Women Empowerment: ବାଲି ଦ୍ୱୀପରେ ଓଡ଼ିଶା ପରବ, ବିଶ୍ୱ ଦରବାରରେ ଚମକିବେ ୩ ସାଧବ ବୋହୂ

ଭୁବନେଶ୍ୱର,୨୩/୧୧: ଇଣ୍ଡୋନେସିଆରେ ପହଞ୍ଚିବ ପୁରୀର ସୂକ୍ଷ୍ମ ପଟ୍ଟଚିତ୍ର, କୋରାପୁଟର ମାଟିର ବାସ୍ନା ଭରା କୋଟପାଡ଼ ହସ୍ତତନ୍ତ ଏବଂ ମୟୂରଭଞ୍ଜର ପରିବେଶ ଅନୁକୂଳ ସବାଇ କଳା । ଅତୀତରେ ବୋଇତରେ ଦରିଆ ପାରି ହୋଇ ସାଧବ ପୁଅ ଯାଉଥିଲେ ବଣିଜ କରି କିନ୍ତୁ ଏବେ ଓଡ଼ିଶାର ମହକ ନେଇ ସାଧବ ବୋହୂମାନେ ବ୍ୟବସାୟ କରିବାକୁ ଇଣ୍ଡୋନେସିଆ ଯାତ୍ରା କରିବେ । ଆସନ୍ତା ୨୪ ଓ ୨୫ ତାରିଖରେ ବାଲି ଦ୍ୱୀପରେ ହେବାକୁ ଯାଉଛି “ଓଡ଼ିଶା ପରବ’ । ଏଥିରେ ରାଜ୍ୟରୁ ତିନି ଜଣ ମହିଳା ସଞ୍ଜୁ, କୋମଲ ଏବଂ ସୁମିତ୍ରା ଯୋଗ ଦେଇ ବିଶ୍ୱ ଦରବାରରେ ଗ୍ରାମୀଣ ନାରୀଶକ୍ତିର ବାର୍ତ୍ତା ଦେବା ସହ ଏକ ସ୍ୱର୍ଣ୍ଣିମ ଇତିହାସ ରଚିବେ ।
ପୁରୀ ଜିଲ୍ଲା ସଦର ବ୍ଲକ ମାଳତିପାଟପୁର ପଞ୍ଚାୟତର ଐତିହ୍ୟ ଗ୍ରାମ ରଘୁରାଜପୁରର ସଞ୍ଜୁ ସ୍ୱାଇଁ ପଟ୍ଟଚିତ୍ର କଳାକୁ ଡିଜିଟାଲ ଉଦ୍ୟୋଗରେ ପରିଣତ କରିଛନ୍ତି । ୨୦୧୦ରେ ୧୦ ଜଣ ସଦସ୍ୟାଙ୍କୁ ନେଇ ଗଠିତ ଓମ୍ ଏସଏଚଜିର ସଭାନେତ୍ରୀ ଭାବରେ ସେ ନାମୀଦାମୀ ସଂସ୍ଥା ସହ ବଜାର ସଂଯୋଗ ସ୍ଥାପନ କରି ତଥା ଅନଲାଇନ୍ରେ ଗ୍ରାମୀଣ କାରିଗରଙ୍କୁ ବିଶ୍ୱ ବଜାର ସହ ଯୋଡ଼ିଛନ୍ତି ।
ସେହିପରି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ନୂଆଗାଁର “ମା ତାରା ତାରିଣୀ ଏସଏଚଜି’ର ସଦସ୍ୟା କେ. କୋମଳ କୁମାରୀ ୫୦୦ କୁକୁଡ଼ା ଚିଆଁ ବିଶିଷ୍ଟ ଏକ ଫାର୍ମରୁ ନିଜ ଯାତ୍ରା ଆରମ୍ଭ କରି ଆଜି ସେ ଛତୁ ଚାଷ, ଧୂପକାଠି, ନାବାର୍ଡ ସହାୟତାରେ ସାନିଟାରୀ ପ୍ୟାଡ୍, କଳା ହଳଦୀ ଏବଂ କୋଟପାଡ଼ ହସ୍ତତନ୍ତ ବ୍ୟବସାୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଜଣେ ସାଧାରଣ ଗୃହିଣୀରୁ “ଲକ୍ଷ ପତି ଦିଦି’ ହୋଇଥିବା କୋମଳ ରାଜ୍ୟ ବାହାରେ ଜାତୀୟ ସ୍ତରୀୟ ମେଳାରେ ସମ୍ମାନିତ ହୋଇଛନ୍ତି ।
ସୌଜନ୍ୟ ପ୍ରମେୟ




