ଖେଳ

High Court: ହାଇକୋର୍ଟରେ ହକି ଇଣ୍ଡିଆ ଆବେଦନ ଖାରଜ: ‘ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା’ ସଦସ୍ୟତା ରଦ୍ଦ ନୋଟିସ୍‌ ଉପରେ ରହିତାଦେଶ ବଳବତ୍ତର

ହକି ଇଣ୍ଡିଆର ଅନ୍ତରୀଣ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ସହିତ ‘ହକି ଆସୋସିଏସନ ଅଫ୍‌ ଓଡ଼ିଶା’ର ସ୍ଥାୟୀ ସଦସ୍ୟତା ପଦକୁ ରଦ୍ଦ କରି ଆସୋସିଏଟ୍‌ ସଦସ୍ୟ ଭାବେ ଏହାକୁ ଗ୍ରହଣ କରିବାକୁ ଜାରି କାରଣ ଦର୍ଶାଅ ନୋଟିସ୍‌...

କଟକ: ହକି ଇଣ୍ଡିଆର ଅନ୍ତରୀଣ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ସହିତ ‘ହକି ଆସୋସିଏସନ ଅଫ୍‌ ଓଡ଼ିଶା’ର ସ୍ଥାୟୀ ସଦସ୍ୟତା ପଦକୁ ରଦ୍ଦ କରି ଆସୋସିଏଟ୍‌ ସଦସ୍ୟ ଭାବେ ଏହାକୁ ଗ୍ରହଣ କରିବାକୁ ଜାରି କାରଣ ଦର୍ଶାଅ ନୋଟିସ୍‌ ଉପରେ ହାଇକୋର୍ଟ ନଭେମ୍ବର ୬‌ରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଏହି ରହିତାଦେଶ ଉଠାଇବାକୁ ହକି ଇଣ୍ଡିଆ ଦାୟର କରିଥିବା ଅନ୍ତରୀଣ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଏଥିସହିତ ମୂଳ ମାମଲା ବିଚାରାଧୀନ ଥିବା ବେଳେ ନଭେମ୍ବର ୬ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶକୁ ବଳବତ୍ତର ରଖିବା ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ୍‌ ଆର୍‌.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୬ରେ ହକି ଆସୋସିଏସନ ଅଫ୍‌ ଓଡ଼ିଶା ପକ୍ଷରୁ ଦାୟର ରିଟ ଆବେଦନର ହାଇକୋର୍ଟ ଶୁଣାଣି କରି ହକି ଇଣ୍ଡିଆ ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଥିଲେ। ଏଥି ସହିତ ଆବେଦନକାରୀ ଆସୋସିଏସନ୍‌କୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍‌ ଓ ହକି ଇଣ୍ଡିଆ ନିର୍ବାଚନ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ, ହକି ଇଣ୍ଡିଆର ବାଇ-ଲ’ ପାଳନରେ ଅବହେଳା ଏବଂ ଜିଲ୍ଲା ସଂଘଗୁଡ଼ିକର ପ୍ରଶାସନିକ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଅଭିଯୋଗରେ ‘ହକି ଆସୋସିଏସନ୍ ଅଫ୍‌ ଓଡ଼ିଶା’କୁ ହକି ଇଣ୍ଡିଆ ଗତ ଅକ୍ଟୋବରରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ଏଥି ସହିତ ପରବର୍ତ୍ତୀ ସମୟରେ ହକି ଇଣ୍ଡିଆ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହକି ଇଣ୍ଡିଆର ଏପରି ପଦକ୍ଷେପ ବିରୋଧରେ ଆବେଦନକାରୀ ଆସୋସିଏସନ୍‌ ତରଫରୁ ହାଇକୋର୍ଟରେ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ ହକିର ପ୍ରଚାର, ପ୍ରସାର ଓ ବିକାଶ କ୍ଷେତ୍ରରେ ଓଡ଼ିଶାର ଅବଦାନ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶା ସରକାରଙ୍କ ଓଡ଼ିଶା ମାଇନିଂ କର୍ପୋରେସନ୍ ହକିର ପ୍ରସାର ପାଇଁ ଗତ ୩ବର୍ଷ ମଧ୍ୟରେ ସର୍ବଭାରତୀୟ ସ୍ତରରେ ପ୍ରାୟ ୧୦୫କୋଟି ଟଙ୍କା ଯୋଗାଇ ଦେଇଛି। ଓଡ଼ିଶାର ହକି ତାରକା ଦିଲ୍ଲୀପ ତିର୍କୀ ୨୦୨୨ରେ ଅନୁଷ୍ଠିତ ନିର୍ବାଚନରେ ହକି ଇଣ୍ଡିଆର ସଭାପତି ଓ ଭୋଳାନାଥ ସିଂହ ସେକ୍ରେଟାରି ଜେନେରାଲ୍ ହୋଇଥିଲେ।  ଉଭୟଙ୍କ କାର୍ଯ୍ୟକାଳ ସେପ୍ଟେମ୍ବରରୁ ସରିଗଲାଣି। କାର୍ଯ୍ୟକାଳ ସରିବା ପରେ ଭୋଳାନାଥ ସିଂହ ନିଜକୁ ସେକ୍ରେଟାରି ଜେନେରାଲ ଭାବେ ପ୍ରତିପାଦନ କରି ଆବେଦନକାରୀ ଆସୋସିଏନକୁ ସ୍ଥାୟୀ ସଦସ୍ୟ ପଦରୁ ବଞ୍ଚିତ କରିବା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

 

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button