ ଖୋଲା ରହିଛି ।
ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୩ ଲକ୍ଷ ୯୦ ହଜାର ୭୮୬ ଘନଫୁଟ ପାଣି ଛଡ଼ାଯାଉଛି । ପଥରୁଲାରେ ତେଲ ନଦୀରୁ ୭୨ ହଜାର ୪୬୦ ଘନଫୁଟ ପାଣି ମହାନଦୀରେ ପଡ଼ୁଛି । ଖଇରମାଳରେ ୫.୯୦ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଛି । ମୁଣ୍ଡୁଳିରେ ୭ ଲକ୍ଷ ୫୪ ହଜାର ୩୮୫ ଘନଫୁଟ ପାଣି ଚାଲିଛି । ନରାଜରେ ହୀରାକୁଦର ୧୯ ଗେଟ୍ ଖୋଲା ବିପଦ ସଙ୍କେତ ସ୍ତର ୨୬.୪୧ ମିଟର ଥିବାବେଳେ ସନ୍ଧ୍ୟା ୬ଟାବେଳକୁ ସେଇ ସ୍ତରକୁ ଛୁଇଁ ସାରିଥିଲା ଜଳସ୍ତର । ଆଶ୍ୱସ୍ତିର କଥା ହେଲା, ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା କମିଛି । ତେଣୁ ମୁଣ୍ଡଳିରେ ଯେଉଁ ୮ ଲକ୍ଷ ଘନଫୁଟ ପାଣି ଆଶଙ୍କା କରାଯାଉଥିଲା, ତାହା ହେବା ସ୍ଥିତି ନାହିଁ । ହେଲେ ଜଳସ୍ତର ଖସିବା ସମ୍ଭାବନା ମଧ୍ୟ କମ୍ । ପାଣି ଖସିବାକୁ ୨-୩ ଦିନ ସମୟ ଲାଗିପାରେ । ବ୍ରାହ୍ମଣୀ ଜଳସ୍ତର ଜେନାପୁରରେ ବଢ଼ିଥିଲେ ମଧ୍ୟ ବିପଦ ସଙ୍କେତ ଠାରୁ ଯଥେଷ୍ଟ ତଳେ ଅଛି । ଅନ୍ୟ କୌଣସି ନଦୀର ଜଳସ୍ତର ବୃଦ୍ଧି ପାଇନାହିଁ ।
ସୌଜନ୍ୟ ପ୍ରମେୟ




