Election: ପଶ୍ଚିମବଙ୍ଗ ଉପନିର୍ବାଚନରେ ବିଜେପିର ବାଜିମାତ୍
ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି। ଦଳର ପ୍ରାର୍ଥୀ ହାସିରାଣୀ ରଥ ଓ ଶଙ୍ଖରାବ ସରକାର ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ପରାସ୍ତ କରି ରେକର୍ଡ...

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି। ଦଳର ପ୍ରାର୍ଥୀ ହାସିରାଣୀ ରଥ ଓ ଶଙ୍ଖରାବ ସରକାର ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ପରାସ୍ତ କରି ରେକର୍ଡ କରିଛନ୍ତି। ନନ୍ଦୀଗ୍ରାମରେ ହାସିରାଣୀ ରଥ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ୧,୨୨,୭୫୩ ଭୋଟ୍ ବ୍ୟବଧାନରେ ହରାଇଛନ୍ତି। ହାସିରାଣୀ ମୋଟ୍ ୧,୬୪,୪୨୭ ଭୋଟ୍ ପାଇଥିବା ବେଳେ ମିଲନଙ୍କୁ ୪୧,୬୭୪ ଭୋଟ୍ ମିଳିଛି। ହାସିରାଣୀ ମୋଟ୍ ଭୋଟ୍ର ୭୫.୯୪ ପ୍ରତିଶତ ହାସଲ କରିଛନ୍ତି। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ମା’। ଚନ୍ଦ୍ରନାଥଙ୍କୁ ଗତ ମେ ମାସରେ ହତ୍ୟା କରାଯାଇଥିଲା।
ଅନ୍ୟପକ୍ଷରେ, ରେଜିନଗର ଆସନରେ ମଧ୍ୟ ବିଜେପି ନୂଆ ଇତିହାସ ରଚିଛି। ଦଳର ପ୍ରାର୍ଥୀ ଶଙ୍ଖରାବ ସରକାର ୧,୨୯,୯୧୪ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେ ଆମ ଜନତା ଉନ୍ନୟନ ପାର୍ଟିର ପ୍ରାର୍ଥୀ ଗୋଲାମ ନବୀ ଆଜାଦଙ୍କୁ ୭୫,୮୧୬ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି।
ଗୋଲାମ ନବୀଙ୍କୁ ୫୪,୦୯୮ ଭୋଟ୍ ମିଳିଛି। ରେଜିନଗର ଆସନରେ ବିଜେପିର ବିଜୟକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ, ଏହି ଆସନରେ ପ୍ରାୟ ୭୦ ପ୍ରତିଶତ ଭୋଟର ମୁସଲମାନ। ଏଠାରେ ପାରମ୍ପରିକ ଭାବେ ତୃଣମୂଳ କଂଗ୍ରେସ ଏବଂ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଲଢ଼େଇ ହୋଇଥାଏ। ଏଭଳି ଏକ ଆସନରେ ବିଜେପିର ବିଜୟ ଦଳ ପାଇଁ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।
ହାସିରାଣୀ ରଥଙ୍କ ବିଜୟ ପୂର୍ବ ମେଦିନୀପୁର ଜିଲ୍ଲାର ନନ୍ଦୀଗ୍ରାମରେ ବିଜେପିର ସ୍ଥିତିକୁ ଆହୁରି ମଜବୁତ କରିଛି। ଏଠାରେ ଆରମ୍ଭ ହୋଇଥିବା ଜମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନ ଯୋଗୁଁ ୨୦୧୧ରେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିଥିଲା। ପରେ ୨୦୨୧ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରେ ଶୁଭେନ୍ଦୁ ଅଧିକାରୀ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ହାଇପ୍ରୋଫାଇଲ୍ ଲଢ଼େଇ ହୋଇଥିଲା। ସେହି ନିର୍ବାଚନରେ ଶୁଭେନ୍ଦୁ ମମତାଙ୍କୁ ପରାସ୍ତ କରିଥିଲେ।
ସୌଜନ୍ୟ ସମ୍ବାଦ




