Odisha Mission Shakti ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ
ମିସନ ଶକ୍ତି ପକ୍ଷରୁ ୧.୭୯ ଲକ୍ଷ ଏସ୍ଏଚ୍ଜିଙ୍କୁ ୯୯.୨୬ କୋଟି ସୁଧ ଫେରସ୍ତ ସହ ୬୦୫ ଆଞ୍ଚଳିକ ମହାସଂଘକୁ ୧୫୧.୨୮ କୋଟି ପାଣ୍ଠି ପ୍ରଦାନ।

୬୦୫ ଆଞ୍ଚଳିକ ମହାସଂଘକୁ ୧୫୧.୨୮ କୋଟି ଟଙ୍କାର ପାଣ୍ଠି ପ୍ରଦାନ
ଭୁବନେଶ୍ୱର: ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ଏବଂ ସେମାନଙ୍କ ଗୋଷ୍ଠୀଭିତ୍ତିକ ସଂଗଠନଗୁଡ଼ିକୁ ଆର୍ଥିକ ଭାବେ ଅଧିକ ସୁଦୃଢ଼ କରିବାପାଇଁ ମିସନ ଶକ୍ତି ବିଭାଗ ପକ୍ଷରୁ ଆଜି (ମଙ୍ଗଳବାର) ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହାସହ ୧,୭୯,୮୦୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି।
ଭୁବନେଶ୍ଵରସ୍ଥିତ ମିସନ ଶକ୍ତିଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଳେ। ନିଜ ବକ୍ତବ୍ୟରେ, ରାଜ୍ୟରେ ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିବେ ବୋଲି ମତ ପ୍ରକାଶ କରିଛନ୍ତି। ଏଥି ସହିତ ରାଜ୍ୟର ସମାଜ ଓ ଅର୍ଥନୀତିର ବିକାଶରେ ନାରୀଶକ୍ତି ଆଗାମୀ ଦିନରେ ନେତୃତ୍ୱ ନେବେ ବୋଲି ସେ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସୁଧ ଫେରସ୍ତ ପାଇଁ ୫୭୫ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଏହା ପୂର୍ବରୁ ଚଳିତ ଆର୍ଥିକ ବର୍ଷରେ ଗତ ୨୪ ଜୁନ୍ରେ ୨,୮୮,୧୯୮ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୪୭.୭୭ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ଏହି ଦୁଇଟି ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨୪୭.୦୩ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି। ସେହିପରି ୨୦୨୬-୨୭ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବ୍ୟାଙ୍କ ଋଣ ଯୋଗାଣର ଲକ୍ଷ୍ୟ ୨୦,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି।
ସୌଜନ୍ୟ ସମ୍ବାଦ



