IND VS WI: ବର୍ଷାପଡ଼ାରେ ରନ୍ ବର୍ଷିଲା, ଭାରତ ଐତିହାସିକ ବିଜୟ ହାସଲ କଲା , ତଥାପି ଖୁସି ନାହାନ୍ତି ହେଡ୍ କୋଚ୍ ଗମ୍ଭୀର

ନୂଆଦିଲ୍ଲୀ,୦୨/୧୦; ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୪୦୬ ରନ୍ ର ଲକ୍ଷ୍ୟକୁ ସହଜରେ ହାସଲ କରିଥିଲା । ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟରେ ୪୦୦+ ରନ୍ ପିଛାଇବାରେ ସଫଳ ହୋଇଥିଲା । ତେବେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏହାକୁ ନେଇ ଖୁସି ନୁହଁନ୍ତି । ସେ ଭାବୁଛନ୍ତି ଏହା କ୍ରିକେଟ୍ ନୁହେଁ । ଖାଲି ସେତିକି ନୁହେଁ ବର୍ଷାପଡ଼଼ା ଷ୍ଟାଡିୟମକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ।
ଗୌହାଟୀର ବର୍ଷାପଡ଼଼ା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ବ୍ୟାଟରମାନେ ଧ୍ୱଂସଲୀଳା ରଚିଥିଲେ । ୱେଷ୍ଟଇଣ୍ଡିଜ୍ ତରଫରୁ ତିନିଜଣ ବ୍ୟାଟର ଶତକ ହାସଲ କରିଥିଲେ। ଏହା ପରେ ଭାରତର ରୋହିତ ଶର୍ମା ଶତକ ଓ କ୍ୟାପ୍ଟେନ୍ ଶୁଭମନ ଗିଲ ଡବଲ ସେଞ୍ଜୁରୀ ହାସଲ କରିଥିଲେ । ଏହି ମ୍ୟାଚରେ ମୋଟ ୮୧୧ ରନ୍ ସ୍କୋର ହୋଇଥିଲା । ଭାରତ ବିରାଟ ବିଜୟ ହାସଲ କରିଥିଲା । ହେଲେ ହେଡ୍ କୋଚ୍ ଗମ୍ଭୀର ଏଥିରେ ଖୁସି ହୋଇନଥିଲେ । ସେ ଏପରି ପିଚ୍ ଉପରେ ପ୍ରଶ୍ନ ଉଠାଇଥିଲେ ।
ଅସନ୍ତୁଷ୍ଟ ହେଡ୍ କୋଚ୍- ଭାରତୀୟ ଦଳ ୪୦୬ ରନ୍ ପିଛା କରିବା ପରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ବ୍ରଡକାଷ୍ଟରଙ୍କ ସହ କଥା ହୋଇଥିଲେ । ଏହି ସମୟ ମଧ୍ୟରେ, ସେ ଖୁସି ଦେଖାଯାଉ ନଥିଲେ । “ଏହା କ୍ରିକେଟ୍ ନୁହେଁ । ମୁଁ ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ଅଧିକ ମ୍ୟାଚ୍ ଦେଖିବାକୁ ଚାହୁଁଛି । ଏହା ପ୍ରଶଂସକ ଏବଂ ପ୍ରସାରଣକାରୀଙ୍କ ପାଇଁ ଭଲ କିନ୍ତୁ ଆପଣ ବୋଲରମାନଙ୍କ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍ । ସେମାନଙ୍କୁ କିଛି ସହାୟତା ଦିଆଯିବା ଆବଶ୍ୟକ । ସମ୍ପୂର୍ଣ୍ଣ ସତ କହିବାକୁ ପଡ଼ିବ, ମୋତେ ଲାଗୁଛି ଯେ ବ୍ୟାଟ୍ ଓ ବଲ୍ ମଧ୍ୟରେ ଆଉ ଟିକିଏ ଅଧିକ ପ୍ରତିଯୋଗିତା ରହିବା ଆବଶ୍ୟକ । କାରଣ ଆମେ କ୍ରିକେଟ୍ ବିଷୟରେ କଥା ହେଉଛୁ ସତ, କିନ୍ତୁ ଏହା ପ୍ରକୃତ କ୍ରିକେଟ୍ ନୁହେଁ, ଏହା କେବଳ ବ୍ୟାଟିଂ । ‘ଏହା କ୍ରିକେଟ୍ ନୁହେଁ’। ”
ସୌଜନ୍ୟ ପ୍ରମେୟ




