ଦେଶ ବିଦେଶ

Judgement: ମେଟ୍ରୋ ଓ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଗ୍ରହଣୀୟ ନୁହେଁ: ପ୍ରଧାନ ବିଚାରପତି

ଶନିବାର ହେବାକୁ ଥିବା କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନ ପୂର୍ବରୁ ରାଜଧାନୀରେ ଲାଗୁ ହୋଇଥିବା ଅଭାବନୀୟ କଟକଣାକୁ ନେଇ ଆଜି ସୁପ୍ରିମ୍‌କୋର୍ଟ ସରକାରଙ୍କୁ ପ୍ରଶ୍ନ କରିବା ସହ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

ନୂଆଦିଲ୍ଲୀ: ଶନିବାର ହେବାକୁ ଥିବା କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ପୂର୍ବରୁ ରାଜଧାନୀରେ ଲାଗୁ ହୋଇଥିବା ଅଭାବନୀୟ କଟକଣାକୁ ନେଇ ଆଜି ସୁପ୍ରିମ୍‌କୋର୍ଟ ସରକାରଙ୍କୁ ପ୍ରଶ୍ନ କରିବା ସହ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ସାଧାରଣ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ଏବଂ ଟ୍ରେନ ଚଳାଚଳ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ ବୋଲି ଶୁକ୍ରବାର ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ଗୋଟିଏ ମାଛି ମାରିବା ପାଇଁ ଆପଣ ହାତୁଡ଼ି ବ୍ୟବହାର କରିପାରିବେ ନାହିଁ ବୋଲି ଅଦାଲତ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସହରର ସବୁ ପ୍ରାନ୍ତରୁ ଲୋକେ ଯାତ୍ରା କରୁଥିବାରୁ ସବୁ କିଛି ବନ୍ଦ କରାଯାଇପାରିବ ନାହିଁ ବୋଲି ଦର୍ଶାଇ କୋର୍ଟ ଏହି କଟକଣା ଉପରେ ପୁନର୍ବିଚାର କରିବାକୁ କହିଛନ୍ତି।

ସାଧାରଣ ଜନତାଙ୍କର ସରକାରୀ ସେବା ପାଇବାର ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଯାତ୍ରା କରନ୍ତି ଏବଂ ଯାତ୍ରୀମାନଙ୍କର ମୌଳିକ ସୁବିଧା ପାଇବାର ଅଧିକାର ଅଛି ବୋଲି କୋର୍ଟ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ଜଣାଇଛନ୍ତି। ଏହାସହ ବନ୍ଦ ଥିବା ମେଟ୍ରୋ ଷ୍ଟେସନ ସଂଖ୍ୟା ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଟକଣା ଲଗାଇବା ଏବଂ ସମ୍ପୂର୍ଣ୍ଣ ବନ୍ଦ କରିବା ମଧ୍ୟରେ ଫରକ ରହିଛି ବୋଲି ଅଦାଲତ କହିଛନ୍ତି। ସିପିଆଇଏମ୍ ସାଧାରଣ ସମ୍ପାଦକ ଏମ୍ଏ ବେବିଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ସାଂସଦ କପିଲ ସିବଲ କୋର୍ଟଙ୍କୁ କହିଥିଲେ ଯେ ସବୁ ଟ୍ରେନ ବାତିଲ ହେବା ସହ ମେଟ୍ରୋ ଷ୍ଟେସନ ବନ୍ଦ ରହିଛି, ଯାହାଦ୍ୱାରା କେହି କୁଆଡ଼େ ଯାଇପାରୁ ନାହାନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ସଲିସିଟର ଜେନେରାଲଙ୍କୁ କହିଛନ୍ତି ଯେ ଆମେ ମେଟ୍ରୋ ଷ୍ଟେସନର ପ୍ରବେଶ ପଥ ସମ୍ପୂର୍ଣ୍ଣ ବନ୍ଦ ହେବା ନେଇ ଚିନ୍ତିତ। ଆମର ଚିନ୍ତା କୌଣସି ନିର୍ଦ୍ଦିଷ୍ଟ ପ୍ରତିବାଦକାରୀ ବା ବ୍ୟକ୍ତିବିଶେଷଙ୍କ ପାଇଁ ନୁହେଁ, ବରଂ ଗୁରୁଗ୍ରାମ, ଗ୍ରେଟର ନୋଏଡା, ପୂର୍ବ ଦିଲ୍ଲୀ ଏବଂ ଦକ୍ଷିଣ ଦିଲ୍ଲୀରୁ ନିଜ ଜୀବିକା ପାଇଁ ଆସୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପାଇଁ। ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ କର୍ତ୍ତୃପକ୍ଷଙ୍କ ଅଧିକାରକୁ ସମର୍ଥନ କରିବା ସହ ଜନସାଧାରଣଙ୍କ ସୁବିଧା ପାଇଁ କୋର୍ଟ ଏକ ସୀମା ରେଖା ଟାଣିଛନ୍ତି। ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥା ନିୟାମକ ବ୍ୟବସ୍ଥା ଲାଗୁ କରିବାକୁ ନିଶ୍ଚିତ ଭାବେ ହକଦାର, ମାତ୍ର ଏହାର ଅର୍ଥ ନୁହେଁ ଯେ ସବୁ କିଛି ସ୍ଥଗିତ କରି ଲୋକଙ୍କୁ ଯାତାୟାତ ସୁବିଧାରୁ ବଞ୍ଚିତ କରାଯିବ। ସମସ୍ତଙ୍କ ପାଖରେ କାର୍ ବା ବ୍ୟକ୍ତିଗତ ଯାନ ନାହିଁ, ଲୋକେ ସାର୍ବଜନୀନ ପରିବହନ ଉପରେ ନିର୍ଭର କରନ୍ତି ବୋଲି କୋର୍ଟ କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button