Zoho’s Sridhar Vembu: ଆମେରିକା ଆଉ ଭାରତୀୟଙ୍କୁ ଚାହୁନି, ଫେରିଆସ: ଗ୍ରିନ୍ କାର୍ଡ ପ୍ରକ୍ରିୟା ସ୍ଥଗିତ ପରେ ଶ୍ରୀଧର ଭେମ୍ବୁଙ୍କ ଆହ୍ୱାନ
ଆମେରିକାରେ କାର୍ଯ୍ୟରତ ଭାରତୀୟ ପ୍ରଯୁକ୍ତି ବିଶେଷଜ୍ଞମାନେ ନିଜ ଦେଶକୁ ଫେରିଆସି ଭାରତର ପ୍ରଯୁକ୍ତି କ୍ଷେତ୍ରକୁ ଆହୁରି ସୁଦୃଢ଼ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ଜୋହୋର ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ।

ନୂଆଦିଲ୍ଲୀ: ଆମେରିକାରେ କାର୍ଯ୍ୟରତ ଭାରତୀୟ ପ୍ରଯୁକ୍ତି ବିଶେଷଜ୍ଞମାନେ ନିଜ ଦେଶକୁ ଫେରିଆସି ଭାରତର ପ୍ରଯୁକ୍ତି କ୍ଷେତ୍ରକୁ ଆହୁରି ସୁଦୃଢ଼ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ଜୋହୋର ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ। ଆମେରିକା ସରକାର ଅନେକ ବଡ଼ ଟେକ୍ କମ୍ପାନିର ବିଦେଶୀ କର୍ମଚାରୀଙ୍କ ପାଇଁ ଗ୍ରିନ୍ କାର୍ଡ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟକୁ ସ୍ଥଗିତ ରଖିବା ପରେ ଭେମ୍ବୁ ଏହି ମତ ଦେଇଛନ୍ତି।
ଗୁରୁବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ୍ କରି ଭେମ୍ବୁ କହିଛନ୍ତି ଯେ, ଆମେରିକାର ପ୍ରଯୁକ୍ତି କ୍ଷେତ୍ରକୁ ସମୃଦ୍ଧ କରିବାରେ ଭାରତୀୟମାନଙ୍କର ବଡ଼ ଅବଦାନ ରହିଛି। କିନ୍ତୁ ଏବେ ଆମେରିକାର ଏକ ବଡ଼ ଅଂଶ ଆଉ ଭାରତୀୟଙ୍କୁ ଚାହୁନାହିଁ ବୋଲି ସେ ମତ ଦେଇଛନ୍ତି। ଭିସାରେ ଆମେରିକାରେ ରହି କାମ କରୁଥିବା ଭାରତୀୟମାନେ ବର୍ଷ ବର୍ଷର ପରିଶ୍ରମରେ ଗଢ଼ିଥିବା ଜୀବନ ଓ କ୍ୟାରିୟର ଛାଡ଼ି ଫେରିବାର କଷ୍ଟକର ପରିସ୍ଥିତିରେ ପଡ଼ିପାରନ୍ତି ବୋଲି ସେ କହିଛନ୍ତି। ଏହାକୁ ଭାରତରେ ଏକ ନୂଆ ଭବିଷ୍ୟତ ଗଢ଼ିବାର ସୁଯୋଗ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ଆମେରିକାର ଶ୍ରମ ବିଭାଗ ଗୁରୁବାର ଇନ୍ଫୋସିସ୍, ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (ଟିସିଏସ୍), ୱିପ୍ରୋ, ଏଚ୍ସିଏଲ୍, କଗ୍ନିଜାଣ୍ଟ୍ ଓ କ୍ୟାପ୍ଜେମିନି ସମେତ ମାଇକ୍ରୋସଫ୍ଟ ଓ ଆଡୋବ୍କୁ ‘ପର୍ମ’ (ସ୍ଥାୟୀ ଶ୍ରମ ପ୍ରମାଣନ କାର୍ଯ୍ୟକ୍ରମ) ପ୍ରକ୍ରିୟାରୁ ସ୍ଥଗିତ କରିଛି। ଏହା ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଆଧାରରେ ସ୍ଥାୟୀ ବାସିନ୍ଦା ହେବା ପାଇଁ ଗ୍ରିନ୍ କାର୍ଡ ଆବେଦନ ପ୍ରକ୍ରିୟାର ଏକ ମୁଖ୍ୟ ପଦକ୍ଷେପ। ଏହି କମ୍ପାନିଗୁଡ଼ିକ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସମୟରେ ଆମେରିକୀୟ କର୍ମଚାରୀଙ୍କ ଚାକିରି ଓ ଦରମାକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗର ତଦନ୍ତ ଚାଲିଥିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଆମେରିକା ପ୍ରଶାସନ କହିଛି।
ଭାରତ ଫେରି ଦେଶର ପ୍ରଯୁକ୍ତି କ୍ଷେତ୍ର ଗଢ଼ିବାକୁ ପରାମର୍ଶ
ତେବେ ଏହି କଟକଣା ଯୋଗୁଁ ପ୍ରଭାବିତ କମ୍ପାନିଗୁଡ଼ିକ ନୂଆ ପର୍ମ ଆବେଦନ କରିପାରିବେ ନାହିଁ ଏବଂ ପୂର୍ବରୁ ଦାଖଲ ହୋଇଥିବା ଆବେଦନଗୁଡ଼ିକର ପ୍ରକ୍ରିୟା ମଧ୍ୟ ଅଟକି ରହିବ। କିନ୍ତୁ ଏହାଦ୍ୱାରା ସମ୍ପୃକ୍ତ କର୍ମଚାରୀଙ୍କ ଏଚ୍-୧ବି ଭିସା ସ୍ୱତଃ ବାତିଲ ହେବ ନାହିଁ। ଆମେରିକାର ଏହି ନିଷ୍ପତ୍ତି ଭାରତୀୟ ଆଇଟି କର୍ମଚାରୀଙ୍କ ଭବିଷ୍ୟତ ଓ ସ୍ଥାୟୀ ବାସିନ୍ଦା ହେବାର ଯୋଜନାକୁ ପ୍ରଭାବିତ କରିପାରେ। ଭେମ୍ବୁଙ୍କ ମତରେ, ବିଦେଶରେ ଅଭିଜ୍ଞତା ହାସଲ କରିଥିବା ଭାରତୀୟମାନେ ଦେଶକୁ ଫେରି ନୂଆ ପ୍ରଯୁକ୍ତି, କମ୍ପାନି ଓ ନିଯୁକ୍ତି ସୁଯୋଗ ସୃଷ୍ଟିରେ ଯୋଗଦାନ କରିପାରିବେ। ‘ଫେରିଆସନ୍ତୁ, ଆସନ୍ତୁ ନୂଆ ଭାରତ ଗଢ଼ିବା’ ବୋଲି ସେ ଆହ୍ୱାନ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




