ରାଜ୍ୟ

Gundicha Temple : ଦୀର୍ଘ ୬ ବର୍ଷ ପ୍ରତୀକ୍ଷାର ଅନ୍ତ, ଭକ୍ତଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର

ପୁରୀ, ୩୦/୯ : ଦୀର୍ଘ ୬ ବର୍ଷ ପ୍ରତୀକ୍ଷାର ଅନ୍ତ । ଭକ୍ତଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର । ପୂଜାର୍ଚ୍ଚନା ପରେ ବୁଧବାର ସକାଳ ୭ଟା ୪୫ରେ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିଛି । ଶ୍ରଦ୍ଧାଳୁମାନଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ମହାପ୍ରଭୁଙ୍କ ଜନ୍ମବେଦୀକୁ ପ୍ରଥମ ତିନି ଦିନ ଭକ୍ତଙ୍କ ପାଇଁ ଦର୍ଶନ ସମ୍ପୂର୍ଣ୍ଣ ମାଗଣା ରହିଛି । ତିନି ଦିନ ପରେ ପ୍ରବେଶ ଶୁକ୍ଳ ୧୦ ଟଙ୍କା ରଖାଯାଇଛି ।

ଭକ୍ତମାନଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ବରିଷ୍ଠ ନାଗରିକ, ଛୋଟ ଶିଶୁ ଓ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ଦର୍ଶନ ବ୍ୟବସ୍ଥା ରହିଛି । ଜୋତା ଓ ମୋବାଇଲ ରଖିବା ପାଇଁ ମଧ୍ୟ ନିଶୁକ୍ଳ ବ୍ୟବସ୍ଥା ରଖାଯାଇଛି । ୨୦୨୦ କରୋନା ସମୟରୁ ବନ୍ଦ ଥିଲା ମହାପ୍ରଭୁଙ୍କ ଜନ୍ମବେଦି ।

ଦୈନିକ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ପରିଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲା ରହିବ । ବୃଦ୍ଧ, ଶିଶୁ ଓ ଦିବ୍ୟାଙ୍ଗ ନିଃଶୁଳ୍କ ପ୍ରବେଶ ସୁଯୋଗ ପାଇବେ । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରି ଭିତର ବେଢ଼ାରେ ଦର୍ଶନ ପରେ ପୁଣି ସିଂହଦ୍ୱାର ବାଟେ ପ୍ରସ୍ଥାନ କରିବେ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ପାର୍ଶ୍ୱ ଆନନ୍ଦବଜାରର ଉନ୍ନତୀକରଣ କାମ ଚାଲିଛି । ତେଣୁ ନାକଚଣା ଦ୍ୱାର ପାର୍ଶ୍ୱରେ ପ୍ରସ୍ଥାନ ବ୍ୟବସ୍ଥା ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । କେବଳ ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ଆଡ଼ପ ମଣ୍ଡପ ଦର୍ଶନ ଦିନଗୁଡ଼ିକ ଛାଡ଼ିଦେଲେ ଦୀର୍ଘ ୬ ବର୍ଷ ଧରି ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ବନ୍ଦ ରହୁଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button