CEC: ସିଇସିଙ୍କ ବିରୋଧରେ ସୁପ୍ରିମ୍କୋର୍ଟ ଯିବ ଇଣ୍ଡିମେଣ୍ଟ
ଦେଶରେ ଭୋଟ୍ ଚୋରି ଅଭିଯୋଗକୁ ନେଇ ଇଣ୍ଡିମେଣ୍ଟର ନେତାମାନେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିବା ବେଳେ ଆସନ୍ତା ସୋମବାର ଦିନ ସୁପ୍ରିମ୍କୋର୍ଟ ଯାଇ ପ୍ରଧାନବିଚାରପତିଙ୍କୁ ମଧ୍ୟ ଏକ ସ୍ମାରକପତ୍ର ଦେବାକୁ ଯୋଜନା...

ନୂଆଦିଲ୍ଲୀ: ଦେଶରେ ଭୋଟ୍ ଚୋରି ଅଭିଯୋଗକୁ ନେଇ ଇଣ୍ଡିମେଣ୍ଟର ନେତାମାନେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିବା ବେଳେ ଆସନ୍ତା ସୋମବାର ଦିନ ସୁପ୍ରିମ୍କୋର୍ଟ ଯାଇ ପ୍ରଧାନବିଚାରପତିଙ୍କୁ ମଧ୍ୟ ଏକ ସ୍ମାରକପତ୍ର ଦେବାକୁ ଯୋଜନା କରିଛନ୍ତି। ଏସ୍ଆଇଆର୍ ପ୍ରସଙ୍ଗରେ ଆଇନଗତ ଓ ନ୍ୟାୟିକ ପଦକ୍ଷେପ ପାଇଁ ସେମାନେ ପ୍ରଧାନବିଚାରପତିଙ୍କ ନିକଟରେ ଆବେଦନ କରିବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି।
ଆଜି ସଂଧ୍ୟା ୮ଟାରେ ରାଷ୍ଟ୍ରପତି ଭବନରୁ ଫେରିବା ପରେ ରାହୁଲ କହିଛନ୍ତି, ଦେଶରେ ଭୋଟ୍ ଚୋରି ଅଭିଯୋଗକୁ ରାଷ୍ଟ୍ରପତି ମୁର୍ମୁ ଖଣ୍ଡନ କରିନାହାନ୍ତି। ବରଂ ଏ ସମ୍ପର୍କରେ ପ୍ରମାଣ ଦେବାକୁ କହିଛନ୍ତି। ଶୁକ୍ରବାର ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପରେ ସେ ଏହି ସୂଚନା ଦେଇଛନ୍ତି। ଅଭିଯୋଗର ପ୍ରମାଣ ଦେବାକୁ ରାଷ୍ଟ୍ରପତି କହିଥିବାରୁ ଆମେ ପ୍ରମାଣ ଦେବୁ ବୋଲି ରାହୁଲ କହିଛନ୍ତି। ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ବିଚାର କରିବେ ଏବଂ ପଦକ୍ଷେପ ନେବେ ବୋଲି କହିଥିବାରୁ ରାହୁଲ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱରେ ଇଣ୍ଡି ମେଣ୍ଟର ଆନ୍ଦୋଳନ ଗତ କିଛି ଦିନ ଧରି ଜାରି ରହିଛି। ଶୁକ୍ରବାର ସଂସଦର ସେଣ୍ଟ୍ରାଲ ହଲ୍ରେ ବିରୋଧୀ ସାଂସଦମାନେ ବୈଠକ କରିବା ପରେ ରାଷ୍ଟ୍ରପତି ଭବନ ଅଭିମୁଖେ ଯାଇଥିଲେ। ରାତି ପ୍ରାୟ ୭ଟା ୪୦ ମିନିଟ୍ରେ ବିଜୟ ଚୌକ୍ଠାରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୧୦ ଜଣ ନେତାଙ୍କୁ ଆଗକୁ ଯିବାକୁ ଅନୁମତି ମିଳିଥିଲା। ଏହି ପ୍ରତିନିଧି ଦଳରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ମମତା ବାନାର୍ଜୀ, ଓମାର ଅବଦୁଲ୍ଲା, ମନୋଜ ଝା, ଡି ରାଜା, ଟି ତିରୁମାଭାଲାଭନ, ଏମ୍ଏ ବେବି, ରାଜୀବ ରାୟ ଓ ସୁପ୍ରିୟା ସୁଲେ ସାମିଲ ଥିଲେ। ସେମାନେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ।
ସୌଜନ୍ୟ ସମ୍ବାଦ




