Flydubai flight: ଫ୍ଲାଏଦୁବାଇ ବିମାନରେ ଆତଙ୍କ : ତାବୁକ୍ରେ ଅବତରଣ, ୧୮୦ ଯାତ୍ରୀ ସୁରକ୍ଷିତ
ବୁଧବାର ମଧ୍ୟପ୍ରାଚ୍ୟ ଆକାଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରାୟ ୧୮୦ ଯାତ୍ରୀଙ୍କୁ ନେଇ ଦୁବାଇରୁ ତେଲ୍ ଅଭିଭ୍କୁ ଯାତ୍ରା କରୁଥିବା ଫ୍ଲାଏଦୁବାଇର ବିମାନ ଏଫ୍ଜେଡ୍୧୦୭୩ଟି ପାଖାପାଖି ଅଢ଼େଇ ଘଣ୍ଟା ଉଡ଼ାଣ କରି ସାରିଥିଲା। ତେଲ୍ ଅଭିଭ୍ରେ ପହଞ୍ଚିବା ପାଇଁ ଅଳ୍ପ ସମୟ ବାକି ଥିଲା।

ତେଲ ଅବିବ୍: ବୁଧବାର ମଧ୍ୟପ୍ରାଚ୍ୟ ଆକାଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରାୟ ୧୮୦ ଯାତ୍ରୀଙ୍କୁ ନେଇ ଦୁବାଇରୁ ତେଲ୍ ଅଭିଭ୍କୁ ଯାତ୍ରା କରୁଥିବା ଫ୍ଲାଏଦୁବାଇର ବିମାନ ଏଫ୍ଜେଡ୍୧୦୭୩ଟି ପାଖାପାଖି ଅଢ଼େଇ ଘଣ୍ଟା ଉଡ଼ାଣ କରି ସାରିଥିଲା। ତେଲ୍ ଅଭିଭ୍ରେ ପହଞ୍ଚିବା ପାଇଁ ଅଳ୍ପ ସମୟ ବାକି ଥିଲା। ହଠାତ୍ ସବୁକିଛି ବଦଳି ଗଲା। ପାଇଲଟ୍ ଜେନେରାଲ ଏମର୍ଜେନ୍ସି ଘୋଷଣା କଲେ। ଏହା ପରେ ବିମାନ ଅପହରଣ ହୋଇଥିବା ଘୋଷଣା କଲେ। ସେତେବେଳେ ବିମାନଟି ଜୋର୍ଡାନ ଆକାଶରେ ଉଡ଼ୁଥିଲା। ସେହି ସମୟରେ ବିମାନଟି ଗନ୍ତବ୍ୟସ୍ଥଳ ତେଲ୍ ଅଭିଭ୍କୁ ନ ଯାଇ ଦିଗ ବଦଳାଇଥିଲା। ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରି ଚାଲିଥିଲେ। ଏହାର ପ୍ରାୟ ଦେଢ଼ ଘଣ୍ଟା ପରେ ବିମାନଟି ସାଉଦି ଆରବର ତାବୁକ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଛି। ତେବେ ଯାତ୍ରୀମାନେ ୨୦୦୧ ମସିହା ସେପ୍ଟେମ୍ବରରେ ଆମେରିକାରେ ହୋଇଥିବା ଭୟଙ୍କର ବିମାନ ଅପରହଣ ୯/୧୧ ଘଟଣା ଭଳି ଅନୁଭବ କରିଛନ୍ତି।
ଫ୍ଲାଏଦୁବାଇର ଉକ୍ତ ବିମାନଟିର ମୁଖ୍ୟ ପାଇଲଟ୍ ଥିଲେ ଜଣେ ଭାରତୀୟ। ସହ-ପାଇଲଟ୍ ଜଣକ ଥିଲେ ଓମାନ୍ର। ସହ-ପାଇଲଟ୍ ଜଣକ ମୁଖ୍ୟ ପାଇଲଟଙ୍କୁ ଛୁରାମାଡ଼ କରି କ୍ଷତାକ୍ତ କରିଥିଲେ ମଧ୍ୟ ସେ ବିମାନଟିକୁ ସୁରକ୍ଷିତ ଅବତରଣ କରାଇବାରେ ସକ୍ଷମ ହୋଇଛନ୍ତି। ମୁଖ୍ୟ ପାଇଲଟ୍ ଜଣକ ଭାରତୀୟ ନାଗରିକ ବୋଲି ଇସ୍ରାଏଲ୍ର ୱାଇନେଟ୍ ନ୍ୟୁଜ୍ ଓ ଚାନେଲ୍ ୧୨ ରିପୋର୍ଟ କରିଛନ୍ତି। ଫ୍ଲାଇଟରାଡାର ତଥ୍ୟ ଅନୁଯାୟୀ ବିମାନଟି ଆକାଶରେ ୩୦ ସେକେଣ୍ଡ ମଧ୍ୟରେ ୧୪ ହଜାର ଫୁଟ ତଳକୁ ଖସି ଯାଇଥିଲା। ତାବୁକ୍ରୁ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ତେଲ୍ ଅଭିଭ୍ ନିଆଯାଇଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଭିଡିଓ ବାର୍ତ୍ତାରେ ଜଣେ ପାଇଲଟଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି। ନେତାନ୍ୟାହୁ କହିଛନ୍ତି ଜଣେ ପାଇଲଟ ଅନ୍ୟ ଜଣଙ୍କୁ ଛୁରି ମାଡ଼ କରିଥିଲେ।
ସୌଜନ୍ୟ ସମ୍ବାଦ




