Elon Musk: ମସ୍କଙ୍କ ଅଭିଯୋଗକୁ ସରକାରଙ୍କ ଖଣ୍ଡନ: ଷ୍ଟାର୍ଲିଙ୍କକୁ ଅଟକାଯାଉନାହିଁ
ଭାରତରେ ଷ୍ଟାରଲିଙ୍କ୍ର ଉପଗ୍ରହ ଆଧାରିତ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇପାରୁନଥିବାରୁ ତାହାକୁ ନେଇ ଗତକାଲି ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ଅସନ୍ତୋଷ ଜାହିର କରିଥିଲେ। ଏହି ସେବାକୁ କିଛି ବଡ଼ ଭାରତୀୟ ବ୍ୟବସାୟୀ ଅଟକାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ନୂଆଦିଲ୍ଲୀ: ଭାରତରେ ଷ୍ଟାରଲିଙ୍କ୍ର ଉପଗ୍ରହ ଆଧାରିତ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇପାରୁନଥିବାରୁ ତାହାକୁ ନେଇ ଗତକାଲି ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ଅସନ୍ତୋଷ ଜାହିର କରିଥିଲେ। ଏହି ସେବାକୁ କିଛି ବଡ଼ ଭାରତୀୟ ବ୍ୟବସାୟୀ ଅଟକାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ କେନ୍ଦ୍ର ସରକାର ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ସାଟେଲାଇଟ୍ ଯୋଗାଯୋଗ କ୍ଷେତ୍ରର ନିୟମ ସବୁ କମ୍ପାନି ପାଇଁ ସମାନ ଓ ଏଥିରେ କୌଣସି ପକ୍ଷପାପିତା କରାଯାଉନାହିଁ ବୋଲି ଟେଳିକମ୍ ମନ୍ତ୍ରାଳୟ କହିଛି। ମସ୍କ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ କହିଥିଲେ ଯେ, କିଛି ବଡ଼ ଧନୀ ନିଜର ଏକଚାଟିଆ ବ୍ୟବସାୟିକ ପ୍ରଭାବ ବଜାୟ ରଖିବା ପାଇଁ ଷ୍ଟାରଲିଙ୍କ୍କୁ ଭାରତରେ ସେବା ଆରମ୍ଭ କରିବାରୁ ଅଟକାଉଛନ୍ତି। ଏହାକୁ ସେ ଭାରତୀୟ ଲୋକଙ୍କ ପ୍ରତି ଅନ୍ୟାୟ ବୋଲି କହିଥିଲେ। ତେବେ ସେ କୌଣସି ବ୍ୟକ୍ତି ବା କମ୍ପାନିର ନାଁ ନେଇନଥିଲେ।
ତିନିଟି କମ୍ପାନିକୁ ଲାଇସେନ୍ସ
ତାଙ୍କ ଅଭିଯୋଗ ସମ୍ପର୍କରେ ସରକାର କହିଛନ୍ତି, ଭାରତରେ ଉପଗ୍ରହ ଆଧାରିତ ଇଣ୍ଟରନେଟ୍ ସେବା ପାଇଁ ତିନିଟି କମ୍ପାନିକୁ ଲାଇସେନ୍ସ ମିଳିଛି। ଏଥିରେ ମସ୍କଙ୍କ ଷ୍ଟାରଲିଙ୍କ୍, ଜିଓ ସାଟେଲାଇଟ୍ କମ୍ୟୁନିକେସନ୍ସ ଓ ଇଉଟେଲ୍ସାଟ୍ ୱାନ୍ୱେବ୍ ରହିଛି। ତେବେ ଲାଇସେନ୍ସ ମିଳିଲେ ହିଁ ସେବା ଆରମ୍ଭ କରିହେବ ନାହିଁ। ପ୍ରଥମେ ସୁରକ୍ଷା ସମ୍ପର୍କିତ ନିୟମ ପାଳନ କରାଯାଇଛି ନା ନାହିଁ ତାହା ଯାଞ୍ଚ କରାଯାଉଛି। ସେହି ଯାଞ୍ଚ ଶେଷ ହେବା ପରେ କମ୍ପାନିଗୁଡ଼ିକ ସ୍ପେକ୍ଟ୍ରମ୍ ପାଇଁ ଆଗକୁ ବଢ଼ିପାରିବେ। ଏବେ ତିନିଟି କମ୍ପାନି ଏହି ପ୍ରକ୍ରିୟାର ପ୍ରାୟ ସମାନ ପର୍ଯ୍ୟାୟରେ ରହିଛନ୍ତି ବୋଲି ସରକାର କହିଛନ୍ତି।
ସୌଜନ୍ୟ ସମ୍ବାଦ




